Unknown

 

 

 

 

 

 

 

 

 

ଶ୍ରୀ ବୈଷ୍ଣବ ଲୀଳାମୃତ

ମାଧବ ପଟ୍ଟନାୟକ

 

ସୂଚୀପତ୍ର

 

୧.

ପ୍ରଥମ ଅଧ୍ୟାୟ

ଉପକ୍ରମ ଓ କବିଙ୍କ ପରିଚୟ

୨.

ଦ୍ୱିତୀୟ ଅଧ୍ୟାୟ

ପଞ୍ଚସଖାଙ୍କ ବର୍ଣ୍ଣନା, ଚୋଡ଼ଗଙ୍ଗଦେବଙ୍କ କୀର୍ତ୍ତି, ଜୟଦେବଙ୍କ ଗୀତଗୋବିନ୍ଦ ରଚନା, ଶ୍ରୀଧରସ୍ୱାମୀଙ୍କ ଚରିତ, ଶ୍ରୀମନ୍ଦିରର ମେଘନାଦ ପ୍ରାଚୀର ଓ ଭୋଗମଣ୍ଡପ ନିର୍ମାଣ, କପିଳେନ୍ଦ୍ରଦେବଙ୍କ କୀର୍ତ୍ତି, ପୁରୁଷୋତ୍ତମଦେବଙ୍କ ଛେରା ପହଁରା ନୀତି ଓ ପଦ୍ମାବତୀ ହରଣ ପ୍ରସଙ୍ଗ

୩.

ତୃତୀୟ ଅଧ୍ୟାୟ

ମାଧବେନ୍ଦ୍ର ପୁରୀଙ୍କ ଗୋପୀନାଥ ଭକ୍ତି ଓ କ୍ଷୀରଚୋରା ଗୋପୀନାଥଙ୍କ ପ୍ରସିଦ୍ଧି, କବିଙ୍କର ବିଶେଷ ପରିଚୟ ଓ ରାୟ ରାମାନନ୍ଦଙ୍କ ସହ ମିଳନ

୪.

ଚତୁର୍ଥ ଅଧ୍ୟାୟ

ଜଗନ୍ନାଥ ଦାସଙ୍କ ଭାଗବତ ରଚନା, ଶ୍ରୀ ଚୈତନ୍ୟଙ୍କ ଶ୍ରୀକ୍ଷେତ୍ର ପୁରୀ ଆଗମନ, ଦକ୍ଷିଣ ଭାରତ ଗମନ ଓ ରାୟ ରାମାନନ୍ଦଙ୍କ ସହ ମିଳନ

୫.

ପଞ୍ଚମ ଅଧ୍ୟାୟ

ଶ୍ରୀ ଚୈତନ୍ୟଙ୍କ ପନୁଃ ଶ୍ରୀକ୍ଷେତ୍ର ପୁରୀ ଆଗମନ ଓ କାଶି ମିଶ୍ରାଳୟରେ ଅବସ୍ଥାନ, କବୀର ଓ ବଲ୍ଲଭାଚାର୍ଯ୍ୟଙ୍କ ଶ୍ରୀକ୍ଷେତ୍ର ପୁରୀ ଆଗମନ, ରୂପ ଓ ସନାତନଙ୍କ ଚରିତ, ବଳରାମ ଦାସଙ୍କ ବାଲିରଥ ଆରାଧନା

୬.

ଷଷ୍ଠ ଅଧ୍ୟାୟ

ମହାମନ୍ତ୍ର ରହସ୍ୟ, ଛୋଟ ହରିଦାସ ପ୍ରସଙ୍ଗ ଓ ଶିକ୍ଷାଷ୍ଟକ ରଚନା

୭.

ସପ୍ତମ ଅଧ୍ୟାୟ

ଶ୍ରୀଚୈତନ୍ୟଙ୍କ ଶ୍ରୀକ୍ଷେତ୍ରଲୀଳା ଓ ମହାଭାବ ପ୍ରକାଶ

୮.

ଅଷ୍ଟମ ଅଧ୍ୟାୟ

ସଂକୀର୍ତ୍ତନର ପ୍ରଚାର ପ୍ରସାର

୯.

ନବମ ଅଧ୍ୟାୟ

ଶ୍ରୀ ଚୈତନ୍ୟଙ୍କ ଅପ୍ରକଟ ଲୀଳା, ସାତଲହଡ଼ି ମଠ ପ୍ରତିଷ୍ଠା, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସାତଲହଡ଼ି ମଠରେ ଅବସ୍ଥାନ

୧୦.

ପରିଶିଷ୍ଟ

 

 

।। ଶ୍ରୀ ଗଣେଶାୟ ନମଃ ।।

ଅବିଘ୍ନମସ୍ତୁ

ପ୍ରଥମ ଅଧ୍ୟାୟ

 

ସଚ୍ଚିଦାନନ୍ଦ ଜଗନ୍ନାଥ ।

ନାମ ଧାମରେ ପୁରୁଷାର୍ଥ ।।୧।।

 

ସକଳ ତୀର୍ଥ ଏକ କଲୁ ।

ଚତୁର୍ଦ୍ଧା ରୂପକୁ ଧଇଲୁ ।।୨।।

 

ଶ୍ରୀହରେ ରାମକୃଷ୍ଣ ନାମ ।

ତୋ ଅଙ୍ଗେ ଅଛଇ ଗୋପନ ।।୩।।

 

ବ୍ରହ୍ମାଣ୍ଡ ତୋ ଉଦରେ ଠାବ ।

ଅଗମ୍ୟ ଶାସ୍ତ୍ରରେ ତୁ ଦେବ ।।୪।।

 

ସକଳ ତୀର୍ଥ ତୋ ଚରଣେ ।

ସର୍ବ ଦେବତା ତୋର ନାମେ ।। ୫।।

 

 

ତୁ ଦେବ ଦେବଙ୍କର ଗତି ।

ମୁଁ କି ବର୍ଣ୍ଣିବି ଛାର ମତି ।। ୬।।

 

ତୁ ନିତ୍ୟ ସନାତନ ଦେବ ।

ତୋ ଅଙ୍ଗେ ବିଶୁଦ୍ଧ ପ୍ରଣବ ।। ୭।।

 

ତୁ ନିତ୍ୟ ସତ୍ୟ ପରଂବ୍ରହ୍ମ ।

ତୋ ଦେହେ ଠୁଳ ସର୍ବଧାମ ।। ୮।।

 

ଚଉ ନିଗମେ ଚଉବାହା ।

ତୋ ନାମ ପ୍ରାଣୀରଟି ସାହା ।। ୯।।

 

ଜଗତପତି ଜଗନ୍ନାଥ ।

ତୋ ତହୁଁ ନାହିଁ ଅନ୍ୟ ପଥ ।। ୧୦।।

 

ତୋ ପାଦ ନିତ୍ୟ ଭେଳାକରି ।

ପ୍ରାଣୀ ତରନ୍ତି ଭବବାରି ।। ୧୧।।

 

ପତିତ ଜନ ଉଦ୍ଧାରିବା ।

ତୋ ସୀମା କେହୁ ବଖାଣିବା ।। ୧୨।।

 

 

ଅନନ୍ତ ଅବ୍ୟୟ ଅକ୍ଷୟ ।

ଲୋକେ ଓ ବେଦେ ସର୍ବମୟ ।। ୧୩।।

 

ତୋ ନାମୁ ପ୍ରଣବ ସମ୍ଭୁତ ।

ତୋ ନାମୁ ଚାରିବେଦ ଜାତ ।। ୧୪।।

 

ତୋ ମୂର୍ତ୍ତି ରସଘନମୟ ।

ସଂସାର ଜନର ଅଭୟ ।। ୧୫।।

 

ତୋ ପାଦେ ଆଶ୍ରାଦିଅ ମୋତେ ।

ଦୁଃଖ ନ ରହୁ ଅପ୍ରମିତେ ।। ୧୬।।

 

ତୋ ଦେହେ ରାଧାକୃଷ୍ଣ ଲୀଳା ।

ନିତ୍ୟଧାମ ଏ ନିତ୍ୟଖେଳା ।। ୧୭।।

 

ନୀଳାଚଳଟି ନିତ୍ୟ ଧାମ ।

ଶୁଦ୍ଧ ସାତ୍ତ୍ୱିକ ଅନୁପମ ।। ୧୮।।

 

ନିତ୍ୟ ଗୋଲୋକ ନୀଳାଚଳ ।

ନିତ୍ୟ କୃଷ୍ଣର ଏଥେ ଖେଳ ।। ୧୯।।

 

 

ଏ ଲୀଳା ନିତ୍ୟ ଶୁଦ୍ଧମୟ ।

ନୀଳାଚଳରେ ଏ ଉଦୟ ।। ୨୦।।

 

ନିତ୍ୟ ଧାମକୁ କଲେ ଆଶ୍ରା ।

ନ ରହେ ପ୍ରାଣୀର ତମିସ୍ରା ।। ୨୧।।

 

ନୀଳାଚଳକୁ ଆଶ୍ରା କରି ।

ସଂସାରୁ ପ୍ରାଣୀ ହେଳେ ତରି ।। ୨୨ ।।

 

ବିଷ୍ଣୁ ଭକତେ କାଳେ କାଳେ ।

ଆଶ୍ରିଲେ ତୋ ଧାମ କମଳେ ।। ୨୩ ।।

 

ଭକତ ଜନର ବିଶ୍ଵାସ ।

ତୋ ପାଦେ ଠୁଳ ଅବିନାଶ ।। ୨୪ ।।

 

ପ୍ରାଣୀଙ୍କୁ ମୁକ୍ତି ଦେଉ ହେଳେ ।

ବସାଉ ଗୋଲୋକ ମଣ୍ଡଳେ ।। ୨୫ ।।

 

କେ ମାଗୁ ତୋତେ ଅବା ମୁକ୍ତି ।

ତୁହି ତ ଅଗତିର ଗତି ।। ୨୬ ।।

 

 

ଭକତି ମାର୍ଗ ଯେ ଭଜଇ ।

ତୋର ଚରଣେ ଆଶ୍ରାପାଇ ।। ୨୭ ।।

 

ତୁ ଅଟୁ ଭକତ ବିଶ୍ୱାସ ।

କେ କହୁ ତୋର ଆଦିଅନ୍ତ ।। ୨୮ ।।

 

ଭକତ ଜନ ଏଥେ ମିଳି ।

ତୋ ନାମ ଭଜିଗଲେ ଚଳି ।। ୨୯ ।।

 

ଯେ ବା ଅଛନ୍ତି ଭକ୍ତ ଥୋକେ ।

ତାଙ୍କ ମହିମା ବର୍ଣ୍ଣିବ କେ ।। ୩୦।।

 

ତୋ ପାଦ ଆଶ୍ରି ଯେ ବା ଥିଲେ ।

ଯେଅବା ତୋପାଦେ ମିଳିଲେ ।। ୩୧।।

 

ଯେ ଅବା ଥିଲେ ତୋର ଧାମେ ।

ନିତ୍ୟ କୀର୍ତ୍ତନ ଭକ୍ତି ନାମେ ।। ୩୨ ।।

 

ସେ ମହାତପୀ ବଇଷ୍ଣବ ।

ତାହାଙ୍କ ଲୀଳା କେ ବର୍ଣ୍ଣିବ ।। ୩୩ ।।

 

 

ନୀଳାଚଳର ବଇଷ୍ଣବେ ।

ସେଲୀଳା ଲଗାଇଲେ ଯେବେ ।। ୩୪ ।।

 

ଅପୂର୍ବ ବୈଷ୍ଣବ ଚରିତ ।

ସାକ୍ଷାତେ ଅଟଇ ଅମୃତ ।। ୩୫ ।।

 

ବର୍ଣ୍ଣିବି ଥୋକେ ବିଚାରଇ ।

ଶ୍ରୀଜଗନ୍ନାଥ ପଦଧ୍ୟାୟି ।। ୩୬ ।।

 

ଧନ୍ୟ କରିବି ମୋ ଜୀବନ ।

ସଫଳ ଜନମ କରମ ।। ୩୭ ।।

 

ସୁଜନେ ଶୁଣି ତୋଷ ଚିତ୍ତ ।

ଦୁର୍ଲଭ ବୈଷ୍ଣବ ଚରିତ ।। ୩ ।।

 

ସଂସାରୁ ଯେବେ ହେବ ପାର ।

ଶୁଣ ଏ ଚରିତ କର୍ଣ୍ଣର ।। ୩୯ ।।

 

ପୂର୍ବେ ଏ ନୋହିଛି ପ୍ରକାଶ ।

ବର୍ଣ୍ଣିବି ଅବା ମୁଇଁ କିସ ।। ୪୦।।

 

 

ବୈଷ୍ଣବେ ଏଥୁ କଲେ ମେଳା ।

ଶ୍ରୀକୃଷ୍ଣ ନାମ କରି ଭେଳା ।। ୪୧।।

 

ଦୁର୍ଲଭ ତତ୍ତ୍ୱ ବଖାଣିଲେ ।

ନାମରେ ଭକତି ଥାପିଲେ ।। ୪୨ ।।

 

ଶ୍ରୀରାଧା କୃଷ୍ଣେ ଦେଇ ମତି ।

ନାମ ଉଚ୍ଚାରି ଭୋଳ ହୋନ୍ତି ।। ୪୩ ।।

 

ନାମରେ ଉନମତ୍ତ ହୋଇ ।

ରାତ୍ର ଦିବସ ନ ଜାଣଇ ।। ୪୪ ।।

 

ହୃଦରେ ଚିନ୍ତି ରାଧାପତି ।

ଶ୍ରୀଜଗନ୍ନାଥ ଜଗତ୍‌ପତି ।। ୪୫ ।।

 

କଲେ ସେ ଏଥେ ମହାଲୀଳା ।

ମହାଭାବରେ ମହାଭୋଳା ।। ୪୬ ।।

 

ଦୁର୍ଲଭ ବୈଷ୍ଣବ ଚରିତ ।

ଥୋକାଏ ବର୍ଣ୍ଣିବି ମୋ ଚିତ୍ତ ।। ୪୭ ।।

 

 

ଶୁଣ ସୁଜନେ ସାବଧାନେ ।

କୀର୍ତ୍ତି ଥାପିବ ଶୁଦ୍ଧ ମନେ ।। ୪୮ ।।

 

ଦୁର୍ଲଭ ସାଧୁ ସଙ୍ଗ ଗତି ।

ମିଳଇ କାହୁଁ ସେ ସବୁନ୍ତି ।। ୪୯ ।।

 

ଦୁର୍ଲଭ ଏ ସାଧୁ ଚରିତ ।

ନୀଳାଚଳରେ ପ୍ରକାଶିତ ।। ୫୦।।

 

କହିବି ଥୋକେ ମୋର ଇଷ୍ଟ ।

ଖଣ୍ଡିବି ଭବ ତାପ ରିଷ୍ଟ ।। ୫୧।।

 

ବୈଷ୍ଣବ ଜନ ପଦ ରଜ ।

ମୋ ଶିରେ ଶୋଭାପାଇ ଆଜ ।। ୫୨ ।।

 

ମୁଁ ହୀନ ମାଧବ ପାମର ।

ଦାସାନୁଦାସରେ ସୁମର ।। ୫୩ ।।

 

ମୋ ପିତା ନାମ ଭଗବାନ ।

ମାତା ମୋ ହୀରାଦେବୀ ଜାଣ ।। ୫୪ ।।

 

 

କରଣ ବଂଶେ ଜନ୍ମ ହୋଇ ।

ପଟ୍ଟନାୟକ ସଂଜ୍ଞା ବହି ।। ୫୫ ।।

 

ଖଣ୍ଡପଡ଼ା ମୋ ପୂର୍ବସ୍ଥାନ ।

ଶ୍ରୀକ୍ଷେତ୍ର ବାସେ ଦେଲି ମନ ।। ୫୬ ।।

 

ଗୁରୁ ପଣ୍ଡିତ ଗଦାଧର ।

ଦୟା ସେ କଲେକ ଅପାର ।। ୫୭ ।।

 

ଗୋପାଳ ମନ୍ତ୍ର ଦୀକ୍ଷା ଦେଲେ ।

ମୂଢ଼ ଜୀବକୁ ନିସ୍ତାରିଲେ ।। ୫୮ ।।

 

ମୁଁ ଅଟେ ଗଦାଧର ଶିଷ୍ୟ ।

ଭକତ ଜନେ ମୋ ବିଶ୍ୱାସ ।। ୫୯ ।।

 

ଶ୍ରୀଗୁରୁ ପାଦ ମୁଁ ସେବିଲି ।

ଭକ୍ତି ଅର୍ପ ଜ୍ଞାନ ଲଭିଲି ।। ୬୦।।

 

ବୈଷ୍ଣବ ସେବା ମୂଳ କଲି ।

ବୈଷ୍ଣବ ପାଦେ ଚିତ୍ତ ଦେଲି ।। ୬୧।।

 

 

ମୂଳ ମୋ ବଇଷ୍ଣବ ସଙ୍ଗ ।

ବର୍ଣ୍ଣିବି ବୈଷ୍ଣବ ପ୍ରସଙ୍ଗ ।। ୬୨ ।।

 

ଗୋପୀ ଭାବରେ ଭକ୍ତି ଯାର ।

କରନ୍ତି ହୃଦେ ସେହୁ ହାର ।। ୬୩ ।।

 

ପୂର୍ବ ଚରିତ ଶୁଣା ଯେତେ ।

ବର୍ଣ୍ଣିବି ବିଷ୍ଣୁର ଭକତେ ।। ୬୪ ।।

 

ପ୍ରତକ୍ଷ୍ୟ କଲି ଯେତେ ଦୃଶ୍ୟ ।

ତ୍ୟଜିବି କେମନ୍ତେ ମୁହାଁସ ।। ୬୫ ।।

 

ରାୟ ରାମାନନ୍ଦ ସୁଜାଣ ।

ଭାବୁକ ପଣ୍ଡିତ ସମାନ ।। ୬୬ ।।

 

ରାମ ରାୟ ଯେ ଅନ୍ନଦାତା ।

ଭକତି ରସତତ୍ତ୍ୱ ବେତ୍ତା ।। ୬୭ ।।

 

ବୈଷ୍ଣବ ପଣେ ଅଗ୍ରଗଣ୍ୟ ।

ତା ତହୁଁ ପ୍ରସାଦ ଲଭିଣ ।। ୬୮ ।।

 

 

ଗୁରୁ ଆଶିଷ ପରିମାଣି ।

ଲିହିବି ଚରିତ ସ୍ମରଣି ।। ୬୯ ।।

 

ରଚିଲି ଚୈତନ୍ୟ ବିଳାସ ।

ପ୍ରଭୁର ସନ୍ନ୍ୟାସ ଯେ ରସ ।। ୭୦।।

 

ରାଜାର ଅଙ୍କ ଚଉବିଂଶେ ।

ରଚିଲି ଚୈତନ୍ୟ ବିଳାସେ ।। ୭୧।।

 

ଏବକୁ ଅଙ୍କ ଅଠଚାଳିଶ ।

ଲିହିବି ବୈଷ୍ଣବ ଲୀଳାରସ ।। ୭୨ ।।

 

କୀର୍ତ୍ତନ ଗୁରୁ ଚଇତନ୍ୟ ।

ରାହାସେ ଜଗନ୍ନାଥ ଧନ୍ୟ ।। ୭୩ ।।

 

ଶ୍ରୀରାମାନନ୍ଦ ରାୟ ସାର ।

ଗୁରୁ ସ୍ୱରୂପ ଦାମୋଦର ।। ୭୪ ।।

 

ଶ୍ରୀ ବଳରାମ ଯେ ଅଚ୍ୟୁତ ।

ଅନନ୍ତ ହରି ଯଶୋବନ୍ତ ।। ୭୫ ।।

 

 

ଶ୍ରୀ ଜୀବଦେବ ମହାରଥା ।

ଶ୍ରୀ ରୁଦଦେବ ସାମରଥା ।। ୭୬ ।।

 

ଆଉ ଆଉ ଭକ୍ତ ଯେତେକ ।

ତାହାଙ୍କ ନାମ ଯେ ଅନେକ ।। ୭୭ ।।

 

ସର୍ବେ ହୋଇଣ ଏକ ମେଳି ।

କୃଷ୍ଣ ରସରେ ମତି ଢାଳି ।। ୭୮ ।।

 

ସଂକୀର୍ତ୍ତନକୁ ଆଶ୍ରେ କଲେ ।

ନାମକୁ ସର୍ବଦା ଭଜିଲେ ।। ୭୯ ।।

 

ସଂକ୍ଷେପି କହିବି ଏ ରସ ।

ସୁଜନେ ନ ବହିବ ରୋଷ ।। ୮୦ ।।

 

ଶ୍ରୀଜଗନ୍ନାଥ ପାଦପଦ୍ମ ।

ଧ୍ୟାୟିଣ କହେ ଶୂଦ୍ରାଧମ ।। ୮୧ ।।

 

ଦ୍ୱିତୀୟ ଅଧ୍ୟାୟ

 

କୃଷ୍ଣ ଚରଣେ ଚିତ୍ତ ଦେଇ ।

ରାହାସ ବର୍ଣ୍ଣିବି ଥୋକାଇ ।। ୧ ।।

 

ଗୋପୀମାନନ୍ତ ନୃତ୍ୟ କଲା ।

ରାହାସ ନାମ ବୋଲାଇଲା ।। ୨ ।।

 

ରାସ ଏ ଲୀଳା ନୋହେ ଶେଷ ।

ନିତ୍ୟ ଧାମର ଏ ଯେ ରସ ।। ୩ ।।

 

ନିତ୍ୟ ଧାମ ଯେ ନୀଳାଚଳ ।

ଏଥେ ରାସ ନୃତ୍ୟ ପ୍ରଚଳ ।। ୪ ।।

 

ରାଧାକୃଷ୍ଣ ଏ ମେଳନକୁ ।

ଜଗନ୍ନାଥ ଯେ ସର୍ଜିବାକୁ ।। ୫ ।।

 

ସ୍ୱାମୀ ଯେ ମେଳା ଭିଆଇଲା ।

ରାହାସ ନାମଟି ସେ ଦେଲା ।। ୬ ।।

 

 

ଏଥେ ଜପ ଯେ ତପ ଯୋଗ ।

ଭକତି ଭାବ ଅନୁରାଗ ।। ୭ ।।

 

ସବୁକୁ ଆଣି ମେଳାଇଲା ।

ରାହାସ ବୋଲିଣ ବୋଇଲା ।। ୮ ।।

 

ରାହାସ ନାମ ସଂକୀର୍ତ୍ତନ ।

ନାମ ହୁଁ ନୋହେ ଏଟି ଭିନ୍ନ ।। ୯ ।।

 

ଏଥେ ଝାଞ୍ଜ ମୃଦଙ୍ଗ ଗିନି ।

କରତାଳି ଯେ ଲୋଡ଼ା ପୁଣି ।। ୧୦ ।।

 

କୃଷ୍ଣ ରସରେ ହୋଇ ଗୀତ ।

ଗୀତଗୋବିନ୍ଦ କର୍ଣ୍ଣାମୃତ ।। ୧୧ ।।

 

ଦକ୍ଷିଣୀ ପଦ ମେଳ ଧରି ।

ନାଚନ୍ତି ପଙ୍‌କ୍ତି ପ୍ରାୟେ କରି ।। ୧୨ ।।

 

ଝାଞ୍ଜ ମୃଦଙ୍ଗ କଳରୋଳେ ।

ନାଚନ୍ତି ଢଳିଣ ଶୟଳେ ।। ୧୩ ।।

 

 

ଅବନୀ ଆକାଶ ଆକାର ।

ପୃଥିବୀ ଦ୍ରବେ ଜଳଧାର ।। ୧୪ ।।

 

ରାସସ୍ଥଳୀର ମଧ୍ୟଭାଗେ ।

ମଣିମା ମଣ୍ଡପ ବିରାଜେ ।। ୧୫ ।।

 

ମଣ୍ଡପ ମଧ୍ୟେ ସିଂହାସନ ।

ରାଧାକୃଷ୍ଣ ତହିଁ ଆସୀନ ।। ୧୬ ।।

 

ଚଉପାଶେ କରମ୍ବିତରେ ।

ଅଛନ୍ତି ସଖୀମାନେ ଧୀରେ ।। ୧୭ ।।

 

ଅଷ୍ଟ ସଖୀଏ ନାମ ଖ୍ୟାତ ।

ଅଛନ୍ତି ଚୌପାଶେ ସନ୍ତତ ।। ୧୮ ।।

 

ମଧ୍ୟ ଭାଗେଣ ରାସକୁଞ୍ଜ ।

ରାସ ଲୀଳାର ଏ ନିକୁଞ୍ଜ ।। ୧୯ ।।

 

ତହୁଁ ବଂଶୀଧ୍ୱନି ଝରଇ ।

ଗୋପୀଙ୍କି ମୋହ ସେ କରଇ ।। ୨୦ ।।

 

 

ଚଉପାଶରେ ଭକ୍ତଗଣେ ।

ରାହାସ ରଚିଲେ ନିପୁଣେ ।। ୨୧ ।।

 

ବଟଗଣେଶ ସମୀପରେ ।

ରାସ ମଣ୍ଡପ ଉଭାରିଲେ ।। ୨୨ ।।

 

କଲେକ ରାସ ଅହର୍ନିଶି ।

ଭଗତଜନଙ୍କୁ ଆଶ୍ୱାସି ।। ୨୩ ।।

 

ଝାଞ୍ଜ ମୃଦଙ୍ଗ କଳରୋଳ ।

ଗମ୍ଭୀରା ମଧ୍ୟ ଯେ ଚହଳ ।। ୨୪ ।।

 

କହ୍ନାଇ ଏହା ନିର୍ମାଣିଲା ।

ସ୍ୱାମୀ ରାହାସ ଶିକ୍ଷା ଦେଲା ।। ୨୫ ।।

 

ବଳରାମ ଅଚ୍ୟୁତ ଯଶୋବନ୍ତ ।

ଅନନ୍ତ ସଖାପଣେ ଖ୍ୟାତ ।। ୨୬ ।।

 

ଗୋପାଳ ଗୁରୁ ଯେ କହ୍ନାଇ ।

ରାସ ମଣ୍ଡପେ ମେଳ ହୋଇ ।। ୨୭ ।।

 

 

ରଚନ୍ତି ସଂକୀର୍ତ୍ତନ ନିତି ।

ରାତ୍ର ଦିବସ ନ ଜାଣନ୍ତି ।। ୨୮ ।।

 

ପୁରାଣ ପାଠ ଏଥେ ହୋଇ ।

ସ୍ୱାମୀ ଭାଗବତ ରଚଇ ।। ୨୯ ।।

 

ତତ୍ତ୍ୱ ପ୍ରସଙ୍ଗ ଚର୍ଚ୍ଚା କରେ ।

କୃଷ୍ଣର ଲୀଳା ମଧୁଝରେ ।। ୩୦ ।।

 

ରାହାସ କାହୁଁ ଏ ଅଇଲା ।

ଆଦ୍ୟେ କେ ଏହା ଭିଆଇଲା ।। ୩୧ ।।

 

ଆପଣେ ବୋଲିବ ବା ମୋତେ ।

ଯାହା ଶୁଣିଲି ସାଧୁ ମୁଖେ ।। ୩୨ ।।

 

ଥୋକାଏ ଏଥୁ ବଖାଣିବି ।

ଦୋଷ ନ ଧର ମନେ ଭାବି ।। ୩୩ ।।

 

ପୂର୍ବେ ସେ ଥିଲା ଏକ ରାଜା ।

ସୁଖେ ପାଳଇ ଜନପ୍ରଜା ।। ୩୪ ।।

 

 

ଚୁଡ଼ଙ୍ଗଦେବ ଖ୍ୟାତନାମ ।

ବୀର ସାହସୀ ପରାକ୍ରମ ।। ୩୫ ।।

 

ଭକତ ଶ୍ରେଷ୍ଠ ଅଟେ ସେହି ।

ଶ୍ରୀଜଗନ୍ନାଥଙ୍କୁ ଚିତ୍ତୋଇ ।। ୩୬ ।।

 

ଶଙ୍ଖାରିଲା ଜୀର୍ଣ୍ଣ ଦେଉଳେ ।

କୀର୍ତ୍ତି ସେ ରଖିଲା ଶୟଳେ ।। ୩୭ ।।

 

ଗର୍ଭଗୃହ ସେ ନିର୍ମାଣିଲା ।

ବହୁତ ଧନ ବ୍ୟୟ କଲା ।। ୩୮ ।।

 

ଶ୍ରୀଜଗନ୍ନାଥର ମହିମା ।

କ୍ଷେତ୍ରବର ଏ ତାର ସୀମା ।। ୩୯ ।।

 

ବୃଦ୍ଧକାଳେ ଏ କୀର୍ତ୍ତିଥାପି ।

ପ୍ରତିଷ୍ଠା କଲାକ ସଂକଳ୍ପି ।। ୪୦ ।।

 

ଗୁମୁଟି ପ୍ରତିଷ୍ଠା ବେଳରେ ।

ପୁତ୍ରକୁ ଯୁବରାଜ କରେ ।। ୪୧ ।।

 

 

ଗୁମୁଟି ପ୍ରତିଷ୍ଠା ହୋଇବ ।

କାମାର୍ଣ୍ଣବକୁ ପଦ ଦେବ ।। ୪୨ ।।

 

ଚିତ୍ତୋଇ ଏହା ମାନସରେ ।

ଉତ୍ସବ କଲା ଆଡ଼ମ୍ବରେ ।। ୪୩ ।।

 

ଗୋଦାବରୀ ନଦୀ କୂଳର ।

ମୃତ୍ତିକା ଅଣାଇ ସତ୍ତ୍ୱର ।। ୪୪ ।।

 

ମୃଦଙ୍ଗ ନିର୍ମାଣିଲା ତହିଁ ।

କୀର୍ତ୍ତନ ରସେ ମନଦେଇ ।। ୪୫ ।।

 

ଝାଞ୍ଜ ମୃଦଙ୍ଗ ସଙ୍ଗେ ଗିନି ।

କୀର୍ତ୍ତନ ରସେ ମନଦେଇ ।। ୪୬ ।।

 

ଝାଞ୍ଜ ମୃଦଙ୍ଗ ସଙ୍ଗେ ଗିନି ।

କୀର୍ତ୍ତନ ଆରମ୍ଭ ସେ ପୁଣି ।। ୪୭ ।।

 

ଗୁମୁଟି ପ୍ରତିଷ୍ଠା ହୋଇଲା ।

କାମାର୍ଣ୍ଣବକୁ ରାଜା କଲା ।। ୪୮ ।।

 

 

କୀର୍ତ୍ତନ ଗହ ଗହ ନାଦେ ।

ମନ ଥାପିଲା ହରିପାଦେ ।। ୪୯ ।।

 

ନାଚୁଣୀ ମାହାରୀ ଆଣିଲା ।

ନାଟ ହୋଇଲା ହରିଲୀଳା ।। ୫୦ ।।

 

ମନ୍ଦିର ଗୁମୁଟି ଭିତର ।

ଦେବଦାସୀଙ୍କ ନୃତ୍ୟରୋଳ ।। ୫୧ ।।

 

ଶ୍ରୀହରି ସ୍ତୁତି ସହିତରେ ।

ମୃଦଙ୍ଗ ଝାଞ୍ଜ କରତାଳେ ।। ୫୨ ।।

 

ମାହାରୀମାନେ ନୃତ୍ୟ କଲେ ।

ରାହାସ ନୃତ୍ୟ ଏ ବୋଇଲେ ।। ୫୩ ।।

 

ଦେଖିଣ ଦେବ ଗଙ୍ଗେଶ୍ୱର ।

ସନ୍ତୋଷ ଲଭିଲା ମନର ।। ୫୪ ।।

 

କାଳେ ସେ ରାଜା ସ୍ୱର୍ଗ ଗଲା ।

ମାତ୍ରକ କୀର୍ତ୍ତି ସେ ଥାପିଲା ।। ୫୫ ।।

 

 

ଏଥୁ ଅନ୍ତରେ ଶୁଣ ଜନେ ।

ଗୀତଗୋବିନ୍ଦ ପରିମାଣେ ।। ୫୬ ।।

 

ବିପ୍ର ସେ ଜୟଦେବ ନାମ ।

କେନ୍ଦୁଳି ଶାସନ ତା ଗ୍ରାମ ।। ୫୭ ।।

 

ପ୍ରାଚୀ ନଦୀର ତଟ ପୁଣ ।

କ୍ଷେତ୍ର ବରକୁ ଆଗମନ ।। ୫୮ ।।

 

ନିଆଳି ମାଧବ ସମୀପେ ।

ଭକତି କଲା ନାନା ରୂପେ ।। ୫୯ ।।

 

ଶାସ୍ତ୍ର ପୁରାଣେ ବିଚକ୍ଷଣ ।

କବିତ୍ୱ ମାର୍ଗେ ତାର ମନ ।। ୬୦।।

 

ଗୀତ ସେ ରଚିବି ବୋଇଲା ।

କ୍ଷେତ୍ରବାସକୁ ମନ ଦେଲା ।। ୬୧ ।।

 

ଶ୍ରୀଜଗନ୍ନାଥର ସମୀପେ ।

ଶୁଦ୍ଧ ସାତ୍ତ୍ୱିକ ମତିରୂପେ ।। ୬୨।।

 

 

ରଚିଲା ଶ୍ରୀଗୀତଗୋବିନ୍ଦ ।

ଲଭିଲା ପରମ ଆନନ୍ଦ ।। ୬୩ ।।

 

ଶ୍ରୀରାଧା ମାଧବର ଲୀଳା ।

ମଧୁର ସ୍ୱରରେ ଗାଇଲା ।। ୬୪ ।।

 

ପତ୍ନୀ ତାହାର ପଦ୍ମାବତୀ ।

ଗୀତର ତାଳେ ସେ ନୃତ୍ୟତି ।। ୬୫ ।।

 

ରାହାସ ନୃତ୍ୟ କଲା ଜାଣି ।

ନାଟ ସେ କଲାକ ନାଚୁଣୀ ।। ୬୬ ।।

 

ଭକତେ ଧନ୍ୟ ଧନ୍ୟ କଲେ ।

ଭକତି ଭାବେ ଭୋଳ ହେଲେ ।। ୬୭ ।।

 

ଗୀତଗୋବିନ୍ଦ ନାଟ ସେବା ।

ମନ୍ଦିରେ ପ୍ରତ୍ୟହ ହୋଇବା ।। ୬୮ ।।

 

ରାଜା ସେ ସେବା ଭିଆଇଲା ।

କେନ୍ଦୁଳି ଶାଢ଼ୀ ଯୋଗାଇଲା ।। ୬୯ ।।

 

 

ଶ୍ରୀଗୀତଗୋବିନ୍ଦ ରସ ଏ ।

ଶ୍ରୀଜଗନ୍ନାଥର ପ୍ରିୟ ଏ ।। ୭୦ ।।

 

ବୋଲି କଲାକ ଏ ଭିଆଣ ।

ଭକତେ ହେଲେ ତୋଷମନ ।। ୭୧ ।।

 

କାଳେ ସେ କବି ସ୍ୱର୍ଗଗଲା ।

କ୍ଷେତ୍ରବରେ ତା ଗତି ହେଲା ।। ୭୨ ।।

 

ଗୀତଗୋବିନ୍ଦ ନାଟ ପୁଣ ।

ନାଟ ମନ୍ଦିରରେ ଭିଆଣ ।। ୭୩ ।।

 

ରାହାସ ନୃତ୍ୟର କୀର୍ତ୍ତନ ।

ଗୀତଗୋବିନ୍ଦ କଲେ ଗାନ ।। ୭୪ ।।

 

ଅନଙ୍ଗଭୀମଦେବ କୀର୍ତ୍ତି ।

ପ୍ରୀତେ ଜଗନ୍ନାଥ ମୂରତି ।। ୭୫।।

 

ଏଥୁ ଅନ୍ତରେ ଶୁଣ ରସ ।

ଶ୍ରୀଭାଗବତ ଗୀତ ରସ ।। ୭୬ ।।

 

 

ଶ୍ରୀଧର ନାମେ ବିପ୍ରବର ।

ମରେଇ ଗ୍ରାମେ ଜନ୍ମ ତାର ।। ୭୭ ।।

 

ଭାଗବତ ଦୀପିକା ରଚତି ।

ଭକତି ମାର୍ଗେ ତାର ମତି ।। ୭୮ ।।

 

ରେମୁଣା କଟକେଣ ଥାଇ ।

ଗୋପୀନାଥ ମୂର୍ତ୍ତି ସେବଇ ।। ୭୯ ।।

 

ପଢ଼ଇ ଗୋପାଳ ତାପିନୀ ।

ପଇପଳ ସୂତ୍ର ବଖାଣି ।। ୮୦ ।।

 

ଭକତି ମାର୍ଗେ ତାର ଭାବ ।

ବଶ କରଇ ଲୋକ ସର୍ବ ।। ୮୧ ।।

 

ଶ୍ରୀକ୍ଷେତ୍ରୁ ସେହୁ ଦୀକ୍ଷା ନେଇ ।

ଅଦ୍ୱୈତ ମତରେ ଚଳଇ ।। ୮୨ ।।

 

ଅଟେ ସେ ଶଙ୍କର ସନ୍ନ୍ୟାସୀ ।

ପୁରାଣ କରେ ଦିବାନିଶି ।। ୮୩ ।।

 

 

ମତି ତା ଭାଗବତ ଅର୍ଥେ ।

ଶାସ୍ତ୍ର କଲାଇଁ ନାନା ମତେ ।। ୮୪ ।।

 

ଭକତି ମାର୍ଗେ କର୍ମ ଜ୍ଞାନ ।

ଏ ସର୍ବ ନୋହେ ପରାଭିନ୍ନ ।। ୮୫ ।।

 

ଜ୍ଞାନ ବ୍ୟତ୍ରକେ ଭକ୍ତି ନାହିଁ ।

ଭକ୍ତି ବିହୁନେ ଜ୍ଞାନ କାହିଁ ।। ୮୬ ।।

 

ଭାଗବତ ମୂର୍ତ୍ତିରେ ଭାବ ।

ଶ୍ରୀକୃଷ୍ଣେ ଶରଣ ପଶିବ ।। ୮୭ ।।

 

ଶ୍ରୀଧର କଲା ଭାଗବତ ।

ତାହା ଶୁଣିଲେ ସର୍ବଲୋକ ।। ୮୮ ।।

 

କାଶୀ ନବଦ୍ୱୀପ ଶ୍ରୀରଙ୍ଗ ।

ପଣ୍ଡିତ ମିଳି କଲେ ଅଙ୍ଗ ।। ୮୯ ।।

 

ଜ୍ଞାନ ଭକତିକୁ ମିଶାଇ ।

କିସ ପର୍ଯ୍ୟନ୍ତ ଏହା ତହିଁ ।। ୯୦ ।।

 

 

ସନ୍ନ୍ୟାସୀଏ ଅର୍ଥ ବୁଝିଲେ ।

ଶ୍ରୀଧରେ ଧନ୍ୟ ଧନ୍ୟ କଲେ ।। ୯୧ ।।

 

ଲେଖାଇ ନେଲେ ପୋଥି ଯେତେ ।

ଭାବାର୍ଥ ଦୀପିକା ସହିତେ ।। ୯୨ ।।

 

ଭକତି ଭାବ ସଞ୍ଚାରିଲା ।

ଜ୍ଞାନରେ ଭକ୍ତି ମିଶାଇଲା ।। ୯୩ ।।

 

ଭକତି ମାର୍ଗେ ଯେ ରମଇ ।

ଅବଶ୍ୟ କୃଷ୍ଣ ସେ ଲଭଇ ।। ୯୪ ।।

 

କୃଷ୍ଣ ବିହୁନେ ନର୍କେ ପଡ଼େ ।

ଭାଗବତର ଅର୍ଥ ବାଢ଼େ ।। ୯୫ ।।

 

ନାମ କୀର୍ତ୍ତନ ମତି ଭୋଳେ ।

ରହଇ ନିଶି ଉଜାଗରେ ।। ୯୬ ।।

 

ନୃସିଂହ ମନ୍ତ୍ରରାଜ ଭଜି ।

ପ୍ରସାଦ ଲଭେ ଶିବ ପୂଜି ।। ୯୭ ।।

 

 

ସ୍ୱାମୀ ରହଇ କପିଳାସେ ।

ମହନ୍ତ ଅଟଇ ବିଶେଷେ ।। ୯୮ ।।

 

ବ୍ରହ୍ମଚାରୀ ମଠ ଅଧୀଶ ।

ଶ୍ରୀଧର ସ୍ୱାମୀ ନାମେ ଘୋଷ ।। ୯୯ ।।

 

ମାଧବ ପୂଜା ତାର ମୂଳ ।

ଉମାଧବରେ ମତି ଦୃଢ଼ ।। ୧୦୦ ।।

 

ଶ୍ରୀଧର ଚରିତ ଦୁର୍ଲଭ ।

ଜାଣି ପ୍ରତାପ ଭାନୁଦେବ ।। ୧୦୧ ।।

 

ଶ୍ରୀଧର କଲା ଦିବ୍ୟ ପୂଜା ।

ମାଲ୍ୟାଧିକାର ବଡ଼ ସେବା ।। ୧୦୨ ।।

 

ଶୁଣ ଭକତେ ଅନ୍ୟ ରସ ।

ବର୍ଣ୍ଣିବି ଥୋକାଏ ବିଶେଷ ।। ୧୦୩ ।।

 

ରାହାସ ନାଟ ଏ ହୋଇଲା ।

ଗୀତଗୋବିନ୍ଦ ଭାବେ ଭୋଳା ।। ୧୦୪ ।।

 

 

ମିଳଇ ତହିଁ ଶ୍ୱାନ ଏକ ।

ଦେଖି ବିରସ ସର୍ବ ଲୋକ ।। ୧୦୫ ।।

 

ରାଜାରେ ଯାଇ ଜଣାଇଲେ ।

ଶ୍ୱାନ ପ୍ରବେଶିଲା ବୋଇଲେ ।। ୧୦୬ ।।

 

ମେଲା ଅଟଇ ଚଉଦିଗ ।

ପାଚେରୀ ପକାଅ ତୁ ବେଗ ।। ୧୦୭ ।।

 

ରାଜା ବୋଇଲା ଭଲ ହେଲା ।

ପାଚେରୀ ପଡ଼ିବ ବୋଇଲା ।। ୧୦୮ ।।

 

ମେଘନାଦ ବେଢ଼ା ହୋଇଲା ।

ବରଷକେ ଏ ଶେଷ ହେଲା ।। ୧୦୯ ।।

 

ପରଶୁରାମ ଗୀତ ନାଟ ।

ମନ୍ଦିରେ ହୋଇଲା ପ୍ରକଟ ।। ୧୧୦।।

 

ଦେଖିଣ ସର୍ବେ ହେଲେ ତୋଷ ।

ରାଜା ସମ୍ଭାଷିଲେ ବିଶେଷ ।। ୧୧୧ ।।

 

 

କପିଳେଶ୍ୱର ଦେବ କୀର୍ତ୍ତି ।

ବୋଲି ଘୋଷିଲେ ଦିନରାତି ।। ୧୧୨ ।।

 

ତାହାର ଔରସେ ଜନ୍ମିଲା ।

ପୁରୁଷୋତ୍ତମ ଦେବ ଭଲା ।। ୧୧୩ ।।

 

ଭୋଗ ମଣ୍ଡପ ତା’ର କୀର୍ତ୍ତି ।

ରାହାସ ନୃତ୍ୟ ତା’ର ମତି ।। ୧୧୪ ।।

 

ସେବକେ ବୋଇଲେ ତୁ ବଡ଼ ।

ସେବକ ଅଟୁତୁ ପ୍ରଭୁର ।। ୧୧୫ ।।

 

ପ୍ରଭୁର ସେବା କାର୍ଯ୍ୟ କର ।

ବଡ଼ ସେବା ତୁ ପରିଚାର ।। ୧୧୬ ।।

 

ବଡ଼ ସେବାରେ ସମାର୍ଜନୀ ।

ଚଳାଅ ତାହା ତୁଇ ପୁଣି ।। ୧୧୭ ।।

 

ରଥ ବେଳର ଏହୁ ସେବା ।

ପ୍ରଭୁର ସେବା କରୁଥିବ ।। ୧୧୮ ।।

 

 

କର୍ପୂର ଚନ୍ଦନ ଅଗୁରୁ ।

ଜଳରେ ସିଞ୍ଚିଲେ ସୁଚାରୁ ।। ୧୧୯ ।।

 

ରାଜା ସୁବର୍ଣ୍ଣ ସମାର୍ଜନୀ ।

ଧରି ବୁଲାଇ ରଥେ ପୁଣି ।। ୧୨୦ ।।

 

ଦେଖି ସେବକେ କଲେ ଧନ୍ୟ ।

ପ୍ରଭୁର ସେବକ ଏ ଜାଣ ।। ୧୨୧ ।।

 

ଛେରା ପହଁରା ଏହୁ ନାମ ।

ପୁରୁଷୋତ୍ତମର ଭିଆଣ ।। ୧୨୨ ।।

 

ନାଚୁଣୀ ସଂପରଦା ଦେଲା ।

ରାହାସ କରହୋ ବୋଇଲା ।। ୧୨୩ ।।

 

ଜଗନ୍ନାଥ ବଳଭଦ୍ରର ।

ମନ ତୋଷିଲା ନିରନ୍ତର ।। ୧୨୪ ।।

 

ସାଲୁଆ ନରସିଂହ ତୁଲେ ।

ଯୁଦ୍ଧ କରିଣ ରାଜା ହେଲେ ।। ୧୨୫ ।।

 

 

ଆଣିଲା ତା କନ୍ୟା ହରିଣ ।

ବିଭାହୋଇଲା ସନମାନ ।। ୧୨୬ ।।

 

ସେବକେ ଧନ୍ୟ ଧନ୍ୟ କଲେ ।

ପ୍ରଭୁର ବିଜୟ ବୋଇଲେ ।। ୧୨୭ ।।

 

ଜଗା ବଳିଆ ଦୁହେଁ ଜାଣ ।

ଧଳା କଳା ଘୋଡ଼ା ଚଢ଼ିଣ ।। ୧୨୮ ।।

 

ଯୁଦ୍ଧ ଥାନକୁ ବୋଲି ଗଲେ ।

ରାଜାର ପାଇଁକି ଜୁଝିଲେ ।। ୧୨୯ ।।

 

ତେଣୁ ସେ ଯୁଦ୍ଧେଣ ଜିଣିଲା ।

ରୂପବତୀକୁ ବିଭାହେଲା ।। ୧୩୦ ।।

 

ଜଗନ୍ନାଥର କୃପା ବିନେ ।

ପାଇକି ଏଡ଼େ ସନମାନେ ।। ୧୩୧ ।।

 

କହଇ ମାଧବ ଯେ ଦାସ ।

କୃଷ୍ଣ ଚରଣ କରି ଆଶ ।। ୧୩୨ ।।

 

ତୃତୀୟ ଅଧ୍ୟାୟ

 

ସାଧୁଏ ଶୁଣ ଥୟ କରି ।

ଗୀତଗୋବିନ୍ଦର ମାଧୁରୀ ।। ୧ ।।

 

ଜୟଦେବ ଯେ ଗୀତ କଲା ।

ଛାମୁରେ ରାହାସ ହୋଇଲା ।। ୨ ।।

 

ବହୁତ କାଳହୁଁ ଏ ନାଟ ।

ହୋଇଲା ଛାମୁରେ ପ୍ରକଟ ।। ୩ ।।

 

ଦିବାକର ସେ ବିପ୍ରବର ।

ପଣ୍ଡିତ ପଣେ ଆଗୁସାର ।। ୪ ।।

 

ସଭାରେ ପାତିଲା ଆସନ ।

ଗୀତଗୋବିନ୍ଦ ରଚେ ପୁଣ ।। ୫ ।।

 

ରାଜାର ଅଟେ ପ୍ରିୟ ପାଟ ।

ରଚିଲା ଏକ ଗୀତ ନାଟ ।। ୬ ।।

 

 

ରାଜାର ନାମେଣ ଭଣିଲା ।

ବହୁତ ମେଲାଣି ପାଇଲା ।। ୭ ।।

 

ଶ୍ରୀଗୀତଗୋବିନ୍ଦ ନାଟଏ ।

ଅଭିନବ ଗୀତ ବୋଲାଏ ।। ୮ ।।

 

ଆଗ ଗୀତଗୋବିନ୍ଦ ନାଟ ।

ରାଜାର ନିଷେଧ ପ୍ରକଟ ।। ୯ ।।

 

ରାଜାର ଗୀତନାଟ ହେବ ।

ଆଗ ପଦକୁ ନ ବୋଲିବ ।। ୧୦ ।।

 

କାଳେ ସେ ରାଜା ସ୍ୱର୍ଗ ଗଲା ।

ରାଜାର ଗୀତେ ବିଘ୍ନ ହେଲା ।। ୧୧ ।।

 

ଜୀବଦେବ ସେ ବିପ୍ରବର ।

ବିଦ୍ୟା ବିବାଦେ ମତିତାର ।। ୧୨ ।।

 

ରୁଦ୍ରଦେବକୁ ଜଣାଇଲା ।

ଏ ନାଟ ନୁହଁଇଟି ଭଲା ।। ୧୩ ।।

 

 

ସେବକ ବୋଇଲେ କେମନ୍ତା ।

ଏ ନାଟ ସେ ନାଟ ନୋହନ୍ତା ।। ୧୪ ।।

 

ଦୁଇ ପୋଥି ଛାମୁରେ ଦେଲେ ।

ଭଲ ଭେଲ ବାଛ ବୋଇଲେ ।। ୧୫ ।।

 

ଶ୍ରୀଛାମୁରେ ପୋଥି ରଖାଇ ।

କବାଟ କିଳିଲେକ ତହିଁ ।। ୧୬ ।।

 

ଅନ୍ୟ ଦିବସ ପ୍ରଭାତରେ ।

ସେବକ ଦେଖିଲେ ଚକ୍ଷୁରେ ।। ୧୭ ।।

 

ବଡ଼ଠାକୁର ଗୀତପୋଥି ।

ତଳରେ ଅଛଇଟି ଲୋଟି ।। ୧୮ ।।

 

ଜୟଦେବର ଗୀତ ନାଟ ।

ଉପରେ ଅଛଇ ପ୍ରକଟ ।। ୧୯ ।।

 

ସେବକେ ଯାଇ ଜଣାଇଲେ ।

ଶ୍ରୀରୁଦ୍ରଦେବ ଆଦେଶିଲେ ।। ୨୦ ।।

 

 

ଏ ନାଟ ସେ ନାଟ ହୋଇବ ।

କାହାକୁ ଛାଡ଼ିଣ ନ ଦେବ ।। ୨୧ ।।

 

ବଡ଼ ଠାକୁର ଗୀତନାଟ ।

ଠାକୁର ଭୋଗବେଳେ ଖଟ ।। ୨୨ ।।

 

ସଞ୍ଜ ଧୂପରୁ ଆରମ୍ଭିବ ।

ବଡ଼ସିଂଘାରେ ଶେଷ ହେବ ।। ୨୩ ।।

 

ଅନ୍ୟ ବେଳରେ ଗୀତକରି ।

ଶ୍ରୀଗୀତଗୋବିନ୍ଦ ଉଭାରି ।। ୨୪ ।।

 

ବଡ଼ଠାକୁର ସଂପରଦା ।

କପିଳେଶ୍ୱର ସଂପରଦା ।। ୨୫ ।।

 

ପୁରୁଣା ନାଚୁଣୀ ସଂପ୍ରଦା ।

ତେଲିଙ୍ଗୀ ନାଚୁଣୀ ସଂପ୍ରଦା ।। ୨୬ ।।

 

ନାଚୁଣୀ ଏମାନ ଗାଇବେ ।

ଠାକୁରଙ୍କୁ ଗୀତ ବୋଲିବେ ।। ୨୭ ।।

 

 

ଏ ନାଟ ଭିତରକେ ଜାଣ ।

ଶ୍ରୀଗତଗୋବିନ୍ଦ ଗାୟଣ ।। ୨୮ ।।

 

ମଧୁର ଜୟଦେବ ଗୀତ ।

ବୈଷ୍ଣବ ଗାଆଣ ମାନନ୍ତ ।। ୨୯ ।।

 

ଗାଇବେ ଏହୁ ରସ ଗୀତ ।

ଶିଖିବେ ଯେତେ ଅଶିକ୍ଷିତ ।। ୩୦ ।।

 

ଏ ତହୁଁ ଆନ ନ ହୋଇବ ।

ପରୀଚ୍ଛା ସାବଧାନ ହେବ ।। ୩୧ ।।

 

ରାଜାର ଏହୁଟି କଳ୍ପନା ।

ପ୍ରଚାରିଲେ ସେବକେ ସିନା ।। ୩୨ ।।

 

ଜୟ ବିଜୟ ଦ୍ୱାର ଭାଗେ ।

ଖୋଳାଇଲେ ଲେଖା ସରାଗେ ।। ୩୩ ।।

 

ଜୟଦେବର ରସ ଗୀତ ।

ତା ତହୁଁ କାହିଁ ଅନ୍ୟଗୀତ ।। ୩୪ ।।

 

 

ଦିନତମାମ ସେ ବୋଲିବେ ।

ବୈଷ୍ଣବ ସେବକେ ରସିବେ ।। ୩୫ ।।

 

ରାଜାର ଚାରିଅଙ୍କେ ଜାଣ ।

ଏହୁଟି ହୋଇଲା ଭିଆଣ ।। ୩୬ ।।

 

କବିଚନ୍ଦ୍ର ରାୟ ଦିବାକର ।

ରାଜାକୁ ବୋଲେ ସେ ସତ୍ତ୍ୱର ।। ୩୭ ।।

 

ଭୋ ରାଜା ଏଥେ ଗୋଳକଲେ ।

ସେବକେ କଥା ନ ମାନିଲେ ।। ୩୮ ।।

 

ରାଜା ସେ ଜାଣିଣ ମଉନ ।

କବିଚନ୍ଦ୍ର ଯେ ଅପମାନ ।। ୩୯ ।।

 

ଛାଡ଼ିଲା ରାଜାର ମୁହାଁସ ।

ଚଳି ଗଲାକ ସେ ବିଦେଶ ।। ୪୦ ।।

 

ଜୀବଦେବ ମହାହରଷ ।

ସେବକେ ହୋଇଲେ ସନ୍ତୋଷ ।। ୪୧ ।।

 

 

ଏ ତହୁଁ କିଛିଦିନ ଗତେ ।

ବଡ଼ଠାକୁର ବୋଲି ଗୀତେ ।। ୪୨ ।।

 

ପୋଥିରେ ଡୋରି ବନ୍ଧାହେଲା ।

ସେଥେ କେହୁ ନ ରସେ ଭଲା ।। ୪୩ ।।

 

ସବୁ ବୈଷ୍ଣବ ସଂପରଦା ।

ଜୟଦେବର ଗୀତ ସୁଧା ।। ୪୪ ।।

 

ଦେଉଳେ ଏହୁ ନାଟ ହେଲା ।

ଅନ୍ୟ ଗୀତ ହିଁ ନ ଚଳିଲା ।। ୪୫ ।।

 

ସକଳେ ହେଲେ ଆନନ୍ଦିତ ।

ଭକତି ଭାବେ ପ୍ରମୋଦିତ ।। ୪୬ ।।

 

ଏଥୁ ଅନ୍ତରେ ରସ ଶୁଣ ।

ପ୍ରେମଧନକୁ ମନେ ଘେନ ।। ୪୭ ।।

 

ମାଧବେନ୍ଦ୍ର ନାମେ ବୈଷ୍ଣବ ।

ତାହାର ଚରିତ ଦୁର୍ଲଭ ।। ୪୮ ।।

 

 

ନରସିଂହ ଦେବ ଯେ ରାଜା ।

ସେ କରେ ଗୋବର୍ଦ୍ଧନେ ପୂଜା ।। ୪୯ ।।

 

ଆଣିଲା ଗୋପାଳ ମୂରତି ।

ରେମୁଣା କଟକେ ବସତି ।। ୫୦ ।।

 

ଗୋପାଳ ମୂର୍ତ୍ତି ସେ ଥାପିଲା ।

ଅନେକ ଭୋଗ ଅରପିଲା ।। ୫୧ ।।

 

କାଳେ ଅଇଲା ମାଧବେନ୍ଦ୍ର ।

ସୁଖ୍ୟାତ ସାଧୁ ଅତି ଭଦ୍ର ।। ୫୨ ।।

 

ଗୋପାଳ ମୂର୍ତ୍ତି ସନ୍ନିଧିରେ ।

ମୂର୍ଚ୍ଛାଗଲା ସେ ମତିଭୋଳେ ।। ୫୩ ।।

 

ଏଡ଼େକ ଲାବଣ୍ୟ ମୂରତି ।

ଝରଇ ଯୁଗଳ ପୀରତି ।। ୫୪ ।।

 

ଗୋପାଳ ମୂର୍ତ୍ତିକି ଅନାଇ ।

ନିଶି ରେ ଅନିଦ୍ରା ରହଇ ।। ୫୫ ।।

 

 

ସେବକେ ନ ଦେଲେକ ଭୋଗ ।

ମାତ୍ରକ ତହିଁ ତା ସରାଗ ।। ୫୬ ।।

 

କବାଟ କିଳି ଗଲେ ଘରେ ।

ମାଧବ ରହେ ଅଭୁକ୍ତରେ ।। ୫୭ ।।

 

ଅର୍ଦ୍ଧରାତ୍ରରେ ସ୍ଵପ୍ନ ହେଲା ।

ସେବକ ଦ୍ଵାର ଫିଟାଇଲା ।। ୫୮ ।।

 

ଦେଖିଲା ଅଞ୍ଚଳ ଉହାଡ଼େ ।

କ୍ଷୀରୀ କୁଡୁଆ ଯେ ନିବାଡ଼େ ।। ୫୯ ।।

 

ଗୋପାଳର କୃପା ଦେଖିଣ ।

ସେବକ ଆଚମ୍ବିତ ପୁଣ ।। ୬୦ ।।

 

ସଧୀରେ ପ୍ରଣିପାତ ହେଲା ।

ଗୋପାଳ ମହିମା ବୋଇଲା ।। ୬୧ ।।

 

ଡକା ପାରିଲା ଉଚ୍ଚସ୍ୱରେ ।

ଭକତ କେ ଅଛ ଏଠାରେ ।। ୬୨ ।।

 

 

ମାଧବ ସରାଗେ ଉଠଇ ।

ଗୋପାଳ ନାମ ଭଜୁ ଥାଇ ।। ୬୩ ।।

 

ସେବକ ଭାଣ୍ଡ ତଳେ ଥୋଇ ।

ମାଧବ ପାଦେଣ ପଡ଼ଇ ।। ୬୪ ।।

 

ତୁ ଅଟୁ ଗୋପାଳର ପ୍ରିୟ ।

ଭକତ ଶ୍ରେଷ୍ଠ ଭୋଗ ନିଅ ।। ୬୫ ।।

 

ତୋ ଠାଇଁ କଲି ମୁଁ ଅପ୍ରାଧ ।

ପାଇଲି ଗୋପାଳର କ୍ରୋଧ ।। ୬୬ ।।

 

ମନୁ ସକଳ ଶୋକ ଖେଦ ।

ଭୁଞ୍ଜ ତୁ ଏବେ ଏ ପ୍ରସାଦ ।। ୬୭ ।।

 

ପ୍ରସାଦ ନୁହଇ ଅମୃତ ।

କର ପସରାରେ ପୂରିତ ।। ୬୮ ।।

 

ମାଧବ ଭୁଞ୍ଜେ ତୋଷକରି ।

ଗୋପାଳ ନାମ ହୃଦେ ସ୍ମରି ।। ୬୯ ।।

 

 

ପ୍ରଭାତୁ ଉଠିଣ ସେବକ ।

ମାଧବ ପାଦେ ପଡ଼ିଲାକ ।। ୭୦ ।।

 

ଶୁଣିଲେ ଏହା ସର୍ବଜନ ।

ମିଳିଲେ ମାଧବେ ତକ୍ଷଣ ।। ୭୧ ।।

 

ଏଡ଼େ ଭଗତ କାହିଁଥିଲା ।

କେତେ ପୁଣ୍ୟ ଏ କରିଥିଲା ।। ୭୨ ।।

 

ଗୋପାଳ ଭଗତର ପାଇଁ ।

କ୍ଷୀର କୁଡ଼ୁଆ ରଖିଲଇଁ ।। ୭୩ ।।

 

ସର୍ବେ ହୋଇଣ ଏକମେଳି ।

ମାଧବ ପାଦେ ମତି ଢାଳି ।। ୭୪ ।।

 

କଲେକ କୀର୍ତ୍ତନ ଯେ ତହିଁ ।

ମାଧବେ କରମ୍ବିତ ହୋଇ ।। ୭୫ ।।

 

କ୍ଷୀରଚୋରା ଏ ଗୋପୀନାଥ ।

ଲୋକରେ ହୋଇଲା ପ୍ରଘଟ ।। ୭୬ ।।

 

 

ଅନେକ ବରଷ ଯାପିଲା ।

କ୍ଷୀର ଚୋରାରେ ଧ୍ୟାନ କଲା ।। ୭୭ ।।

 

ରାଘବ ଈଶ୍ୱର ଶିଷ୍ୟ ତାର ।

ଆସି ମିଳିଲେ ରେମୁଣାର ।। ୭୮ ।।

 

ଭବାନନ୍ଦ ଯେ ଆମନ୍ତ୍ରିଲା ।

ଆସ ତୁ ମୋ ଗ୍ରାମେ ବୋଇଲା ।। ୭୯ ।।

 

ସକଳ ମାର୍ଗ ପୁରସ୍ତମ ।

ବେଣ୍ଟପୁର ଗ୍ରାମେ ବିଶ୍ରାମ ।। ୮o ।।

 

ମାଧବ ଈଶ୍ୱର ରାଘବ ।

ଅତିଥି ଗୁରୁ ଶିଷ୍ୟ ଭାବ ।। ୮୧ ।।

 

ଭବାନନ୍ଦର ପୁରେ ହେଲେ ।

କୀର୍ତ୍ତନ ବେଣ୍ଟପୁରେ କଲେ ।। ୮୨ ।।

 

ମୃଦଙ୍ଗ ଗିନି ତାଳ ଦେଇ ।

ହରେ ରାମ କୃଷ୍ଣ ଚିତ୍ତୋଇ ।। ୮୩ ।।

 

 

ରହିଲେ ତହିଁ ପକ୍ଷ ଏକ ।

ଫଗୁଣ ମାସ ଚାରିଅଙ୍କ ।। ୮୪ ।।

 

ଏଥୁ ଅନ୍ତରେ ଶୁଣ ରସ ।

କ୍ଷୁଦ୍ର ଏ ଚରିତ ବିଶେଷ ।। ୮୫ ।।

 

ମୋହର ଗ୍ରାମ ଖଣ୍ଡପଡ଼ା ।

ବୟସ ଏକୋଇଶ ହେଲା ।। ୮୬ ।।

 

ପିତାମାତା ମୋ କାଳ ହେଲେ ।

ବଞ୍ଚିବି କିପରି ମୁଁ ଭଲେ ।। ୮୭ ।।

 

ସଂସାରେ ଦରିଦ୍ରଟି ମୁଇଁ ।

ଶାଖା ସୋଦର କେହି ନାହିଁ ।। ୮୮ ।।

 

କରିବି କିସ ଭାଳିଲଇଁ ।

ବୁଦ୍ଧିଏ ମନରେ ଦିଶଇ ।। ୮୯ ।।

 

ଯିବାକୁ କ୍ଷେତ୍ରେ ମନ ଦେଲି ।

ହୃଦରେ ସାହସ ଧଇଲି ।। ୯୦ ।।

 

 

ପ୍ରଭାତୁ ଗ୍ରାମରୁ ବାହାର ।

ହେଲି ମୁଁ ପଥୁକୀ ବାଟର ।। ୯୧ ।।

 

ଗ୍ରାମ ପର୍ବତ ବିଲ ବଣ ।

କେତେ ଯେ ଅତିକ୍ରମି ପୁଣ ।। ୯୨ ।।

 

ଯେ ଯାହା ଦିଏ ମୁଁ ଭୁଞ୍ଜଇ ।

ତହିଁକି ବାରଣ ନ ଥାଇ ।। ୯୩ ।।

 

ଦଶଦିନରେ ଆସି ହେଲି ।

ବେଣ୍ଟପୁରରେ ବିଶ୍ରାମିଲି ।। ୯୪ ।।

 

ହେଲା ସାୟଂକାଳ ମୁହୂର୍ତ୍ତ ।

ମାଧବ ରାଘବ ସମେତ ।। ୯୫ ।।

 

ଭବାନନ୍ଦର ଦ୍ୱାର ଭାଗେ ।

କୀର୍ତ୍ତନ କରଇ ସରାଗେ ।। ୯୬ ।।

 

କୀର୍ତ୍ତନ ଦେଖିଲି ମୁଁ ଭୋଳେ ।

ରାତି ଅନିଦ୍ରା ମତି ଦୃଢ଼େ ।। ୯୭ ।।

 

 

ପ୍ରଭାତୁ ଗଲି ମୁଁ ସଧୀରେ ।

ପଡ଼ିଲି ଗୋସାଇଁ ପୟରେ ।। ୯୮ ।।

 

ବୋଇଲି ପ୍ରଭୁ ରକ୍ଷାକର ।

ମୁଁ ତୋର ପାଦର କିଙ୍କର ।। ୯୯ ।।

 

କୀର୍ତ୍ତନ ତୁଲେ ମୋତେ ନିଅ ।

ହରି ନାମ ମୋତେ ଶିଖାଅ ।। ୧୦୦ ।।

 

ମାଧବ ଗୋସାଇଁ ଶୁଣିଲେ ।

ଉଠ ଉଠ ବୋଲି ବୋଇଲେ ।। ୧୦୧ ।।

 

ମସ୍ତକେ ମୋର ହାତ ଦେଲେ ।

ପିଠିରେ ହାତ ବୁଲାଇଲେ ।। ୧୦୨ ।।

 

ବୋଇଲା ବାଳୁତ ବୟସ ।

କୀର୍ତ୍ତନେ ତୋର କାର୍ଯ୍ୟ କିସ ।। ୧୦୩ ।।

 

ଯାଅ ତୁ ଭବାନନ୍ଦ ପାଶେ ।

ତୋର ଉଦନ୍ତ ବୁଝିବ ସେ ।। ୧୦୪ ।।

 

 

ଭବାନନ୍ଦର ପାଶେ ହେଲି ।

ପୟରେ ଦଣ୍ଡବତ କଲି ।। ୧୦୫ ।।

 

ଭବାନନ୍ଦ ଯେ ବରଗିଲା ।

ରାମାନନ୍ଦେ ବୋଲ ବୋଇଲା ।। ୧୦୬ ।।

 

ରାମାନନ୍ଦ ତା ଜ୍ୟେଷ୍ଠ ସୁତ ।

ବସଇ ହୋଇ ପୋଥିହସ୍ତ ।। ୧୦୭ ।।

 

ମୁଁ ଯାଇ ଜଣାଇଲି ଦୁଃଖ ।

ଚାହେଁ ସେ ମୋତେଟି ନିରେଖ ।। ୧୦୮ ।।

 

ବୋଇଲା ରହ ତୁ ମୋ ପାଶ ।

କରଣ ପିଲା ତୁ ବିଶେଷ ।। ୧୦୯ ।।

 

ଯିବୁ ତୁ କାହିଁ ଏଥେ ରହ ।

ପଢ଼ିବା ପରି ଦିଶେ ମୁହଁ ।। ୧୧୦ ।।

 

ପାଠ ମୁଁ କିଛି ପଢ଼ିନାହିଁ ।

ପଢ଼ାଇଲା ପାଠ ନିଠାଇ ।। ୧୧୧ ।।

 

 

ପଢ଼ିଲି ପାଠ ମୁଁ ଥୋକାଏ ।

ଧଇଲି ତାଳପତ୍ର ଖେଦାଏ ।। ୧୧୨ ।।

 

ବୋଇଲା ମୋ ପାଶେ ତୁ ଥିବୁ ।

ମୋହର ବେଭାର ବୁଝିବୁ ।। ୧୧୩ ।।

 

ରହିଲି ତାକୁ ଅନୁସରି ।

କାୟାକୁ ଏକ ଛାୟା ପରି ।। ୧୧୪ ।।

 

ମାଧବପୁରୀ କ୍ଷେତ୍ରୁ ଗଲେ ।

ରେମୁଣା କଟକେ ହୋଇଲେ ।। ୧୧୫ ।।

 

ଗୋପୀନାଥ ମୂର୍ତ୍ତି ସମୀପେ ।

କୀର୍ତ୍ତନ କରୁଥାଇ ନିତ୍ୟେ ।। ୧୧୬ ।।

 

ପ୍ରେମରେ ମତି ଜର ଜର ।

ନୟନୁ ଝରେ ଅଶ୍ରୁ ଧାର ।। ୧୧୭ ।।

 

କାଳେ ସେ କଲା ସ୍ଵର୍ଗବାସ ।

ପାଞ୍ଚଅଙ୍କ ଫଗୁଣ ମାସ ।। ୧୧୮ ।।

 

 

ରାଜା ଯେ ବହୁ ଦୁଃଖ କଲା ।

ଭବାନନ୍ଦକୁ ହକାରିଲା ।। ୧୧୯ ।।

 

ବୋଇଲା ମାଧବ ଗୋସାଇଁ ।

ସ୍ଵର୍ଗ ଚଳିଲା ନାମ ଗାଇ ।। ୧୨୦ ।।

 

ଧନ୍ୟ ତା ଜୀବନ ବେଭାର ।

ଧନ୍ୟ ତା କୀର୍ତ୍ତି ଥାପିଲାର ।। ୧୨୧ ।।

 

ବହୁତ ଦୁଃଖ ସେହୁ କଲା ।

ସଦଗତି ହେଉ ବୋଇଲା ।। ୧୨୨ ।।

 

ବର୍ଣ୍ଣିତ ରାମରାୟ ପୋଥା ।

ପଣ୍ଡିତ ପଣେ ସାମରଥା ।। ୧୨୩ ।।

 

ରଚିଲା ବହୁ ନାଟଗୀତ ।

ଗୀତେ ବଲ୍ଲଭ ଜଗନ୍ନାଥ ।। ୧୨୪ ।।

 

ରାଜାର କରେ ଅରପିଲା ।

ରାଜା ସେ ଧନ୍ୟ ଧନ୍ୟ କଲା ।। ୧୨୫ ।।

 

 

ରାଜା ଯେ ସନମତ ହେଲେ ।

ଗୀତ ନାଟ କର ବୋଇଲେ ।। ୧୨୬ ।।

 

ଆଠଅଙ୍କ ଫଗୁଣ ମାସ ।

ଜଗନ୍ନାଥ ବଲ୍ଲଭେ ରାସ ।। ୧୨୭ ।।

 

ଦୋଳଉତ୍ସବ ଦେଉଳରେ ।

ପାଞ୍ଚଦିନ ନାଟ ମନ୍ଦିରେ ।। ୧୨୮ ।।

 

ହେଲାକ ଏହୁ ନାଟ ଗୀତ ।

ରାଜା ହୋଇଲେ ହରଷିତ ।। ୧୨୯ ।।

 

ରାୟ ପଦ ରାମାନନ୍ଦରେ ।

ଦେଲେକ ରାଜା ସରାଗରେ ।। ୧୩୦।।

 

ସୁନାର ଛଡ଼ି ଏକ ଦେଲେ ।

ରାଧାକୃଷ୍ଣ ଭକତି ଭୋଳେ ।। ୧୩୧ ।।

 

ରାୟର ନାଟକ ଦେଖିଣ ।

ସେବକେ କଲେ ଧନ୍ୟ ଧନ୍ୟ ।। ୧୩୨ ।।

 

 

ନଅ ଅଙ୍କରେ ଆଜ୍ଞା ହେଲେ ।

ରାଜମନ୍ଦ୍ରୀ ଯାଅ ବୋଇଲେ ।। ୧୩୩ ।।

 

ରାଜମଇନ୍ଦ୍ରୀ ରାଜ୍ୟ ବୁଝ ।

ଲୋକେ ଅଶାନ୍ତି ସେ ରାଇଜ ।। ୧୩୪ ।।

 

ରାମ ରାୟ ଯେ ରାଜା ହେଲେ ।

ରାଜମନ୍ଦ୍ରୀ ଭାର ବୁଝିଲେ ।। ୧୩୫ ।।

 

ମୋତେ ଯେ ସେହୁ ଦୟା କଲେ ।

ଆସ ତୁ ସଙ୍ଗେଣ ବୋଇଲେ ।। ୧୩୬ ।।

 

କାଳ ତ୍ରୟୋଦଶ ଅଙ୍କେଣ ।

ଦୃଭିକ୍ଷ ଦେଲାକ କଷଣ ।। ୧୩୭ ।।

 

ସଇନୀ ଅଭୁକ୍ତ ରହିଲେ ।

ବହୁତ ଲୋକ କ୍ଷୟ ଗଲେ ।। ୧୩୮ ।।

 

ରାମରାୟର ଯତ୍ନ ଫଳେ ।

ବଞ୍ଚିଲେ ମାନବ ଶୟଳେ ।। ୧୩୯ ।।

 

 

ଭବାନନ୍ଦ ଯେ ସ୍ଵର୍ଗ ଗଲେ ।

ରାମାନନ୍ଦ ଯେ କ୍ରିୟା କଲେ ।। ୧୪୦ ।।

 

ଗୋପୀନାଥ ଯେ ବାଣୀନାଥ ।

ରାଜକାର୍ଯ୍ୟକୁ ସାମରଥ ।। ୧୪୧ ।।

 

କଳାନିଧି ଯେ ସୁଧାନିଧି ।

କ୍ଷେତ୍ରି ବିଦ୍ୟାକୁ ଦେଲେ ବୁଦ୍ଧି ।। ୧୪୨ ।।

 

ଭକତି ଭାବ ରାମାନନ୍ଦ ।

ସର୍ବଦା କୀର୍ତ୍ତନେ ଆନନ୍ଦ ।। ୧୪୩ ।।

 

ଗୋଦାବରୀ ଘାଟେ ସ୍ନାହାନ ।

କରଇ ନାମ ସେ ଭଜନ ।। ୧୪୪ ।।

 

ସାଧୁ ବୈଷ୍ଣବ ସଙ୍ଗ ମେଳେ ।

ପଢ଼ଇ ଗୀତ ନାଟ ଭୋଳେ ।। ୧୪୫ ।।

 

ଜୟଦେବର ଗୀତପୋଥି ।

ବିଲ୍ୱମଙ୍ଗଳ ରସଗୀତି ।। ୧୪୬ ।।

 

 

ନିରନ୍ତର ବସି ଗୁଣଇ ।

ନାମ ଭଜନେ ମନ ଦେଇ ।। ୧୪୭ ।।

 

ରାଧାକୃଷ୍ଣ ପ୍ରେମେ ମଜଇ ।

ତା ତହୁଁ ଆନ ନ ଜାଣଇ ।। ୧୪୮ ।।

 

ରାଜା ଆସିଣ ତରଜିଲେ ।

ସଇନୀ ଭେଳାଅ ବୋଇଲେ ।। ୧୪୯ ।।

 

ଗଳାରେ ଲାଗିଲାଟି ଫାଶ ।

ତୁ ବୋଲୁ ଏବେ କୃଷ୍ଣ ରସ ।। ୧୫୦ ।।

 

ଏତେବେଳେ ଏ ଭଲ ନୋହେ ।

ସଇନୀ ସଜାଅ ବେଢ଼ାଏ ।। ୧୫୧ ।।

 

କହଇ ମାଧବ ଯେ ଦାସ ।

ଶୁଣ ଭକତେ ଆନରସ ।। ୧୫୨ ।।

 

Unknown

ଚତୁର୍ଥ ଅଧ୍ୟାୟ

 

ରୁଦ୍ରଦେବ ଯେ ଗଜପତି ।

ପ୍ରତାପଦେବ ନାମ ଖ୍ୟାତି ।। ୧ ।।

 

ବିଷ୍ଣୁ ଅଂଶରୁ ସେହୁ ଜାତ ।

ସୂର୍ଯ୍ୟବଂଶୀ ଯେ ନାମ ଖ୍ୟାତ ।। ୨ ।।

 

ତ୍ରିଭୁବନରେ ଜଣେ ନୃପ ।

ବଡ଼ାଇ ତାହାର ଅମାପ ।। ୩ ।।

 

ସକଳ ରାଜା ବଶ କଲେ ।

ବେଣ୍ଟ ଭିଆଣେ ତରଜିଲେ ।। ୪ ।।

 

ମହା ପ୍ରତାପୀ ମହାତେଜା ।

ସୁଖେ ପାଳଇ ଜନପ୍ରଜା ।। ୫ ।।

 

ସହସ୍ରେ ବୀର ଘଣ୍ଟ ଘେନି ।

ଦକ୍ଷିଣେ ଚଳିଲାକ ପୁଣି ।। ୬ ।।

 

 

ଉଦେଗିରି ଚନ୍ଦ୍ରଗିରିରେ ।

କଟକ କଲା ପ୍ରତାପରେ ।। ୭ ।।

 

ପଦର ଅଙ୍କେ କୃଷ୍ଣରାୟ ।

ସଙ୍ଗତେ ଯୁଝେ ଉପରାୟ ।। ୮ ।।

 

ଉତ୍ତରୁ କାଜି ଇସିମାଲି ।

ଚହଟି ଆସି କ୍ଷେତ୍ରବୋଲି ।। ୯ ।।

 

ପ୍ରଭୁଙ୍କୁ ଘେନିବି ବୋଇଲା ।

ମହାସଙ୍କଟ ଉପୁଜିଲା ।। ୧୦ ।।

 

ସେବକେ ନେଇ ଲୁଚାଇଲେ ।

ଗଡ଼ କେଙ୍କଳେ ଯାଇ ହେଲେ ।। ୧୧ ।

 

ହସ୍ତୀରେ ବସାଇ ବିଗ୍ରହ ।

ଚଳେ ନୃସିଂହ ଉପରାୟ ।। ୧୨ ।।

 

ଚିଲିକା ହରଦ ମଧ୍ୟର ।

ଚଢ଼େଇ ଗୁମ୍ଫାକ ଭିତର ।। ୧୩ ।।

 

 

ବିଗ୍ରହମାନ ଲୁଚାଇଲେ ।

ପାତ୍ରେକ ଦକ୍ଷିଣେ ଗମିଲେ ।। ୧୪ ।।

 

କୃଷ୍ଣାବେଣୀ ନଦୀ କୂଳର ।

ରାଜାକୁ ବୋଲେ ସମାଚାର ।। ୧୫ ।।

 

ଶୁଣି ପ୍ରତାପ ନୃପବର ।

କ୍ରୋଧେ ବଚନ ଉଦଗାର ।। ୧୬ ।।

 

ମୁଁ ଥାଉ ଏହା କି ବେଭାର ।

ପ୍ରଭୁକୁ ଯବନେ ଅର୍ପିଲ ।। ୧୭ ।।

 

ଚଢ଼େଇ ଗୁହା ବୋଲି ଜାଣି ।

ଶୁଣି ଥମ୍ବିଲା ନୃପମଣି ।। ୧୮ ।।

 

ଗଡ଼ କେଙ୍କଳେ ଆସି ମିଳେ ।

ଦର୍ଶନ କରଇ କାତରେ ।। ୧୯ ।।

 

ବୋଇଲା ପ୍ରଭୁ କୃପା କର ।

ଏ ରାଜ୍ୟ ଅଟଇ ତୋହର ।। ୨୦ ।।

 

 

ତୋ ବଳେ ମୁଇଁ ବଳିୟାର ।

ମାରିବି ଯବନଙ୍କୁ ଛାର ।। ୨୧ ।।

 

ଜଗନ୍ନାଥେ ନାମ ଡାକରେ ।

ଚଳଇ ନୃପ ଖରତରେ ।। ୨୨ ।।

 

ମ୍ଳେଚ୍ଛମାନନ୍ତ ଘଉଡ଼ିଲା ।

ମନ୍ଦାରଗଡ଼ ବୋଲି ଗଲା ।। ୨୩ ।।

 

ଲେଉଟି ଅଇଲା ତୁରିତ ।

ଦକ୍ଷିଣେ ଗମିଲା ଯାବନ୍ତ ।। ୨୪ ।।

 

ସମର ହେଲା ଘୋରତର ।

ନୃପତି ହେଲେକ କାତର ।। ୨୫ ।।

 

ବୋଇଲେ ପ୍ରଭୁ ରକ୍ଷାକର ।

ଏ ରାଜ୍ୟ ଅଟଇ ତୋହର ।। ୨୬ ।।

 

ସଦା ନାମକୁ ସୁମରଇ ।

ପ୍ରଭୁର ପାଦେ ଚିତ୍ତ ଦେଇ ।। ୨୭ ।।

 

 

ଏ କାଳେ କ୍ଷେତ୍ରେ ଆସି ମିଳେ ।

ନବୀନ ଯତି ଭକ୍ତମେଳେ ।। ୨୮ ।।

 

ନାମ ତା କୃଷ୍ଣ ଚଇତନ୍ୟ ।

ସାକ୍ଷାତ ଈଶ୍ୱର ସମାନ ।। ୨୯ ।।

 

ଜଗନ୍ନାଥଙ୍କୁ ସେ ଦେଖିଣ ।

ପ୍ରେମରେ ହୋଏ ଅଚେତନ ।। ୩୦ ।।

 

ସାର୍ବଭୌମ ଯେ ହାବୁଡ଼ିଲେ ।

ସାଷ୍ଟାମେ ଯତି ଶାନ୍ତ ହେଲେ ।। ୩୧ ।।

 

ଆପଣା ଭବନକୁ ନେଲେ ।

ଭଗତ ଜନେ ଆସି ହେଲେ ।। ୩୨ ।।

 

ଗଲେ ଦେଉଳ ଦରଶନେ ।

ପ୍ରସାଦ ଭୁଞ୍ଜିଲେ ଆପଣେ ।। ୩୩ ।।

 

କ୍ଷେତ୍ର ଏକ ମାସ ଅବଧି ।

ଶାସ୍ତ୍ର ଚରଚା କଲେ ବୁଦ୍ଧି ।। ୩୪ ।।

 

 

ମାସକ ରହିଲେ କ୍ଷେତ୍ରର ।

ଦେଉଳେ କରଇ ସଞ୍ଚାର ।। ୩୫ ।।

 

ବଟଗଣେଶ ମୂଳେ ବସେ ।

ଜଗନ୍ନାଥ ଦାସ ପ୍ରତକ୍ଷେ ।। ୩୬ ।।

 

ରାହାସ ମଣ୍ଡପ ନିର୍ମାଣି ।

ରାଧାକୃଷ୍ଣ ମୂର୍ତ୍ତି ଥାପଣି ।। ୩୭ ।।

 

ଭାଗବତ ରଚନା କରେ ।

ଭଗତେ ଶୁଣନ୍ତି ସଧୀରେ ।। ୩୮ ।।

 

ଭାଗବତର ଭାବ ଯେତେ ।

ମଧୁର ସ୍ଵରେ ଗାଏ ନିତ୍ୟେ ।। ୩୯ ।।

 

ଦିନେକ ସଞ୍ଜ ଅବକାଶେ ।

ଭଗତେ ରୁଣ୍ଡ ଯେ ବିଶେଷେ ।। ୪୦ ।।

 

ଭାଗବତ ଅର୍ଥ ବଖାଣେ ।

ଆସି ମିଳିଲେ ଚଇତନ୍ୟେ ।। ୪୧ ।।

 

 

ଭାଗବତ ଅର୍ଥ ଶୁଣିଲେ ।

ସ୍ୱାମୀର ଭାବ ସେ ବୁଝିଲେ ।। ୪୨ ।।

 

ନୟନ ଅଶ୍ରୁ ଜର ଜର ।

ଅଙ୍ଗେଣ ପୁଲକ ଅପାର ।। ୪୩ ।।

 

ଜଗନ୍ନାଥର ଏତେ ଭାବ ।

ଚୈତନ୍ୟ କଲେ ତାହା ଠାବ ।। ୪୪ ।।

 

ବୋଇଲେ ତୁ ଭକତ ଶ୍ରେଷ୍ଠ ।

ଭକତି ଭାବେ ମତି ପୁଷ୍ଟ ।। ୪୫ ।।

 

ତୋ ଭାବ ମୁଁ କାହୁଁ ପାଇବି ।

ତୋହର ସଙ୍ଗ ନ ଛାଡ଼ିବି ।। ୪୬ ।।

 

ଅଢ଼େଇ ପ୍ରହର ପର୍ଯ୍ୟନ୍ତେ ।

ଦୁହେଁ ରହିଲେ କୋଳାଗ୍ରତେ ।। ୪୭ ।।

 

ଦୁହେଁ ଏକତ୍ର ଠାବେ ବସି ।

ପରସ୍ପରକୁ ପ୍ରଶଂସନ୍ତି ।। ୪୮ ।।

 

 

ସ୍ଵାମୀ ତୁ ବୋଇଲା ଚୈତନ୍ୟ ।

ପ୍ରଭୁ ତୁ ବୋଇଲା ଆପଣ ।। ୪୯ ।।

 

ସମୁଦ୍ରେ ନଦୀ ଯେ ମିଶିଲା ।

ଭାବ ତରଙ୍ଗ ଉଭାରିଲା ।। ୫୦ ।।

 

ସାର୍ବଭୌମ ସଙ୍ଗେ ମିଳିଣ ।

କଲେକ ଶାସ୍ତ୍ର ଯେ ପଠନ ।। ୫୧ ।।

 

ମହାତାର୍କିକ ନ୍ୟାୟବେତ୍ତା ।

ସାର୍ବଭୌମ ଯେ ସର୍ବଜ୍ଞାତା ।। ୫୨ ।।

 

ଶାନ୍ତ ସ୍ୱଭାବ ଅପ୍ରମାଦ ।

ପ୍ରଭୁ ସଙ୍ଗତେ ବିଦ୍ୟାବାଦ ।। ୫୩ ।।

 

ପ୍ରଭୂର ଭକତି ଦେଖିଲା ।

ଅନ୍ତରେ ସର୍ବ ପ୍ରମାଣିଲା ।। ୫୪ ।।

 

ଭକତି କଥା ପରସଙ୍ଗେ ।

ପ୍ରଭୁ ସାତ୍ତ୍ୱିକ ଭାବ ଅଙ୍ଗେ ।। ୫୫ ।।

 

 

କମ୍ପଇ ଓଠ ସ୍ୱେଦ ଅଙ୍ଗ ।

ବେପଥୁ ଭାବ ନୃତ୍ୟରଙ୍ଗ ।। ୫୬ ।।

 

ଦେଖିଣ ସାର୍ବଭୌମ ବୋଲେ ।

ତୁହିକି ପ୍ରଭୁ ସ୍ଵୟଂ ହେଳେ ।। ୫୭ ।।

 

ଭଗତି ଭାବ ମୁଁ ନ ଜାଣେ ।

ଶୁଷ୍କ ଅନ୍ତରେ ପରିମାଣେ ।। ୫୮ ।।

 

ସ୍ଵାମୀ ସଙ୍ଗତେ କାଳଭୋଗୀ ।

ପ୍ରଭୁ ବୋଇଲା ତୀର୍ଥ ଯିବି ।। ୫୯ ।।

 

ଦକ୍ଷିଣ ଦେଶ ଯେବେ ଯିବ ।

ରାମରାୟ ସଙ୍ଗ ଲଭିବ ।। ୬୦ ।।

 

ସେ ଜାଣେ ଭକତିର ତତ୍ତ୍ୱ ।

ରାଗମାର୍ଗେ ତା ମତିରତ ।। ୬୧ ।।

 

କୀର୍ତ୍ତନ ତତ୍ତ୍ୱ ନ ଜାଣଇ ।

ରାମ ରାୟ ସବୁ ଜାଣଇ ।। ୬୨ ।।

 

 

ଯେବେ ଦକ୍ଷିଣ ଦେଶ ଯିବ ।

ରାମ ରାୟ ସହ ଭେଟିବ ।। ୬୩ ।।

 

ଗଲା ସେ ଦକ୍ଷିଣ ଭ୍ରମଣ ।

ମିଳି ଗୋଦାବରୀ କୂଳେଣ ।। ୬୪ ।।

 

ସ୍ନାନ ଶଉଚ ହୋଇସାରି ।

ବଟ ମୂଳେ ଆସନ ପାରି ।। ୬୫ ।।

 

ସ୍ୱଭାବେ ଗଉର ତା କାନ୍ତି ।

ବାଳସୂର୍ଯ୍ୟକୁ ଆଣେ ଭ୍ରାନ୍ତି ।। ୬୬ ।।

 

ସୁବର୍ଣ୍ଣେ ନିର୍ମାଣିଲା ପରା ।

ଦିଶଇ ଅଙ୍ଗ ତାର ଗୋରା ।। ୬୭ ।।

 

ବାହୁ ଲମ୍ବଇ ଜାନୁ ସରି ।

ଆୟତ ଲୋଚନ ଉଭାରି ।। ୬୮ ।।

 

ବ୍ରହ୍ମତେଜ ଯେ ଝଟକଇ ।

ଅଧରୁ ହାସ୍ୟ ଝରୁଥାଇ ।। ୬୯ ।।

 

 

ଏକାଳେ ରାମରାୟ ବିଜେ ।

ନଦୀ ଘାଟରେ ଅଙ୍ଗ ମାଜେ ।। ୭୦ ।।

 

ସଙ୍ଗତେ ପରିବାରୀ ଜନ ।

ବାଜଇ ଟମକ ନିଶାଣ ।। ୭୧ ।।

 

ଘାଟରୁ ଉଠେ ରାମରାୟ ।

ହାନ୍ଦୋଳା ମଧ୍ୟେ ବିଜେ ରାୟ ।। ୭୨ ।।

 

ବୃକ୍ଷ ମୂଳରୁ ଉଠି ଧାଇଁ ।

ଚୈତନ୍ୟ ଆସିଣ ମିଳଇ ।। ୭୩ ।।

 

ତୁମେ କି ଅଟ ରାମରାୟ ।

ଦିଶୁଅଛ ରାଜା ପରାୟ ।। ୭୪ ।

 

ତକ୍ଷଣେ ଦୁହେଁ କୋଳ ହେଲେ ।

ମେଘେ ବିଦ୍ୟୁତ କି ମିଶିଲେ ।। ୭୫ ।।

 

ତୁମରେ ଆସି ମୁଁ ମିଳିଲି ।

ଭାଗ୍ୟକୁ ମୋହର ଦେଖିଲି ।। ୭୬ ।।

 

 

ରାମରାୟ ଯେ ବୋଲେ ଆପେ ।

ଆସ ହୋ ମୋହର ସମୀପେ ।। ୭୭ ।।

 

ଅତିଥି ହୋଇ ଏଥେ ରହ ।

କରିବା ଶାସ୍ତ୍ର ପରିଚୟ ।। ୭୮ ।।

 

ଭାଗ୍ୟକୁ ମୋହର ଆସିଲ ।

ସାଧୁର ସଙ୍ଗ ମୋତେ ଦେଲ ।। ୭୯ ।।

 

ଦୁହେଁ ଆଳାପେ ରତ ହେଲେ ।

ଦଶଦିନ କାଳ ଯାପିଲେ ।। ୮o ।

 

ପଚାରେ ଗୋରା ନାନା ଅର୍ଥ ।

ରାମରାୟ କହେ ଉଦନ୍ତ ।। ୮୧ ।।

 

ଭକତି ମାର୍ଗର ଯେ ବିଧି ।

ରାଗ ମାର୍ଗର ଯେ ଅବଧି ।। ୮୨ ।।

 

ବହୁତ ତତ୍ତ୍ୱ ବଖାଣିଲା ।

ବହୁତ ସମାଚାର ଦେଲା ।। ୮୩ ।।

 

 

ଗୋପୀ ଭଗତି ଭାବ ଯେତେ ।

ଶ୍ରୀଭାଗବତ ଶ୍ଳୋକମତେ ।। ୮୪ ।।

 

ସାଧ୍ୟ ସେ ନିରୂପଣ କଲା ।

ଭଜନ ଉପାୟ ବାଢ଼ିଲା ।। ୮୫ ।।

 

ବ୍ରହ୍ମସଂହିତା କର୍ଣ୍ଣାମୃତ ।

ଗୋବିନ୍ଦ ଜୟଦେବ ଗୀତ ।। ୮୬ ।।

 

ରାଗ ମାର୍ଗର ଭାବ ଯେତେ ।

ସବୁ ସେ ବୋଇଲା ତୁରିତେ ।। ୮୭ ।।

 

ଭକତି ଭାବ ଗରୀୟସୀ ।

କହଇ ପ୍ରେମ ପରସଂଶି ।। ୮୮ ।।

 

ପ୍ରେମ ପୁରୁଷାର୍ଥ ଉଦନ୍ତ ।

ଭକତି ମାର୍ଗର ପର୍ଯ୍ୟନ୍ତ ।। ୮୯ ।।

 

ରାୟ କହଇ କାନ୍ତାପ୍ରେମ ।

ଭଜନ ମାର୍ଗ ଏ ଉତ୍ତମ ।। ୯୦ ।।

 

 

କାନ୍ତାଭାବେ କୃଷ୍ଣ କୀର୍ତ୍ତନ ।

ସାଧନ ମାର୍ଗ ସମାପନ ।। ୯୧ ।।

 

ତଥାପି ଗୋରା ନ ବୁଝିଲା ।

ଆଉ ବାଟ କହି ବୋଇଲା ।। ୯୨ ।।

 

ଶେଷେ ରାମରାୟ ଭଣଇ ।

ରାଧା ପ୍ରେମ ସାଧ୍ୟ ଅଟଇ ।। ୯୩ ।।

 

ମଧୁର ରାଧାର ଯେ ଭାବ ।

ରାୟ କହିଲାକ ସରବ ।। ୯୪ ।।

 

କୃଷ୍ଣ ଶକ୍ତି ଅଟଇ ତିନି ।

ସନ୍ଧିନୀ ସମ୍ବନ୍ଧି ଲାଦିନୀ ।। ୯୫ ।।

 

ଲାଦିନୀ ଅଟଇ କୃଷ୍ଣର ।

ସ୍ଵରୂପ ଶକ୍ତି ଏ ବେଭାର ।। ୯୬ ।।

 

ଲାଦିନୀ ଆନନ୍ଦ ଅଟଇ ।

କୃଷ୍ଣକୁ ଆନନ୍ଦ ଦିଅଇ ।। ୯୭ ।।

 

 

ଲାଦିନୀ ଶକ୍ତିଟି ରାଧିକା ।

ପ୍ରେମରେ ହୁଅଇ ନିଶଙ୍କା ।। ୯୮ ।।

 

ଆନନ୍ଦ ଆଲାଦିନୀ ରାଧା ।

କୃଷ୍ଣରେ ମୋହଇ ସର୍ବଦା ।। ୯୯ ।।

 

ଆଲାଦିନୀର ସାର ଧନ ।

କୃଷ୍ଣ ଅଟଇଟି ଜୀବନ ।। ୧୦୦ ।।

 

ସକଳ କାନ୍ତା ଶିରୋମଣି ।

ମହାଭାବର ସ୍ୱରୂପିଣୀ ।। ୧୦୧ ।।

 

କୃଷ୍ଣ ତା ଭିତରେ ବାହାରେ ।

କୃଷ୍ଣ ଦେଖଇ ସକଳରେ ।। ୧୦୨ ।।

 

ମହାଭାବ ଅଟଇ ଦୁଇ ।

ରୁଢ଼ ଅଧିରୁଢ଼ ବୋଲାଇ ।। ୧୦୩ ।।

 

ଅଧିରୁଢ଼ ମହାଭାବର ।

ଚରମ ମାଦନ ବେଭାର ।। ୧୦୪ ।।

 

 

ରାଧା ଅଟଇଟି ମାଦନ ।

ମହାଭାବ ଏ ନିରୂପଣ ।। ୧୦୫ ।।

 

ମହାଭାବ ଏ ଚିନ୍ତାମଣି ।

ରାଧାର ସ୍ଵରୂପ ବଖାଣି ।। ୧୦୬ ।।

 

ଏକ ସେ ଲୀଳା ବେନିଭାବ ।

ରାଧାର ଭାବ ଅନୁରାଗ ।। ୧୦୭ ।।

 

ରାଧାର ଅନୁଗତ ହୋଇ ।

ଅବଶ୍ୟ କୃଷ୍ଣ ସେହୁ ପାଇ ।। ୧୦୮ ।।

 

ତା ତହୁଁ ନାହିଁ ଅନ୍ୟ ବାଟ ।

ଏହୁଟି ଶାସ୍ତ୍ରର ପ୍ରକଟ ।। ୧୦୯ ।।

 

କୃଷ୍ଣ ବିରହେ ରାଧା ଝୁରେ ।

ଚକ୍ଷୁ ଲୋତକ ତହୁଁ ଝରେ ।। ୧୧୦ ।।

 

ଗୋବିନ୍ଦ ବିରହ ଯେ କଥା ।

ତା ତହୁଁ ନାହିଁ ଅନ୍ୟ ପନ୍ଥା ।। ୧୧୧ ।।

 

 

ସେ ଭାବେ ଯେ କୃଷ୍ଣ ଭଜଇ ।

ଅବଶ୍ୟ କୃଷ୍ଣ ସେ ଲଭଇ ।। ୧୧୨ ।।

 

ପରମତତ୍ତ୍ୱ ମୁଁ କହିଲି ।

ଭକତି ମାର୍ଗ ବିସ୍ତାରିଲି ।। ୧୧୩ ।।

 

ଆଉ କି ଅଛି ତୋର ଶଙ୍କା ।

ପଚାର ହୋଇଣ ନିଶଙ୍କା ।। ୧୧୪ ।।

 

ତୁଇ କି ଅଟୁ ସ୍ଵୟଂ ପ୍ରଭୁ ।

ମନ ମୋ ହୃଦଚିତ୍ତେ ବିଭୁ ।। ୧୧୫ ।।

 

ତୁ ଅଟୁ ରାଧା ଅବତାର ।

ସ୍ଵରୂପ ଆସ୍ୱାଦ ତୋହର ।। ୧୧୬ ।।

 

ପ୍ରଭୁ ବୋଲଇ କହ କହ ।

ରାଧାର ଭାବ ଯେ ଦୁଃସହ ।। ୧୧୭ ।।

 

ଶୁଣିବି ତୋର ମୁଖୂ ମୁହିଁ ।

ସଂଶୟ ଖଣ୍ଡିବି ଚିତ୍ତୋଇ ।। ୧୧୮ ।।

 

 

ରାମରାୟ ଯେ ପଦ ବୋଲେ ।

ରାଗନୟନ ରଙ୍ଗ ଭେଲେ ।। ୧୧୯ ।।

 

ପହିଲହିଁ ରାଗ ନୟନ ରଙ୍ଗ ଭେଲ

ଅନୁଦିନ ବାଢ଼ଲ ଅବଧି ନା ଗେଲ ।।

 

ନା ସୋ ରମଣ ନା ହମ ରମଣୀ

ଦୁହୁଁ ମନ ମନୋଭବ ପେଶଲ ଜାନି, ।।

 

ଏ ସଖି ସୋ ସବ ପ୍ରେମ କାହାନୀ ।।

କାନୁଠାମେ କହବି ବିଛୁରଲ ଜାନି

 

ନା ଖୋଜଲୁଁ ଦୁତୀ ନା ଖୋଜଲୁଁ ଆନ

ଦୁହୁଙ୍କ ମିଲନ ମଧ୍ୟେତେ ପଞ୍ଚବାଣ ।।

 

ଅବ ସୋ ବିରାଗେ ତହୁଁ ଭେଲି ଦୁତୀ

ସୁପୁରୁଷ ପ୍ରେମକ ଐଛନ ରୀତି ।।

 

ବର୍ଦ୍ଧନ ରୁଦ୍ର ନରାଧିପ ମାନ,

ରାମାନନ୍ଦ ରାୟ କବି ଭାନ ।।

 

 

ରାୟ ବୋଲଇ ସୁରଦେଇ ।

ବିଭୋଳେ ପ୍ରଭୁ ଶୁଣୁଥାଇ ।। ୧୨୦ ।।

 

କମ୍ପଇ ପ୍ରଭୁର ସର୍ବାଙ୍ଗ ।

ଲୋତକେ ଚିନ୍ତାଇଣ ଅଙ୍ଗ ।। ୧୨୧ ।।

 

ବେପଥୁ ଭାବେ ଅଙ୍ଗରାଗ ।

କଦମ୍ବ କେଶର ସରାଗ ।। ୧୨୨ ।।

 

ରାୟର ମୁଖେ ହାତ ଦେଲା ।

କହି ବୋଇଲା ହେଉହେଲା ।। ୧୨୩ ।।

 

ରାୟକୁ ଆଲିଙ୍ଗନ କଲା ।

କାଳେ ସେ ସାଷ୍ଟାମ ହୋଇଲା ।। ୧୨୪ ।।

 

ପରମ ତତ୍ତ୍ୱ ଯେ କହିଲ ।

ସଂଶୟ ଅଶେଷ ଖଣ୍ଡିଲ ।। ୧୨୫ ।।

 

ପ୍ରଭୁ ବୋଇଲା ତୁ ମୋ ଗୁରୁ ।

ଶିଖିଲି ତତ୍ତ୍ୱ ତୋ ମୁଖରୁ ।। ୧୨୬ ।।

 

 

ଗୁରୁ ପରାଏ ସ୍ମରୁଥିବି ।

କ୍ଷଣେ ମନରୁ ନ ଛାଡ଼ିବି ।। ୧୨୭ ।।

 

ଅଧମ ରାୟେ ଶୂଦ୍ର ଜାଣ ।

ମୁ ଛାର ଶାସ୍ତ୍ର ପ୍ରମାଣ ।। ୧୨୮ ।।

 

ଗୁରୁ ପଣରେ ଗଣ କାହିଁ ।

ଅଧମ ମୁଇଁଟି ଅଟଇ ।। ୧୨୯ ।।

 

ପ୍ରଭୁ ବୋଇଲା ଶିଖାଇଲ ।

ପରମ ଉପଦେଶ ଦେଲ ।। ୧୩୦ ।।

 

ତୁମର ମହିମା ଶୁଣିଲି ।

ତୁମରଠାକୁ ଯେ ଅଇଲି ।। ୧୩୧ ।।

 

ପ୍ରତ୍ୟକ୍ଷ କଲି ସବୁ ତତ୍ତ୍ୱ ।

ପ୍ରେମଧନ ଯେ ରସାବର୍ତ୍ତ ।। ୧୩୨ ।।

 

ଲାଦିନୀ ଶକ୍ତିର ଯେ କଥା ।

ଏ ମାନ କାହୁଁଟି ମିଳନ୍ତା ।। ୧୩୩ ।।

 

 

ଗୁରୁ ମୋର ହେଲ ଆଜୁହିଁ ।

ଦ୍ୱିଜରେ ଭ୍ରମ ଉପୁଜଇ ।। ୧୩୪ ।।

 

ଏମନ୍ତେ ଦଶଦିନ ଗଲା ।

ତଦନ୍ତେ ଦକ୍ଷିଣେ ଗମିଲା ।। ୧୩୫ ।।

 

ସେତୁବନ୍ଧ ଯେ ରାମେଶ୍ୱର ।

ଶ୍ରୀରଙ୍ଗ ଉଡୁପି ଶଙ୍କର ।। ୧୩୬ ।।

 

ପୀଠମାନନ୍ତ କେତେ ହେଲା ।

ଦକ୍ଷିଣ ପ୍ରୟାଗେ ମିଳିଲା ।। ୧୩୭ ।।

 

ଅନେକ ତୀର୍ଥମାନ ଭ୍ରମି ।

ହରିନାମରେ ଅନୁକ୍ରମି ।। ୧୩୮ ।।

 

କୃଷ୍ଣକଥା ଯେ ରସସାର ।

କୀର୍ତ୍ତନ ନାମ ଯେ ପ୍ରସାର ।। ୧୩୯ ।।

 

ଆସି ହେଲା ରାଜମନ୍ଦ୍ରୀର ।

ରାମରାୟକୁ ବୋଲେ ଚାଲ ।। ୧୪୦ ।।

 

 

ଏଥେଟି ନ ରହ ତୁ କ୍ଷଣେ ।

ରାଜକାର୍ଯ୍ୟ ଛାଡ଼ ତକ୍ଷଣେ ।। ୧୪୧ ।।

 

ବଞ୍ଚିବା ନୀଳାଚଳେ ଦିନ ।

ତୋ ବିନା ଗୁରୁ ଅକାରଣ ।। ୧୪୨ ।।

 

ରାୟ ବୋଇଲା ହେଉ ହେଲା ।

ଆଗେ ଯାଅ ବୋଲି ବୋଇଲା ।। ୧୪୩ ।

 

ପ୍ରଭୁ ଯେ ଲେଉଟି ଅଇଲା ।

ନୀଳାଚଳରେ ଆସି ହେଲା ।। ୧୪୪ ।।

 

ରାଜାର ଊନବିଂଶ କାଳେ ।

ରାୟ ମିଳଇ ନୀଳାଚଳେ ।। ୧୪୫ ।।

 

ରାଜା ବୋଇଲା ଭଲ ହେଲା ।

ମନ୍ଦିର ଭାର ସମର୍ପିଲା ।। ୧୪୬ ।।

 

ମନ୍ଦିର ହାନି ଲାଭ ବୁଝ ।

ଏଥେ ତୋହର ସିନା କାର୍ଯ୍ୟ ।। ୧୪୭ ।।

 

 

ରାମରାୟ ଯେ ଅଙ୍ଗୀକାର ।

ବୁଝଇ ମନ୍ଦିର ବେଭାର ।। ୧୪୮ ।।

 

ଶ୍ରୀଜୀବଦେବକୁ ହକାରି ।

ତୁ ଯାଅ ରାଜମହେନ୍ଦିରୀ ।। ୧୪୯ ।।

 

ସେଠାଇଁ ରାଜକାର୍ଯ୍ୟ ବୁଝ ।

ସଇନିବଳ ବାନ୍ଧି ଜୁଝ ୧୫୦ ।।

 

ଜୀବଦେବକୁ ପଦ ଦେଲା ।

ବାହିନୀପତି ଏ ବୋଇଲା ।। ୧୫୧ ।।

 

ଜୀବଦେବ ଯେ ସାମରଥା ।

ଭଗତି ଭାବ ରସକଥା ।। ୧୫୨ ।।

 

ରାଜଗୁରୁ ସେ ଅଟଇଟି ।

କବି ଡିଣ୍ଡିମ ବୋଲାଇଟି ।। ୧୫୩ ।।

 

ବହୁତ କାବ୍ୟ ନାଟ କଲା ।

କବିତା ଶକ୍ତି ପ୍ରକାଶିଲା ।। ୧୫୪ ।।

 

 

ଭକତି ବୈଭବ ନାଟକ ।

ଉତ୍ସାହବତୀ ଯେ ରୂପକ ।। ୧୫୫ ।।

 

ଦେଉଳେ ନାଟ ଏହୁ ହେଲା ।

ରାଜାର ମେଲାଣି ଲଭିଲା ।। ୧୫୬ ।।

 

ରହିଲା ରାଜମହେନ୍ଦ୍ରୀରେ ।

ସଇନିବଳ ଠୁଳ କରେ ।। ୧୫୭ ।।

 

ରାମରାୟ ଯେ କ୍ଷେତ୍ରେ ରହି ।

ସାଧୁ ବୈଷ୍ଣବେ ବୁଝୁଥାଇ ।। ୧୫୮ ।।

 

ରଚିଲା ସେ ଏକ ମଣ୍ଡପ ।

ଉତ୍ତର ପାରୁଶ ସମୀପ ।। ୧୫୯ ।।

 

ତହିଁ ବୈଷ୍ଣବେ ଗୋଷ୍ଠୀ ହେଲେ ।

କୃଷ୍ଣ ରସରେ ମତିଦେଲେ ।। ୧୬୦ ।।

 

ଦିନ ବଞ୍ଚିଲେ କୃଷ୍ଣ ରସେ ।

କହଇ ମାଧବ ହରଷେ ।। ୧୬୧ ।।

 

ପଞ୍ଚମ ଅଧ୍ୟାୟ

 

ଊନବିଂଶ ଅଙ୍କ ବିଷୟେ ।

ଶୁଣ ସୁଜନେ ମନ ଥୟେ ।। ୧ ।।

 

ପ୍ରତାପରୁଦ୍ର ଗଜପତି ।

ରଥଯାତ୍ରାକୁ ବିଜେ ହୋନ୍ତି ।। ୨ ।।

 

ନବୀନ ବୟ ଯତି କଥା ।

ଶୁଣେ ରାମ ରାୟ ଠାରୁ ତା ।। ୩ ।।

 

ନବୀନ ସନ୍ୟାସୀ ଆସିଲା ।

ବୁଢ଼ା ଲେଙ୍କା ଯେ ବଖାଣିଲା ।। ୪ ।।

 

ଚଢ଼ଉ ଆଣି ପାଞ୍ଜି ପଢେ ।

କୁମାର ଯତି କଥା ବାଢ଼େ ।। ୫ ।।

 

ଅଛଇ ସେହୁ ଏହି ସ୍ଥାନେ ।

ସାରିଣ ଦକ୍ଷିଣ ଭ୍ରମଣେ ।। ୬ ।।

 

 

ରାଜା ବୋଇଲା ହେଉ ହେଲା ।

ଛେରା ପହଁରାକୁ ଚଳିଲା ।। ୭ ।।

 

ଛେରା ପହଁରାଏ ରଥର ।

ଦେଖିଲେ କୀର୍ତ୍ତନ ଗୋରାର ।। ୮ ।।

 

ଦେଖିଣ ଆଚମ୍ବିତ ହେଲେ ।

ଚୈତନ୍ୟ ତୁଲେ ଭେଟ ହେଲେ ।। ୯ ।।

 

ରାମ ରାୟ ଯେ ସଙ୍ଗତରେ ।

ଅଛଇ ପ୍ରଭୁ ନିକଟରେ ।। ୧୦ ।।

 

କହ୍ନାଇ ଦାସ ଜଗନ୍ନାଥ ।

ବଳରାମ ଯେ ଯଶୋବନ୍ତ ।। ୧୧ ।।

 

ସ୍ଵରୂପ ଅଚ୍ୟୁତ ଅନନ୍ତ ।

ଭଉଁରୀ ରଘୁ ଅରକ୍ଷିତ ।। ୧୨ ।।

 

ଗଦାଧର ଯେ ଶିବାନନ୍ଦ ।

ସଙ୍ଗତେ ଅପାର ଆନନ୍ଦ ।। ୧୩ ।।

 

 

ରାଜା ଗୋରାକୁ ସମ୍ଭାଷିଲେ ।

କୀର୍ତ୍ତନ ଦେଖି ତୋଷ ହେଲେ ।। ୧୪ ।।

 

ବୋଇଲେ ଏ ଭଲ ବେଭାର ।

ହରି ନାମ ଯେ ଏହୁ ସାର ।। ୧୫ ।।

 

କୀର୍ତ୍ତନ ଏଥେ କରୁଥିବ ।

ଏ ତହୁଁ ଆନ ନ କରିବ ।। ୧୬ ।।

 

ଚୈତନ୍ୟ ବୋଇଲେ ଭୋ ନୃପ ।

ତୁମ୍ଭେ ଜଗନ୍ନାଥ ସେବକ ।। ୧୭ ।।

 

ଏ ତହୁଁ ବଡ଼ କଥା କାହିଁ ।

ନିଧି ପାଇଲି ଧନ୍ୟ ମୁହିଁ ।। ୧୮ ।।

 

ରାୟକୁ ନୃପ ବରଗିଲେ ।

ଯତିର କଥା ବୁଝ ଭଲେ ।। ୧୯ ।।

 

କାଶୀ ମିଶ୍ରେ ଡାକି ହକାରୀ ।

ଚୈତନ୍ୟେ ରଖ ଯତ୍ନ କରି ।। ୨୦ ।।

 

 

ନୃପ ଯେ ଏହା ଆଦେଶିଲେ ।

କାଶୀ ମିଶ୍ର ପୁରେ ରଖିଲେ ।। ୨୧ ।।

 

ମନ୍ଦିର ନିକଟ ଏ ସ୍ଥାନ ।

ଯତି ପ୍ରାପତ ଶଯ୍ୟାସନ ।। ୨୨ ।।

 

ରାଧାର ଭାବ ଆସ୍ୱାଦନେ ।

ଗମନ୍ତି ନୀଳାଚଳ ବନେ ।। ୨୩ ।।

 

କଟିରେ ମେଖଳାଏ ବାନ୍ଧେ ।

ସୂତ୍ରକୁ ଗଣ୍ଠିଆଳେ ଛନ୍ଦେ ।। ୨୪ ।।

 

ନିତ୍ୟ ଲକ୍ଷେ ନାମ ଜପଇ ।

ପ୍ରଭାତୁ କୀର୍ତ୍ତନ କରଇ ।। ୨୫ ।।

 

ସୁଖେ ବଞ୍ଚଇ କୃଷ୍ଣ ରସେ ।

ମଣ୍ଡପ ଉତ୍ତର ପାରୁଶେ ।।୨୬ ।।

 

ଏଥୁ ଅନ୍ତରେ ଶୁଣ ଜନେ ।

ଚୈତନ୍ୟ ବୋଲେ କିଛିଦିନେ ।। ୨୭ ।।

 

 

ଯିବି ମୁଁ ଏଥୁ ଉତ୍ତରକୁ ।

ଲେଉଟି ଆସିବି କ୍ଷେତ୍ରକୁ ।। ୨୮ ।।

 

ରାୟ ଯେ ତାହା ସଙ୍ଗେ ଗଲା ।

କଟକେ ଛାଡ଼ିଣ ଅଇଲା ।। ୨୯ ।।

 

ରେମୁଣା କଟକେଣ ହୋଇ ।

ଚୈତନ୍ୟ ରାମକେଳି ଯାଇ ।। ୩୦ ।।

 

ରୂପ ସନାତନ ଭେଟିଲା ।

ରାଜକାର୍ଯ୍ୟ ଯେ ଛଡ଼ାଇଲା ।। ୩୧ ।।

 

ତୁମେ ଦୁଇ ଭାଇ ପଣ୍ଡିତ ।

କୃଷ୍ଣରସକୁ ଯୋଗ୍ୟ ଅଟ ।। ୩୨ ।।

 

ସେଠାରୁ ଲେଉଟି ଅଇଲେ ।

କ୍ଷେତ୍ରରେ ଆସିଣ ହୋଇଲେ ।। ୩୩ ।।

 

ସକଳେ ହେଲେକ ସନ୍ତୋଷ ।

ରାମ ରାୟ ଯେ କାଶୀ ମିଶ୍ର ।। ୩୪ ।।

 

 

ଏ ତହୁଁ କିଛି ଦିନ ଅନ୍ତେ ।

ପ୍ରୟାଗ ଯିବାକୁ ଉଦ୍ୟତେ ।। ୩୫ ।।

 

ଅରଣ୍ୟ ବାଟରେ ସେ ଗଲେ ।

ପ୍ରୟାଗେ ଯାଇଣ ମିଳିଲେ ।। ୩୬ ।।

 

ରୂପକୁ ଭେଟିଲେ ସେ ସ୍ଥାନେ ।

ବିଶ୍ରାମ କଲେ ଦଶ ଦିନେ ।। ୩୭ ।।

 

ବୋଇଲେ ରୂପକୁ ତୁ ଆସ ।

ନୀଳାଚଳରେ ପରକାଶ ।। ୩୮ ।।

 

ଚୈତନ୍ୟ ଲେଉଟି ଅଇଲେ ।

ନୀଳାଚଳରେ ଆସି ହେଲେ ।। ୩୯ ।।

 

ରୂପ ଅଇଲେ ଦିନାନ୍ତରେ ।

ରେମୁଣା ଭଦ୍ରକ ମାର୍ଗରେ ।। ୪୦ ।।

 

ନୀଳାଚଳରେ ରୂପ ରହେ ।

କୃଷ୍ଣବର୍ଣ୍ଣ ତା ଖର୍ବକାୟେ ।। ୪୧ ।।

 

 

ଶାସ୍ତ୍ରରେ ତାର ଅନୁରାଗ ।

ସାଧୁ ବୈଷ୍ଣବରେ ସରାଗ ।। ୪୨ ।।

 

ଚୈତନ୍ୟ ନେଲେ ରାୟ ପାଶେ ।

ବୋଇଲେ ରୂପ ଏ ପ୍ରକାଶେ ।। ୪୩ ।।

 

ଏହାକୁ ତତ୍ତ୍ୱ ଶିକ୍ଷା ଦିଅ ।

ରସର ମାର୍ଗଟି ବତାଅ ।। ୪୪ ।।

 

ରାୟ ରୂପକୁ ସମ୍ଭାଷିଲେ ।

ରସ ତତ୍ତ୍ୱ ଯେ ଶିକ୍ଷା ଦେଲେ ।। ୪୫ ।।

 

ଶାନ୍ତ ସଖ୍ୟ ଯେ ବାତ୍ସଲ୍ୟ ।

ଦାସ୍ୟ ମଧୁର ଓ ଶ୍ରାବଲ୍ୟ ।। ୪୬ ।।

 

ମୋଟ୍ଟାକ୍ଷିତ କିଳକିଞ୍ଚିତ ।

ଆଉ ଯେତେକ ତତ୍ତ୍ୱମତ ।। ୪୭ ।।

 

ଗଭୀର ଏ ପରମ ତତ୍ତ୍ୱ ।

ଲୋକେ ବେଦରେ ଅପ୍ରକଟ ।। ୪୮ ।।

 

 

ରାୟ ଯେ ରସତତ୍ତ୍ୱ ବେତ୍ତା ।

ରୂପ ସେ ସବୁଟି ବୁଝନ୍ତା ।। ୪୯ ।।

 

ଉର୍ବର କ୍ଷେତ୍ର ଭାବ ଜାଣି ।

ବୀଜ ବୁଣଇ ପରିମାଣି ।। ୫୦ ।।

 

ରୂପ ଦଶମାସ ରହିଲା ।

ସ୍ୱାମୀ ଭାଗବତ ଶୁଣିଲା ।। ୫୧ ।।

 

ସ୍ୱାମୀର ଯେତେକ ସେ ଭାବ ।

ବେପଥୁ ରୋମାଞ୍ଚ ସ୍ୱଭାବ ।। ୫୨ ।।

 

ଭାଗବତ ପଦ ପଢ଼ଇ ।

ନୟନୁ ଲୋତକ ଝରଇ ।। ୫୩ ।।

 

ସ୍ୱାମୀ ଠୁଁ ଭଗତିର ତତ୍ତ୍ୱ ।

ଜାଣି ସେ ପରମ ସନ୍ତୋଷ ।। ୫୪ ।।

 

ଲେଖାଇ ନେଲା ପୋଥି ଯେତେ ।

ବ୍ରହ୍ମ ସଂହିତା କର୍ଣ୍ଣାମୃତେ ।।୫୫ ।।

 

 

କାଶୀ ମିଶ୍ର ଯେ ନ ସହିଲେ ।

ରୂପକୁ ପଠାଅ ବୋଇଲେ ।। ୫୬ ।।

 

ଯେତେକ ମ୍ଲେଚ୍ଛ ଆଚରଣ ।

ନ କରି ଜଗନ୍ନାଥ ଦର୍ଶନ ।। ୫୭ ।।

 

ମ୍ଲେଚ୍ଛ ରାଜାର ମନ୍ତ୍ରୀ ଏହି ।

ଏଥେ ଆଣଇ ଭକ୍ତ କହି ।। ୫୮ ।।

 

ଚୈତନ୍ୟ ବୋଲେ ରୂପ ଯାଅ ।

ଏଥେ ତୁ ଆଉଟି ନ ରହ ।। ୫୯ ।।

 

ବୃନ୍ଦାବନରେ ପୀଠ ଗଢ଼ ।

ଗ୍ରନ୍ଥ ରଚୁ ତୁ ମତି ଦୃଢ଼ ।। ୬୦ ।।

 

ରୂପ ଚଳିଲା ବୃନ୍ଦାବନେ ।

ଏଥେଟି ନ ରହିଲା କ୍ଷଣେ ।। ୬୧ ।।

 

ରାଜାର ଅଙ୍କ ଚଉବିଂଶେ ।

ଉତ୍ତରୁ ସନ୍ୟାସୀଏ ଆସେ ।। ୬୨ ।।

 

 

ନାମ ତା ଝୋଲିଆ କବୀର ।

କଷା ବସନ ଦେହେ ତାର ।। ୬୩ ।।

 

ତୁମ୍ବୁରା ଏକ ଧରି ଥାଏ ।

ମଧୁର ସ୍ଵରେ ଗୀତ ଗାଏ ।। ୬୪ ।।

 

ଜଗନ୍ନାଥରେ ଭାବ ତାର ।

ମତି ତା ବଡ଼ାଇ ଉଦାର ।। ୬୫ ।।

 

ସ୍ଵାମୀ ଯେ ଭଜନ ଶୁଣିଲେ ।

ପ୍ରେମେ ତାହାକୁ କୋଳ କଲେ ।। ୬୬ ।।

 

ବୋଇଲେ ମନୁଷ୍ୟ ସକଳ ।

ସମାନ ଅଟେ ଏ ଶୟଳ ।। ୬୭ ।।

 

କିବା ଚଣ୍ଡାଳ କିବା ଦ୍ଵିଜ ।

ସୃଷ୍ଟିରେ ସମାନ ସେ ହେଜ ।। ୬୮ ।।

 

କେବଳ ନାମେ ମତି ଥିଲେ ।

କୃଷ୍ଣ ମିଳଇ ଅବହେଳେ ।। ୬୯ ।।

 

 

ମୁକତି ବାଞ୍ଛା ନର୍କ ତୁଲ୍ୟ ।

ଇଷ୍ଟସେବା ଯେ ଅଟେ ମୂଳ ।। ୭୦ ।।

 

କବୀର ସନ୍ତୋଷ ଲଭିଲେ ।

ଜଗନ୍ନାଥରେ ମତି ଦେଲେ ।। ୭୧ ।।

 

ଚଳିଲେ ମାସକ ଅନ୍ତରେ ।

ରାଜାର ଚବିଶ ଅଙ୍କରେ ।। ୭୨ ।।

 

ଉତ୍ତରୁ ଆସେ ସନାତନ ।

ପ୍ରଭୁର ବଡ଼ ପ୍ରିୟ ଜାଣ ।। ୭୩ ।।

 

ମ୍ଲେଚ୍ଛ ରାଜାର ମନ୍ତ୍ରୀ ଥିଲେ ।

କାଳେ ବଇଷ୍ଣବ ହୋଇଲେ ।। ୭୪ ।।

 

ଶରୀରେ ତାର ଦୁଷ୍ଟ ବ୍ରଣ ।

ଆସଇ ଗୁଣ୍ଡିଚା ବେଳେଣ ।। ୭୫ ।।

 

ରଥ ତଳେ ସେହୁ ପଡ଼ିଲା ।

ପ୍ରାଣ ହରାଇବି ବୋଇଲା ।। ୭୬ ।।

 

 

ସ୍ୱରୂପ ତୁଳସୀ ଅଚ୍ୟୁତ ।

ଅନନ୍ତ ଆଉ ଯଶୋବନ୍ତ ।। ୭୭ ।।

 

ଉଠାଇ ତୋଳିଣ ଧଇଲେ ।

କେଡ଼େ କର୍ମ କରୁ ବୋଇଲେ ।। ୭୮ ।।

 

କୀର୍ତ୍ତନ ଗହ ଗହ ନାଦେ ।

ନ ଜାଣେ କେହି ଏ ସମ୍ବାଦେ ।। ୭୯ ।।

 

ପ୍ରଭୁ ଜାଣିଲା ତରଜିଲା ।

କିସ ତୋ ବେଭାର ଏ ଭଲା ।। ୮୦।।

 

ତୋ ତହୁଁ ପଣ୍ଡିତ କାହିଁଛି ।

ଦେଉଛୁ ଜୀବନ ମୁରୁଛି ।। ୮୧ ।।

 

ଏକ ବରଷ ସେ ରହିଲା ।

ଅନେକ ତତ୍ତ୍ୱ ସେ ବୁଝିଲା ।। ୮୨ ।।

 

ସ୍ୱାମୀ ତହୁଁ ଭକତି ତତ୍ତ୍ୱ ।

ଶିଖିଲା ସେହୁ ଅପ୍ରମିତ ।। ୮୩ ।।

 

 

କୃଷ୍ଣତବ୍ଧ ଯେ ସୃଷ୍ଟି ତତ୍ତ୍ୱ ।

ଜୀବ ତତ୍ତ୍ୱ ଯେ ଲୀଳାତତ୍ତ୍ୱ ।। ୮୪ ।।

 

ଜୀବ ଓ ବ୍ରହ୍ମ ଚିନ୍ତ୍ୟ ନୋହେ ।

ଜୀବ କୃଷ୍ଣର ଦାସ କହେ ।। ୮୫ ।।

 

ଭେଦାଭେଦ ତତ୍ତ୍ୱବଖାଣେ ।

ସନାତନ ଯେ ମୌନେ ଶୁଣେ ।। ୮୬ ।।

 

କୃଷ୍ଣର ଶକ୍ତିମାନ କହି ।

ଚିତ୍ତେ ଜୀବଶକ୍ତି ବୋଲାଇ ।। ୮୭ ।।

 

ମାୟା ଶକ୍ତି ଯେ ଅଛି ଏକ ।

ସ୍ଵାମୀ ବୁଝାଇଲେ ଅନେକ ।। ୮୮ ।।

 

ଲୀଳାମୟ ଗୁଣାବତାର ।

ଯୁଗ ଅବତାର ବେଭାର ।। ୮୯ ।।

 

କୃଷ୍ଣର ଐଶ୍ଵର୍ଯ୍ୟ ଯେ ଭାବ ।

ମାଧୁର୍ଯ୍ୟ ଭାବଟି ସ୍ଵଭାବ ।। ୯୦ ।।

 

 

ମଧୁର ଭାବର ଭଜନ ।

ସ୍ଵାମୀଯେ କଲେକ ବଖାଣ ।। ୯୧ ।।

 

ମଧୁର ଅଟଇ ସାଧନ ।

ଶ୍ରେଷ୍ଠ ସେ ବୋଲାଇଟି ପୁଣ ।। ୯୨ ।।

 

ଶ୍ରେଷ୍ଠରେ କୃଷ୍ଣର ପ୍ରକାଶ ।

ମନୁଷ୍ୟ ଲୀଳା ହିଁ ସରସ ।। ୯୩ ।।

 

କାମ ଗାୟତ୍ରୀ ମନ୍ତ୍ର ପଢ଼ ।

କୃଷ୍ଣରେ କରି ମତି ଦୃଢ଼ ।। ୯୪ ।।

 

ବଇଧି ମାର୍ଗକୁ ଛାଡ଼ିଣ ।

ରାଗ ମାର୍ଗେ କର ଭଜନ ।। ୯୫ ।।

 

ବୈଷ୍ଣବ ମୁକତି ନ ଚାହିଁ ।

କୃଷ୍ଣ ଦାସରେ ସେ ବାଞ୍ଛଇ ।। ୯୬ ।।

 

ତା ତହୁଁ କୃଷ୍ଣ ପ୍ରାପ୍ତ ହୋଇ ।

ମନର ସଂଶୟ ତୁଟଇ ।। ୯୭ ।।

 

 

ପ୍ରଭୁ ବୋଇଲେ ଏଥୁ ଯାଅ ।

ବୃନ୍ଦାବନେ ପୀଠ କରାଅ ।। ୯୮ ।।

 

ଚଳିଲା ତହୁଁ ସନାତନ ।

ଏକ ବରଷ ଅନ୍ତରେଣ ।। ୯୯ ।।

 

ଉତ୍ତରୁ ଅଇଲା ବଲ୍ଲଭ ।

ଗୋପାଳେ ତାର ଭକ୍ତିଭାବ ।। ୧୦୦ ।।

 

ସ୍ୱାମୀ ତୁଲେଣ ତାର ଭେଟ ।

କରନ୍ତି ଭାଗବତ ପାଠ ।। ୧୦୧ ।।

 

ଶ୍ରୀଜଗନ୍ନାଥେ ତାର ମତି ।

ଦର୍ଶନେ ସନ୍ତୋଷ ଲଭନ୍ତି ।। ୧୦୨ ।।

 

ଗୋପୀଜନ ବଲ୍ଲଭଟି ଏ ।

ରାଧା କୃଷ୍ଣ ମେଳ ବପୁଏ ।। ୧୦୩ ।।

 

ବଲ୍ଲଭ ସନ୍ୟାସୀ ବୁଝିଲେ ।

ଭକତି ଅରପିଲି ବୋଲେ ।। ୧୦୪ ।।

 

 

ମୋର ବିଶ୍ୱାସ ଗୋପୀଜନ ।

ବଲ୍ଲଭ ଜଗନ୍ନାଥ ଜାଣ ।। ୧୦୫ ।।

 

ରଥକୁ ଆସି ମାସ ଦୁଇ ।

ରହିଲେ ବଲ୍ଲଭ ଗୋସାଇଁ ।। ୧୦୬ ।।

 

କୀର୍ତ୍ତନ ଦେଖିଣ ପ୍ରଭୁର ।

ସନ୍ତୋଷ ଲଭିଲେ ଅପାର ।। ୧୦୭ ।।

 

ଇଷ୍ଟ ଗୋଷ୍ଠୀରେ ଆସି ହେଲେ ।

ବହୁତ ତତ୍ତ୍ୱ ସେ ବୁଝିଲେ ।। ୧୦୮ ।।

 

ଏଥୁ ଅନ୍ତରେ ଶୁଣ ରସ ।

ରାଜାର ଅଙ୍କ ସପ୍ତବିଂଶ ।। ୧୦୯ ।।

 

ଦିନେ ବସିଣ ଏକାନ୍ତରେ ।

ପ୍ରଭୁ ସ୍ଵାମୀକୁ ହିଁ ପଚାରେ ।। ୧୧୦ ।।

 

ସିଦ୍ଧାଙ୍ଗ ବାର୍ତ୍ତା ମୋତେ କହ ।

ତୋ ତହୁଁ ଭିନ୍ନ ମାତ୍ର ଦେହ ।। ୧୧୧ ।।

 

 

ସ୍ଵାମୀ ବୋଇଲେ ଭଲ ହେଲା ।

ପ୍ରଭୁ ବୋଲଇ କହ ଭଲା ।। ୧୧୨ ।।

 

ସ୍ଵାମୀ କହଇ ଏକାନ୍ତରେ ।

ଥିଲେକ ରାଧା ପାରୁଶରେ ।। ୧୧୩ ।।

 

କୃଷ୍ଣ ହୁଁ ରାଧା ନୋହେ ଭିନ୍ନ ।

ଅଛଇ ଏକାନ୍ତ ଭାବେଣ ।। ୧୧୪ ।।

 

ସଚ୍ଚିଦାନନ୍ଦ ଯେ ବିଗ୍ରହ ।

ରାଧା ସ୍ଵରୂପ ଏକ ଦେହ ।। ୧୧୫ ।।

 

ରାଧାକୁ ଅନାଇ ହସିଲା ।

କୃଷ୍ଣ ହାସ ସୁଧା ଝରିଲା ।। ୧୧୬ ।।

 

କୃଷ୍ଣର ହାସୁ ତୋ ଜନମ ।

ରାଧା ହାସରୁ ମୋର ଜନ୍ମ ।। ୧୧୭ ।।

 

କହିଲି ପୂର୍ବ ଅଙ୍ଗ କଥା ।

ଏ ତହୁଁ ନୁହଁଇ ଅନ୍ୟଥା ।। ୧୧୮ ।।

 

 

ପ୍ରଭୁ ଯେ ପ୍ରେମେ ଆଲିଙ୍ଗିଲା ।

ଏ ଅତି ବଡ଼ଟି ବୋଇଲା ।। ୧୧୯ ।।

 

ତୋହ ମୋହର ଏକ ପ୍ରାଣ ।

ଦେହଟି ମାତ୍ରକ ଯେ ଭିନ୍ନ ।। ୧୨୦ ।।

 

ଅତିବଡ଼ ଏ କଥା କହୁ ।

ଅତିବଡ଼ ହେଲୁ ଆଜହୁଁ ।। ୧୨୧ ।।

 

କାନ୍ଧରୁ ଉତ୍ତରୀ କାଢ଼ିଲା ।

ସ୍ଵାମୀ ମସ୍ତକେ ଭିଡ଼ିଦେଲା ।। ୧୨୨ ।।

 

ବୋଲେ ଏ ଅତି ବଡ଼ପଣ ।

ସ୍ଵାମୀ ତୁ ମୋହର ପରାଣ ।। ୧୨୩ ।।

 

ପ୍ରଭୁ ବୋଇଲା ସ୍ୱରୂପକୁ ।

ଏ ଅତିବଡ଼ ବୋଲିବାକୁ ।। ୧୨୪ ।।

 

ଆଉ ଯେତେକ ଭକ୍ତ ମେଳେ ।

ପ୍ରଭୁ ଅତିବଡ଼ ପ୍ରଚାରେ ।। ୧୨୫ ।।

 

 

କାଶୀ ମିଶ୍ର ଯେ ରାମ ରାୟେ ।

ଅଚ୍ୟୁତ ବଳରାମେ କହେ ।। ୧୨୬ ।।

 

ଅନନ୍ତ ଯଶୋବନ୍ତ ମେଳେ ।

ପ୍ରଭୁ ଏ ବାର୍ତ୍ତା ପ୍ରଚାରିଲେ ।। ୧୨୭ ।।

 

ସକଳେ କଲେ ଅଙ୍ଗୀକାର ।

ଏ ଅତିବଡ଼ର ବେଭାର ।। ୧୨୮ ।।

 

ଅତିବଡ଼ କଥା କହିଲା ।

ଆଜହୁଁ ଅତିବଡ଼ ହେଲା ।। ୧୨୯ ।।

 

ଏଥୁ ଅନ୍ତରେ ଆନ ରସ ।

ଶୁଣି ସୁଜନେ ହୁଅ ତୋଷ ।। ୧୩୦।।

 

ବଳରାମ ଦାସ ବୋଲାଇ ।

ମହାପୁରୁଷ ଅଟେ ସେହି ।। ୧୩୧ ।।

 

ସୋମନାଥ ବିପ୍ର ସୁତ ସେ ।

ବେଦାନ୍ତ ତତ୍ତ୍ୱ ସେ ପ୍ରକାଶେ ।। ୧୩୨ ।।

 

 

ରଚିଲେ ରାମାୟଣ ଗୀତ ।

ଯୋଗପୁରୁଷ ବୋଲାଇ ତ ।। ୧୩୩ ।।

 

ରଥ ଉପରକୁ ଉଠିଲା ।

ହାତରେ ଅଛି ଫୁଲମାଳା ।। ୧୩୪ ।।

 

ରଥରେ ବାମନକୁ ଦେବ ।

ଭକତିଭାବ ଅରପିବ।। ୧୩୫ ।।

 

ବୋଲି ରଥକୁ ଚଢ଼ିଗଲା ।

ସେବକେ ବୋଲେ ଏଥୁ ପଳା ।। ୧୩୬ ।।

 

ତୋହର ନାହିଁ ଅଧିକାର ।

ମାଳା ଅରପିବୁ ରଥର ।। ୧୩୭ ।।

 

ସେବକେ କେତେ ଧିକାରିଲେ ।

ଏ ଥାନୁ ପଳା ତୁ ବୋଇଲେ ।। ୧୩୮ ।।

 

ରଥରୁ ତଳକୁ ଆସିଲା ।

କାହାକୁ କିଛି ନ ବୋଇଲା ।। ୧୩୯ ।।

 

 

ଗଲା ସେ ସମୁଦ୍ର ତଟକୁ ।

ଜଗନ୍ନାଥକୁ ପୂଜିବାକୁ ।। ୧୪୦ ।।

 

ବାଲିରେ ରଥ ଏକ କଲା ।

ଡାକିଲା ଆସ ନନ୍ଦବଳା ।। ୧୪୧ ।।

 

ଆସ ହୋ ବଳରାମ ଭାଇ ।

ସୁଭଦ୍ରା ଭଉଣୀକୁ ନେଇ ।। ୧୪୨ ।।

 

ତିନି ପ୍ରତିମା ବିଜେ ହେଲେ ।

ବାଲି ରଥେ ପୂଜା ପାଇଲେ ।। ୧୪୩ ।।

 

ଦାଣ୍ଡରେ ରଥ ନ ଚଳିଲା ।

ତ୍ରସ୍ତ ହେଲେକ ଲୋକମେଳା ।। ୧୪୪ ।।

 

ଭକତେ ଅନାଇ ରହିଲେ ।

ସେବକେ କେତେ ଯତ୍ନ କଲେ ।। ୧୪୫ ।।

 

ନୃପ ଆସିଣ ଉଭା ହୋଇ ।

ତଥାପି ରଥ ନ ଚଳଇ ।। ୧୪୬ ।।

 

 

ଦିବସ ଯାଇ ରାତ୍ର ହେଲା ।

ତଥାଚ ରଥ ନ ଚଳିଲା ।। ୧୪୭ ।।

 

ଲକ୍ଷେକ ଭକ୍ତ ରୁଣ୍ଡ ହେଲେ ।

କେହି ଘୁଞ୍ଚାଇ ନ ପାରିଲେ ।। ୧୪୮ ।।

 

ନୃପକୁ ରାତ୍ରେ ସ୍ଵପ୍ନ ହେଲା ।

ସମୁଦ୍ର ତଟେ ମୁଁ ବୋଇଲା ।। ୧୪୯ ।।

 

ଯାଅ ତୁ ରାଜା ଆଣି ମୋତେ ।

ଭକ୍ତ ବଳରାମ ସହିତେ ।। ୧୫୦ ।।

 

ପଣ୍ଡିତ ସେବକେ ସମେତ ।

ସଙ୍ଗତେ ଚାଲେ ଯଶୋବନ୍ତ ।। ୧୫୧ ।।

 

ରାଜା ଯେ ରାୟକୁ ହକାରି ।

ପ୍ରଭୁ ସ୍ଵାମୀକଇ ସମ୍ଭାରି ।। ୧୫୨ ।।

 

କାଶୀ ମିଶ୍ର ତପନାଚାର୍ଯ୍ୟେ ।

କହ୍ନାଇ ଅନନ୍ତ ଆଶ୍ଚର୍ଯ୍ୟେ ।। ୧୫୩ ।।

 

 

ଅଚ୍ୟୁତ ଅନନ୍ତ ଅଧୀର ।

ତୁଳସୀ ମିଶ୍ର ଦାମୋଦର ।। ୧୫୪ ।।

 

ଝାଞ୍ଜ ମୃଦଙ୍ଗ କଳରୋଳେ ।

ସମୁଦ୍ର ତଟ ଯେ ଉଛୁଳେ ।। ୧୫୫ ।।

 

ବାଲିରେ ସର୍ବେକ ମିଳିଲେ ।

ଦଣ୍ଡ ପ୍ରଣାମେ ଜଣାଇଲେ ।। ୧୫୬ ।।

 

ସ୍ୱଭାବେ ଭାବ ବିନୋଦିଆ ।

ଭକ୍ତରଇଁ ଅନୁସରିଆ ।। ୧୫୭ ।।

 

ବଳରାମକୁ ଧନ୍ୟ କଲେ ।

ଫୁଲ ଚନ୍ଦନେ ଅରଚିଲେ ।। ୧୫୮ ।।

 

ବୋଇଲେ ଆସ ବଳରାମ ।

ଭକତ ଶ୍ରେଷ୍ଠ ତୋର ନାମ ।। ୧୫୯ ।।

 

ଭଗତି ଭାବେଣ ବାନ୍ଧିଲୁ ।

ପ୍ରଭୁକୁ ତୁଇ ବଶ କଲୁ ।। ୧୬୦ ।।

 

 

ତୋ ତହୁଁ କାହିଁ ଭକ୍ତ ଅଛି ।

ଆସ ତୁ ବେଗେଣ ମୁରୁଛି ।। ୧୬୧ ।।

 

ଆସିଲା ବଳରାମ ଦାସ ।

ରଥ ଉପରେ ପରକାଶ ।। ୧୬୨ ।।

 

ପ୍ରଭୁକୁ ମାଳା ସେ ଅର୍ପିଲା ।

ଚନ୍ଦନେ ତନୁ ଜଡ଼ାଇଲା ।। ୧୬୩ ।।

 

ଘଣ୍ଟ ମୃଦଙ୍ଗ କଳରୋଳେ ।

ବଡ଼ଦାଣ୍ଡ ତହୁଁ ଉଛୁଳେ ।। ୧୬୪ ।।

 

ରଥ ଚାଲଇ ଘିଡ଼ି ଘିଡ଼ି ।

ମାଧବ କହେ ପାଦେ ପଡ଼ି ।। ୧୬୫ ।।

 

ମଧୁରାଷ୍ଟକ

 

ଅଧରଂ ମଧୁରଂ ବଦନଂ ମଧୁରଂ ନୟନଂ ମଧୁରଂ ହସିତଂ ମଧୁରମ୍ ।

ହୃଦୟଂ ମଧୁରଂ ଗମନଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୧ll

 

ବଚନଂ ମଧୁରଂ ଚରିତଂ ମଧୁରଂ ବସନଂ ମଧୁରଂ ବଳିତଂ ମଧୁରମ୍ ।

ଚଳିତଂ ମଧୁରଂ ଭ୍ରମିତଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ll୨ ll

 

ବେଣୁର୍ମଧୁରୋ ରେଣୁର୍ମଧୁରଃ ପାଣିର୍ମଧୁରଃ ପାଦୌ ମଧୁରୌ ।

ନୃତ୍ୟଂ ମଧୁରଂ ସଖ୍ୟଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୩ll

 

ଗୀତଂ ମଧୁରଂ ପୀତଂ ମଧୁରଂ ଭୁକ୍ତଂ ମଧୁରଂ ସୁପ୍ତଂ ମଧୁରମ୍ ।

ରୂପଂ ମଧୁରଂ ତିଲକଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୪ll

 

କରଣଂ ମଧୁରଂ ତରଣଂ ମଧୁରଂ ହରଣଂ ମଧୁରଂ ରମଣଂ ମଧୁରମ୍ ।

ବମିତଂ ମଧୁରଂ ଶମିତଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୫ll

 

ଗୁଞ୍ଜା ମଧୁରା ମାଳା ମଧୁରା ଯମୁନା ମଧୁରା ବୀଚୀ ମଧୁରା ।

ସଲିଳଂ ମଧୁରଂ କମଳଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୬ll

 

 

ଗୋପୀ ମଧୁରା ଲୀଲା ମଧୁରା ଯୁକ୍ତଂ ମଧୁରଂ ମୁକ୍ତଂ ମଧୁରମ୍ ।

ଦୃଷ୍ଟଂ ମଧୁରଂ ଶିଷ୍ଟଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୭ll

 

ଗୋପା ମଧୁରା ଗାବୋ ମଧୁରା ଯଷ୍ଟିର୍ମଧୁରା ସୃଷ୍ଟିର୍ମଧୁରା ।

ଦଳିତଂ ମଧୁରଂ ଫଳିତଂ ମଧୁରଂ ମଧୁରାଧିପତେରଖିଳଂ ମଧୁରମ୍ ।।୮ll

 

।।ଇତି ଶ୍ରୀମଦ୍‌ବଲ୍ଲଭାଚାର୍ଯ୍ୟବିରଚିତଂ ମଧୁରାଷ୍ଟକଂ ସମ୍ପୂର୍ଣଂ ।।

 

ଷଷ୍ଠ ଅଧ୍ୟାୟ

 

ଶୁଣ ସାଧବେ ଏହୁ ରସ ।

ମହାମନ୍ତ୍ରର ଯେ ରହସ୍ୟ ।। ୧ ।।

 

ହରେ ରାମ ବା ହରେ କୃଷ୍ଣ ।

ଏ ଘେନି କନ୍ଦଳ ଭିଆଣ ।। ୨ ।।

 

ଶିବାନନ୍ଦ ହରେ କୃଷ୍ଣ ଯେ ।

କହ୍ନାଇ ହରେରାମ ଭଜେ ।। ୩ ।।

 

ମନ୍ତ୍ରର ଆଗ କିସ ହୋଇ ।

ଏ ଘେନି ତର୍କ ଉପୁଜଇ ।। ୪ ।।

 

ବହୁତ କଳହ ସେ କଲେ ।

ସ୍ଵରୂପ ପାଶେ ଯାଇ ହେଲେ ।। ୫ ।।

 

ସ୍ଵରୁପ ବୋଲେ ଚାଲ ଯିବା ।

ସ୍ଵାମୀ ପାରୁଶରୁ ବୁଝିବା ।। ୬ ।।

 

 

ସ୍ଵାମୀ ବୋଇଲେ ଭଲ ହେଲା ।

ପ୍ରଭୁକୁ ହକାର ବୋଇଲା ।। ୭ ।।

 

ପ୍ରଭୁ ହକାରେ ରାମରାୟେ ।

ସାର୍ବଭୌମ କାଶୀ ମିଶ୍ରଏ ।। ୮ ।।

 

ଉତ୍ର ପାରୁଶ ମଣ୍ଡପେଣ ।

ମେଳ ହୋଇଲେ ସର୍ବଜନ ।। ୯ ।।

 

ଅନନ୍ତ ଅଚ୍ୟୁତ କହ୍ନାଇ ।

ଶିବାନନ୍ଦ ଯେ ଗୋବିନ୍ଦାଇ ।। ୧୦ ।।

 

ପ୍ରଭୁକୁ ସଭା ମୁଖ୍ୟ କଲେ ।

ବିଚାର କରିହୋ ବୋଇଲେ ।। ୧୧ ।।

 

ସାର୍ବଭୌମ ହରେରାମର ।

ହରେକୃଷ୍ଣ ଯେ ଗଦାଧର ।। ୧୨ ।।

 

କାଶୀ ମିଶ୍ର ବୋଲେ କ୍ଷେତ୍ରରେ ।

ହରେରାମ ମନ୍ତ୍ର ପ୍ରଚଳେ ।। ୧୩ ।।

 

 

ବହୁତ ଯୁକ୍ତି ତର୍କ ହେଲା ।

ଶେଷେ ପ୍ରଭୁ ଯେ ଶୁଣାଇଲା ।। ୧୪ ।।

 

ହରେରାମ ମନ୍ତ୍ରଟି ସାର ।

ନୀଳାଚଳେ ଏହୁ ପ୍ରଚାର ।। ୧୫ ।।

 

ଏଥକୁ ଆନ କି କରିବା ।

ଆଦ୍ୟ ହରେକୃଷ୍ଣ ଛାଡ଼ିବା ।। ୧୬ ।।

 

ଶିବାନନ୍ଦ ବୋଲେ ଗୌଡ଼ରେ ।

ହରେକୃଷ୍ଣ ଆଦ୍ୟ ପ୍ରଚରେ ।। ୧୭ ।।

 

ପ୍ରଭୁ ବୋଇଲେ କହୁ ଭଲା ।

ଗଉଡ଼େ ହରେକୃଷ୍ଣ ହେଲା ।। ୧୮ ।।

 

ଏଥୁ ଅନ୍ତରେ ଶୁଣ ବାର୍ତ୍ତା ।

ଶିବାନନ୍ଦ ଯହିଁ ଆଣନ୍ତା ।। ୧୯ ।।

 

ରଥକୁ ଦର୍ଶନୀ ଆଣିବା ।

ମାସାବଧି କ୍ଷେତ୍ରେ ରହିବା ।। ୨୦ ।।

 

 

ଦର୍ଶନିଆ ସେ ଆଣିଲାର ।

କଉଡ଼ି କରଇ ବେଭାର ।। ୨୧ ।।

 

କହ୍ନାଇ ଏହା ନ ସହିଲା ।

ବୋଲେ ଦର୍ଶନୀ ଘେନିପଳା ।। ୨୨ ।।

 

କହ୍ନାଇ ଆଣିଲା ଶହେକ ।

ଦର୍ଶନୀଙ୍କୁ ବାସ ଦେଲାକ ।। ୨୩ ।।

 

ଲାଗିଲା କନ୍ଦୋଳ ବହୁତ ।

କାଶୀ ମିଶ୍ର ହୋଏ ମଧ୍ୟସ୍ଥ ।। ୨୪ ।।

 

କାଶୀ ମିଶ୍ର ଯେ ସମ୍ଭାରିଲେ ।

ଗୋଳ ନ କରି ଏଥେ ଭଲେ ।। ୨୫ ।।

 

ଭଉଣୀ ଶିଖି ମହାନ୍ତିର ।

ମାଧବୀ ଦାସୀ ନାମ ତାର ।। ୨୬ ।।

 

ବଡ଼ାଇ ତାହାର ଭକତି ।

ସଂକୀର୍ତ୍ତନକୁ ତାର ମତି ।। ୨୭ ।।

 

 

ନାମରେ ହୋଏ ସେହୁ ଭୋଳା ।

ଜପଇ ନାମ ଅନର୍ଗଳା ।। ୨୮ ।।

 

ରଞ୍ଚିଲା ବହୁତ ସେ ଗୀତ ।

କୃଷ୍ଣ ରସରେ ଅପ୍ରମିତ ।। ୨୯ ।।

 

ସ୍ୱାମୀ ପ୍ରଭୁର ସନ୍ନିଧିରେ ।

ଗାଅଇ ଗୀତ ଭାବଭୋଳେ ।। ୩୦ ।।

 

ପ୍ରଭୁ ଯେ ତାକୁ କୃପା କଲା ।

ଗୋଷ୍ଠୀରେ ବସତୁ ବୋଇଲା ।। ୩୧ ।।

 

ଇଷ୍ଟ ଗୋଷ୍ଠୀରୁ ଉକ୍ତ ଗଲେ ।

ଆଉ ନ ଆସିବୁ ବୋଇଲେ ।। ୩୨ ।।

 

ନାରୀଏ ଅଛି ତାର ପାଶ ।

ହେଉ ସେ ଭକତ ବିଶ୍ୱାସ ।। ୩୩ ।।

 

ଆମ୍ଭନ୍ତ ନ ଥିବା ଏଠାଇଁ ।

ପ୍ରଭୁର ପାରୁଶେ ଜଣାଇ ।। ୩୪ ।।

 

 

ସ୍ଵାମୀ ବୋଇଲା ମଣ ସଲ ।

ମାଧବୀ ଦାସୀ ସମତୁଲ ।। ୩୫ ।।

 

ଭକତ କାହିଁଛି କି ଆଉ ।

ତୁମେ ବା ବୋଲ ସେ ପଳାଉ ।। ୩୬ ।।

 

ବୈଷ୍ଣବ ଭାବେ ଭୋଳ ହୋଇ ।

ନାରୀ ସାନିଧ୍ୟେ ସବୁଯାଇ ।। ୩୭ ।।

 

କାଷ୍ଠ ପାଷାଣ ନାରୀ ମୂର୍ତ୍ତି ।

ବୈଷ୍ଣବେ ଅଦୃଶ୍ୟ ଅଟନ୍ତି ।। ୩୮ ।।

 

ରକତ ମାଉଁସର ଅଙ୍ଗ ।

ମାଧବୀ ଦାସୀ ପରସଙ୍ଗ ।। ୩୯ ।।

 

ଏ କଥା ସତ ପରିମାଣ ।

ତା ଆଗମନକୁ ବାରଣ ।। ୪୦ ।।

 

ମାଧବୀ ଆଉ ନ ଅଇଲା ।

ଇଷ୍ଠ ଗୋଷ୍ଠୀ ସଙ୍ଗ ଛାଡ଼ିଲା ।। ୪୧ ।।

 

 

ପ୍ରଭୁ ସଙ୍ଗତ ଗୌଡ଼ିଆଏ ।

ସକଳ ଚଇତନ୍ୟ ନୋହେ ।। ୪୨ ।।

 

ସକଳ ମୃଗର ନାଭିରେ ।

କସ୍ତୁରୀ ନ ଥାଇଟି ଭଲେ ।। ୪୩ ।।

 

ସକଳ ଅରଣ୍ୟେ ଚନ୍ଦନ ।

ନ ଥାଇ ଜାଣ କଦାଚନ ।। ୪୪ ।।

 

ସକଳ ଗୌଡ଼ିୟା ବୈଷ୍ଣବ ।

ନୁହନ୍ତି ପ୍ରଭୁର ସ୍ୱଭାବ ।। ୪୫ ।।

 

ସାନ ହରିଦାସ ଯେ ନାମେ ।

ଥିଲା ସେ ସଙ୍ଗୀ ପୁରୀ ଧାମେ ।। ୪୬ ।।

 

ମାଧବୀ ସଙ୍ଗେ ତାର ଭାବ ।

ବଢ଼ିଲା ଦିନୁ ଦିନ ଯବ ।। ୪୭ ।।

 

ଯାଏ ସେ ମାଧବୀ ସମୀପେ ।

ବୃଥା ଛଳନା କଲା କେତେ ।। ୪୮ ।।

 

 

ତଣ୍ଡୁଳ ଲବଣର ଅର୍ଥେ ।

ତା ପାଶେ ମିଳଇ ତୁରିତେ ।। ୪୯ ।।

 

ଶିଖି ମହାନ୍ତି ନିବାରିଲା ।

ତଥାପି ଯିବା ନ ଛାଡ଼ିଲା ।। ୫୦ ।।

 

ସନ୍ଦେହ କଲେ ସାଇଭାଇ ।

ବୋଇଲେ ଏହା ନ ଯୋଗାଇ ।। ୫୧ ।।

 

ରାତ୍ର କାଳରେ ଦିନେ ଦେଖି ।

ସାନ ହରିଦାସକୁ ନିରେଖି ।। ୫୨ ।।

 

ଶିଖି ମହାନ୍ତି ହାତୁ ମାଡ଼ ।

ଖାଇଲା ହରିଦାସ ମୂଢ଼ ।। ୫୩ ।।

 

ଗୌଡ଼ିୟାମାନ ମେଳ ହେଲେ ।

ପ୍ରଭୁକୁ ଯାଇ ଜଣାଇଲେ ।। ୫୪ ।।

 

ପ୍ରଭୁ ବୋଇଲା ଆଚ୍ଛାକଲା ।

ବଞ୍ଚେ କି ହରିଦାସ ଭଲା ।। ୫୫ ।।

 

 

ମୁଖ ତା ଚାହିଁ ନ ଯୋଗଇ ।

ଭର୍ତ୍ସନା କଲା ଅନେକାଇ ।। ୫୬ ।।

 

ହରିଦାସକୁ ବଡ଼ ବାଧା ।

ରାତ୍ର ପ୍ରଭୁତୁ ଚଳେ ସିଧା ।। ୫୭ ।।

 

ନୀଳାଚଳେ ସେ ନ ରହିଲା ।

ଗଙ୍ଗାରେ ଯାଇ ଝାସ ଦେଲା ।। ୫୮ ।।

 

ସମ୍ବାଦ ପାଇଣ ଗୌଡ଼ିୟା ।

ମେଳ ହୋଇଣ ବିଚାରିଆ ।। ୫୯ ।।

 

ଯିବା କି ରହିବା ଏ ଥାନେ ।

ପ୍ରଭୁର ମନ ହୋଏ ଭିନ୍ନେ ।। ୬୦ ।।

 

ପ୍ରଭୁ ଯହିଁ ଜଗା ଦାସକୁ ।

ଅତି ବଡ଼ଯେ ବୋଲିବାକୁ ।। ୬୧ ।।

 

ଆମ୍ଭନ୍ତ ନିଉନ ସେ କଲା ।

ଆମ୍ଭେ ଚଳିଲେ ତାକି ଗଲା ।। ୬୨ ।।

 

 

ଅଣ ସାଧୁ ଯେ ଜଗାଦାସ ।

ତାହାକୁ ସ୍ୱାମୀ ନାମେ ଘୋଷ ।। ୬୩ ।।

 

ଆମ୍ଭଙ୍କୁ ଉପେକ୍ଷା ସେ କଲା ।

ଏଠାରୁ ଚାଲ ସର୍ବେ ଯିବା ।। ୬୪ ।।

 

ରାତ୍ର ପ୍ରଭାତୁ ସର୍ବେ ଗଲେ ।

ପଛକୁ ଲେଉଟି ନଇଲେ ।। ୬୫ ।।

 

ସ୍ୱାମୀ ସ୍ଵରୁପ ଦାମୋଦର ।

ଶିବାନନ୍ଦ ଯେ ଗଦାଧର ।। ୬୬ ।।

 

ଏମାନ ସନ୍ନିଧେ ପ୍ରଭୁର ।

ବସିଣ କରନ୍ତି ବିଚାର ।। ୬୭ ।।

 

ଶିବାନନ୍ଦ ବୋଲେ ହକାର ।

ତୋହର ଏ ନୋହେ ବେଭାର ।। ୬୮ ।।

 

ତୋର ନିମିତ୍ତ ଏଥେ ଥିଲେ ।

ଏବେ ସେ ସର୍ବେ ଚଳିଗଲେ ।। ୬୯ ।।

 

 

ଏ କଥା ନୋହେ ତୋତେ ଭଲ ।

ଲେଉଟି ଅଣାଅ କ୍ଷେତ୍ରର ।। ୭୦ ।।

 

ପ୍ରଭୁ ଚାହଁଇ ସ୍ୱାମୀ ମୁଖ ।

ସ୍ଵାମୀ ଯେ ହୋଇଲା ବିମୁଖ ।। ୭୧ ।।

 

ବୋଇଲା ପ୍ରଭୁ ତୋତେ ଜଣା ।

ମୋ ତହୁଁ ସର୍ବେ ଗଲେ ସିନା ।। ୭୨ ।।

 

ମୁଇଁ ନ ଯାଇ ତୋର ତୁଲେ ।

ଡାକିଲେ ଆସିବେ କି ଭଲେ ।। ୭୩ ।।

 

ସ୍ଵାମୀ ଲେଖିଲା ଆଠ ଶ୍ଳୋକ ।

ପ୍ରଭୁର ଭାବ ସେ ଯେତେକ ।। ୭୪ ।।

 

ପ୍ରଭୁକୁ ଶ୍ଳୋକ ଶୁଣାଇଲା ।

ବିଭୋଳେ ପ୍ରଭୁ କୋଳ କଲା ।। ୭୫ ।।

 

ଶିବାନନ୍ଦ ଯେ ଘେନିଗଲା ।

ପ୍ରଭୁ ସେ ଲେଖୁଛି ବୋଇଲା ।। ୭୬ ।।

 

 

ଯାଜନଗ୍ର ପରିଯନ୍ତରେ ।

ସକଳେ ଥିଲେ ସେଠାବରେ ।। ୭୭ ।।

 

କେହି ଲେଉଟି ନ ଅଇଲେ ।

ଶିବାନନ୍ଦ ଯେ ସମେତରେ ।। ୭୮ ।।

 

ସକଳେ ଗଲେ ଗୌଡ଼ମାର୍ଗେ ।

ସେ ତହୁଁ ଏକ ବଡ଼ ଭାଗେ ।। ୭୯ ।।

 

ବୃନ୍ଦାବନରେ ଯାଇ ହେଲେ ।

ରୂପ ସନାତନେ ଭେଟିଲେ ।। ୮୦।।

 

ରୂପ ରଖିଲା ସେମାନନ୍ତ ।

ଗିରି ଗୋବର୍ଦ୍ଧନ ଯାବନ୍ତ ।। ୮୧ ।।

 

ଥିଲେ ବଲ୍ଲଭ ଚାଟମାନେ ।

ଗୌଡ଼ିୟା ନିରେଖି ତକ୍ଷଣେ ।। ୮୨ ।।

 

କଳି ଲାଗଇ ଘୋରତର ।

ମାଡୁଆ ଗୌଡ଼ିୟା ନିକର ।। ୮୩ ।।

 

 

ଗୌଡ଼ିୟା ବୋଇଲେ ସେବିବୁ ।

ସବୁ ଅରଜନ ଖାଇବୁ ।। ୮୪ ।।

 

ଗୋପାଳ ସେବା ନ ଛାଡ଼ିଲେ ।

କଳି ଲାଗିଲା ତହୁଁ ଭଲେ ।। ୮୫ ।।

 

ଆଚାର୍ଯ୍ୟ ବଲ୍ଲଭ ସେବକେ ।

ମାଇଲେ ମାଡ଼ ତହୁଁ ଥୋକେ ।। ୮୬ ।।

 

ବିକଳେ ଗୌଡ଼ିୟା କେତେକେ ।

ଛାଡ଼ି ଗଲେକ ସେଥୁ ଥୋକେ ।। ୮୭ ।।

 

ରହିଲେ କିଛି ସେହି ଥାନେ ।

ରୂପ ଗୋସାଇଁ ସିନ୍ନିଧାନେ ।। ୮୮ ।।

 

ରଥକୁ ସମ୍ବାଦ ଶୁଣିଲୁ ।

କହ୍ନେଇ ଆସି ବୋଇଲାରୁ ।। ୮୯ ।।

 

ପ୍ରଭୁକୁ କହ୍ନେଇ ବୋଇଲା ।

ପ୍ରଭୁ ବୋଇଲା ଭଲ ହେଲା ।। ୯୦ ।।

 

 

ମାଡୁଆ ସ୍ଵଭାବ ଯାହାର ।

ମାଡ଼ ଖାଇବେ ନିରନ୍ତର ।। ୯୧ ।।

 

ତଥାପି ଚେତା ନ ପଶିବ ।

ଯାହାର ଯେମନ୍ତ ସ୍ୱଭାବ ।। ୯୨ ।।

 

ଶିକ୍ଷାଷ୍ଟକ

 

ଚେତୋ ଦର୍ପଣ ମାର୍ଜନଂ ଭବମହାଦାବାଗ୍ନି ନିର୍ବାପଣମ୍,

ଶ୍ରେୟଃ କୈରବ ଚନ୍ଦ୍ରିକା ବିତରଣଂ ବିଦ୍ୟାବଧୁ ଜୀବନମ୍ ।

 

ଆନନ୍ଦାମ୍ବୁଧିବର୍ଦ୍ଧନଂ ପ୍ରତିପଦଂ ପୂର୍ଣ୍ଣାମୃତାସ୍ୱାଦନମ୍,

ସର୍ବାତ୍ମସ୍ନପନଂ ପରଂ ବିଜୟତେ ଶ୍ରୀକୃଷ୍ଣସଂକୀର୍ତ୍ତନମ୍ ।। ଏକ ।।

 

କୃଷ୍ଣର ଗୁଣ କୀର୍ତ୍ତନରେ ।

ମନ ଦର୍ପଣ ପରିଷ୍କାରେ ।। ୯୩ ।।

 

ଆତ୍ମା କଳୁଷ ଦୂର ହୋଇ ।

ଉତ୍ତମ ଭାବଟି ଝରଇ ।। ୯୪ ।।

 

ସଂକୀର୍ତ୍ତନ ଯେ ଶିକ୍ଷା ଦାତା ।

ଭକ୍ତିର ସଞ୍ଚାର କରତା ।। ୯୫ ।।

 

ନିର୍ମଳ ପ୍ରେମ ବୃଦ୍ଧି ପାଇ ।

କୃଷ୍ଣ ପ୍ରେମ ମଧୁ ଚଖାଇ ।। ୯୬ ।।

 

 

ଇନ୍ଦ୍ରିୟ ସର୍ବ ହୋଏ ତୃପ୍ତ ।

ନାମ ସଂକୀର୍ତ୍ତନ ଏମନ୍ତ ।। ୯୭ ।।

 

ନାମ୍ନାମକାରି ବହୁଧା ନିଜ ସର୍ବଶକ୍ତି

ସ୍ତତ୍ରାପିତ ନିୟମିତଃ ସ୍ମରଣେ ନ କାଳଃ ।

 

ଏତାଦୃଶୀ ତବ କୃପା ଭଗବନ୍ ମମାପି

ଦୁଦୈବମୀଦୃଶମିହାଜନି ନାନୁରାଗଃ ।। ଦୁଇ ।।

 

ତୁମର ନାମ ଯେ ଅଶେଷ ।

ବହୁ ନାମ ଯେ ବହିଅଛ ।। ୯୮ ।।

 

ସକଳ ନାମେ ତୁମ ଶକ୍ତି ।

ପ୍ରକଟ ପଣ୍ଡିତେ ବଦନ୍ତି ।। ୯୯ ।।

 

ନାମ ସ୍ମରଣ କୀର୍ତ୍ତନରେ ।

ବେଳ ଅବେଳ ଅବିଚାରେ ।। ୧୦୦ ।।

 

ହେ ପ୍ରଭୁ ଏହା ତୁମ କୃପା ।

ମାତ୍ରକ ମୁ ଅଟେ ଦୁର୍ଭଗା ।। ୧୦୧ ।।

 

 

ମୋର ହୃଦୟେ ଶ୍ରଦ୍ଧା ନାହିଁ ।

ନାମକୁ ବିରାଗ କହଇ ।। ୧୦୨ ।।

 

ତୃଣାଦପି ସୁନୀଚେନ ତରୋରପି ସହିଷ୍ଣୁନା ।

ଅମାନିନା ମାନଦେନ କୀର୍ତ୍ତନୀୟଃ ସଦା ହରିଃ ।। ତିନି ।।

 

ତୃଣରୁ ବିନମ୍ର ବୋଲାଅ ।

ବୃକ୍ଷ ତହୁଁ ସହିଷ୍ଣୁ ହୁଅ ।। ୧୦୩ ।।

 

ଆପଣା ସୁଖ ଦୁଃଖ ଛାଡ଼ି ।

ଅପରେ ପ୍ରେମ ଦିଅ ଢାଳି ।। ୧୦୪ ।।

 

ସର୍ବଦା ବୋଲ ହରିନାମ ।

ଏ ତହୁଁ ନାହିଁ ଅନ୍ୟ ଧାମ ।। ୧୦୫ ।।

 

ନ ଧନଂ ନ ଜନଂ ନ ସୁନ୍ଦରି କବିତାଂ ବା ଜଗଦୀଶ କାମୟେ ।

ମମ ଜନ୍ମନି ଜନ୍ମନୀଶ୍ଵରେ ଭବତାଦ୍‌ଭକ୍ତିରହୈତୁକୀ ତ୍ୱୟି ।। ଚାରି ।।

 

ନ ଲୋଡ଼େ ମୁହିଁ ଧନ ଜନ ।

ଅବା ସୁନ୍ଦରୀ ସ୍ତିରୀ ରତ୍ନ ।। ୧୦୬ ।।

 

 

କବିତା ରଞ୍ଚି କବି ହେବି ।

ହେ ପ୍ରଭୁ ମୁଁ କିମ୍ପା ବାଞ୍ଛିବି ।। ୧୦୭ ।।

 

ପ୍ରାର୍ଥନା କରଇ ବିକଳେ ।

ପ୍ରଭୁ ହେ ଜନ୍ମ ଜନ୍ମାନ୍ତରେ ।। ୧୦୮ ।।

 

ତୁମର ଅନୁଗତ ହୋଇ ।

ଯେମନ୍ତ ଭକ୍ତି କରୁଥାଇ ।। ୧୦୯ ।।

 

ଅୟି ନନ୍ଦତନୁଜ କିଙ୍କରମ୍ ପତିତଂ ମାଂ ବିଷମେ ଭବାମ୍ବୁଧୌ ।

କୃପୟା ତବ ପାଦପଙ୍କଜମ୍ ସ୍ଥିତଧୂଳିସଦୃଶଂ ବିଚିନ୍ତୟ ।। ପାଞ୍ଚ ।।

 

ହେ କୃଷ୍ଣ ନନ୍ଦ ଗୋପସୁତ ।

କୃପା କରହେ ଗୋପୀନାଥ ।। ୧୧୦ ।।

 

ପତିତ ମୁଇଁଟି ସଂସାରେ ।

ଭବସାଗରେ ବୁଡ଼ିମରେ ।। ୧୧୧ ।।

 

ପଦ୍ମ ଚରଣରେ ତୁମର ।

ଧୂଳି କଣାଏ ବୋଲି ଧର ।। ୧୧୨ ।।

 

 

ନୟନଂ ଗଳଦଶ୍ରୁଧାରୟା ବଦନଂ ଗଦ୍‌ଗଦ୍‌ରୁଦ୍ଧୟା ଗିରା ।

ପୁରକୈର୍ନିଚିତଂ ବପୁଃ କଦା ତବ ନାମଗ୍ରହଣେ ଭବିଷ୍ୟତି ।। ଛଅ ।।

 

ଜଗନ୍ନାଥ ହେ ଚକାଆଖି ।

ସେଦିନ କେବେ ଆସିବକି ।। ୧୧୩ ।।

 

ଯେବେ ତୋ ନାମ ଉଚ୍ଚାରଣ ।

କରୁ ଚକ୍ଷୁ ଅଶ୍ରୁ ମୋଚନ ।। ୧୧୪ ।।

 

ତୋହର ନାମ ଉଚ୍ଚାରିଲେ ।

କଣ୍ଠ ମୋ ରୋଧ ହେଉ ଭଲେ ।। ୧୧୫ ।।

 

ଆନନ୍ଦେ ସମସ୍ତ ଶରୀର ।

ପୁଲକେ ହେବ ଥର ଥର ।। ୧୧୬ ।।

 

ଯୁଗାୟିତଂ ନିମେଷେଣ ଚକ୍ଷୁଷା ପ୍ରାବୃଷାୟିତମ୍ ।

ଶୃନ୍ୟାୟିତଂ ଜଗତ୍ ସର୍ବଂ ଗୋବିନ୍ଦ ବିରହେଣ ମେ ।। ସାତ ।।

 

ହରିର ବିଚ୍ଛେଦେ ମୋ ହୃଦ ।

ଦହିଜ ହୋଇ ବହୁ ଖେଦ ।। ୧୧୭ ।।

 

 

ମୁହୁର୍ତ୍ତ ଏକ ଯୁଗ ସରି ।

ଚକ୍ଷୁରୁ ଝରେ ଧାରାବାରି ।। ୧୧୮ ।।

 

ସକଳ ଦିଗ ଶୂନ୍ୟବୋଧ ।

ହରି ବିରହ ଗୁରୁବାଧ ।। ୧୧୯ ।।

 

ଆଶ୍ଳିଷ୍ୟ ବା ପାଦରତାଂ ପିନଷ୍ଟୁମା ମଦର୍ଶନାନ୍ମର୍ମହତଂ କରୋତୁ ବା ।

ଯଥା ତଥା ବା ବିଦଧାତୁ ଲମ୍ଫଟୋ ମତ୍ ପ୍ରାଣ ନାଥସ୍ତୁ ସ ଏବ ନାପରଃ ।। ଆଠ।।

 

ହେ କୃଷ୍ଣ ମୋତେ କଷ୍ଟ ଦିଅ ।

ଅଥବା ତୋ ପାଦେ ଖଟାଅ ।। ୧୨୦ ।।

 

କର ତୁ ମୋରେ ଆଲିଙ୍ଗନ ।

ଅଥବା ନ ଦିଅ ଦର୍ଶନ ।। ୧୨୧ ।।

 

ପ୍ରେମରେ ରତି ମତି ଭୋଳ ।

ରାତ୍ରି ଯାପନ ଭିନ୍ନଥଳ ।। ୧୨୩ ।।

 

ତଥାପି ତୁ ମୋର ପରାଣ ।

ତୋ ତହୁଁ ଗତି ନାହିଁ ଆନ ।। ୧୨୪ ।।

 

ରାଧାର ଭାବ ଯେ ଏତକ ।

ବର୍ଣ୍ଣିଲା ସ୍ୱାମୀ ଆଠ ଶ୍ଳୋକ ।। ୧୨୫ ।।

 

Unknown

ସପ୍ତମ ଅଧ୍ୟାୟ

 

ଶୁଣ ହୋ ଚରିତ ବୈଷ୍ଣବ ।

ସର୍ବ ବୃଜିନ ନାଶ ଯିବ ।। ୧ ।।

 

ସ୍ଵାମୀ ବୋଇଲେ ମନ୍ତ୍ର ନେବି ।

ରାଗମାର୍ଗେ କୃଷ୍ଣ ଭଜିବି ।। ୨ ।।

 

ଛାଡ଼ିବି ସହସ୍ର ପୁରାଣ ।

ଏଥେଟି କିସ କାର୍ଯ୍ୟ ପୁଣ ।। ୩ ।।

 

ପ୍ରଭୁ ବୋଇଲେ ଦୀକ୍ଷା ନିଅ ।

ବଳରାମଠାଇଁ ତୁ ଯା ।। ୪ ।।

 

ବଚନ ସିଦ୍ଧ ବଳରାମ ।

ତା ତହୁଁ ମନ୍ତ୍ର ନିଅ ପୁଣ ।। ୫ ।।

 

ତା ତହୁଁ ଗୁରୁ ନାହିଁ ଆନ ।

ଭଗତି ଭାବ ଗରିଆନ ।। ୬ ।।

 

 

ସ୍ଵାମୀ ଯେ ମନ୍ତ୍ର ଦୀକ୍ଷା ନେଲା ।

ବଳରାମକୁ ପ୍ରଣମିଲା ।। ୭ ।।

 

କାଶୀ ମିଶ୍ର ଏହା ଶୁଣିଲେ ।

ସ୍ଵାମୀରେ ବହୁ କୋପ କଲେ ।। ୮ ।।

 

ବ୍ରାହ୍ମଣ ହୋଇ ଶୂଦ୍ରମୁଖୁ ।

ମନ୍ତ୍ରଦୀକ୍ଷା ତୁ ଉପଦେଶୁ ।। ୯ ।।

 

ଏଥୁଟି ନାହିଁ ଅବେଭାର ।

କଳିକାଳର ଦୁରାଚାର ।। ୧୦ ।।

 

ସ୍ଵାମୀ ବୋଇଲା ବଇଷ୍ଣବେ ।

ଦୋଷ ନ ବାଧଇଟି ଲବେ ।। ୧୧ ।।

 

କିବା ଶୂଦ୍ର କିବା ବ୍ରାହ୍ମଣ ।

ମନୁଷ୍ୟ ସମସ୍ତ ସମାନ ।। ୧୨ ।।

 

ନୀଚ ସ୍ଥାନରେ ଥିଲେ ରତ୍ନ ।

ନିଶ୍ଚେଁ ଗ୍ରହଣ କରି ଯତ୍ନ ।। ୧୩ ।।

 

ଏଣୁ ମୋ ମନ ଆଗୁସାରେ ।

ଗୁରୁ କଲି ବଳରାମରେ ।। ୧୪ ।।

 

ଏଥକୁ ତୁ କିପାଁ ତରଜୁ ।

ରାଗ ମାର୍ଗେଣ ଆମ୍ଭେ ଭଜୁ ।। ୧୫ ।।

 

ସାର୍ବଭୌମ ଯେ ଏହାଶୁଣି ।

ରାୟ ଯେ ଲକ୍ଷ୍ମୀଧର ପୁଣି ।। ୧୬ ।।

 

ବୋଇଲେ କିଛି ହିଁ ନ କହ ।

ଜଗନ୍ନାଥର ସିଦ୍ଧ ଦେହ ।। ୧୭ ।।

 

କାଶୀ ମିଶ୍ରକୁ ପ୍ରବୋଧିଲେ ।

ସ୍ୱାମୀରେ ଶ୍ରଦ୍ଧା ବଢ଼ାଇଲେ ।। ୧୮ ।।

 

ଏ ତହୁଁ କିଛିଦିନ ଅନ୍ତେ ।

ପ୍ରଭୁ ଯେ ରଘୁନାଥ ଦାସେ ।। ୧୯ ।।

 

ହକାରି ବୋଲେ ଏଥୁ ନିଅ ।

ଗୋବର୍ଦ୍ଧନ ଶିଳାଏ ସମ୍ଭାଅ ।। ୨୦ ।।

 

 

ଏହୁଟି ଶିଳା ଶାଳଗ୍ରାମ ।

ଏହାକୁ ଇତର ନ ମଣ ।। ୨୧ ।।

 

ସାର୍ବଭୌମ ଯେ ଲକ୍ଷ୍ମୀଧର ।

ମଉନେ କରନ୍ତି ବିଚାର ।। ୨୨ ।।

 

ଶୂଦ୍ରର ହେଲା ଅଧିକାରେ ।

ଶାଳଗ୍ରାମ ଶିଳା ପୂଜାରେ ।। ୨୩ ।।

 

ଶୂଦ୍ରକୁ ବିପ୍ର କି ବୋଲାଇ ।

ଏଥକୁ ଆନକି ସମ୍ଭାଇ ।। ୨୪ ।।

 

ନାହିଁ ନୋହିବା କଥା ହେଲା ।

କାଶୀ ମିଶ୍ର ଯେ କୋପ କଲା ।। ୨୫ ।।

 

ଅଚ୍ୟୁତ ଅନନ୍ତ ଯଶୋବନ୍ତ ।

ବଳରାମ ଯେ ଜଗନ୍ନାଥ ।। ୨୬ ।।

 

ପ୍ରଭୁର ତୁଲେ ନିତ୍ୟେ ରସି ।

ସହସ୍ର ପୁରାଣ ଉପେକ୍ଷି ।। ୨୭ ।।

 

 

ସଂକୀର୍ତ୍ତନରେ ମତି ଦେଲେ ।

ବଇଧି ମାର୍ଗ ସେ ଛାଡ଼ିଲେ ।। ୨୮ ।।

 

କୃଷ୍ଣର ଲୀଳାରସ ଯେତେ ।

ଗୋପୀ ଭାବର ପରିଯନ୍ତେ ।। ୨୯ ।।

 

ମନେ ହୁଅନ୍ତି ସଦା ଗୁଣି ।

ରାଗ ମାର୍ଗକୁ ପରିମାଣି ।। ୩୦ ।।

 

ଏଥୁ ଅନ୍ତରେ ଶୁଣ ଲେସ ।

ଗଜପତି ବାର୍ତ୍ତା ବିଶେଷ ।। ୩୧ ।।

 

କୃଷ୍ଣଦେବ ରାୟ ସଙ୍ଗତେ ।

ଯୁଦ୍ଧ ହୋଇଲା ବହୁମତେ ।। ୩୨ ।।

 

ଗଜପତିର ବଳବୀର୍ଯ୍ୟ ।

କାହୁଁ କଳିବ କୃଷ୍ଣରାୟ ।। ୩୩ ।।

 

ଦୃଭିକ୍ଷ ଦେଲାକ କଷଣ ।

ରଖହୋ ଆରତ ଭଞ୍ଜନ ।। ୩୪ ।।

 

 

ଶସ୍ୟ ଫନ୍ଦା ଯେ ହାନୀ ହେଲା ।

ଜଳ ବିହୁନେ ନାଶ ଗଲା ।। ୩୫ ।।

 

ପ୍ରଜାଏ ଡାକିଲେ ଆରତେ ।

ରଖହୋ ପ୍ରଭୁ ଜଗନ୍ନାଥେ ।। ୩୬ ।।

 

ଜଳ ବିହୁନେ ଶସ୍ୟ ମଲା ।

ମୁଖୁ ଖାଇବା ଛଡ଼ାଇଲା ।। ୩୭ ।।

 

ବରଷ ବରଷ ଏ ମତେ ।

ବଢ଼ି ମରୁଡ଼ି ବାଦ ଯେତେ ।। ୩୮ ।।

 

ବଢ଼ି ଯେ ଆସି ଭସାଇଲା ।

ମରୁଡ଼ି ଶସ୍ୟ ମରାଇଲା ।। ୩୯ ।।

 

ବଢ଼ି ମରୁଡ଼ିର ଏ ବାଦ ।

ପ୍ରଜାଏ କଲେ ଆର୍ତ୍ତନାଦ ।। ୪୦ ।।

 

ବଳରାମ ଯେ ଜଗନ୍ନାଥ ।

ଅଚ୍ୟୁତ ଅନନ୍ତ ଯଶୋବନ୍ତ ।। ୪୧ ।।

 

 

ଗ୍ରାମେ ଗ୍ରାମେ ହରି କୀର୍ତ୍ତନ ।

କୃଷ୍ଣ ନାମର ପ୍ରଚାରଣ ।। ୪୨ ।।

 

ଗଜପତିର ବଳ ଯେତେ ।

ଭାଜିଲେ ସେହୁ ଏହି ମତେ ।। ୪୩ ।।

 

ଉଦୟଗିରି କୋଣ୍ଡକୁରୁ ।

ହାରିଲେ ସଇନୀ ଯୁଦ୍ଧରୁ ।। ୪୪ ।।

 

କୋଣ୍ଡାବିଡ଼ୁ ଦୁର୍ଗେ ମେଳିଲେ ।

ରଖିବା ଏହି ଦୁର୍ଗେ ଭଲେ ।। ୪୫ ।।

 

ରୁଦ୍ରଦେବ ଯେ ନୃପମଣି ।

ପାତ୍ରଙ୍କ ସଙ୍ଗତେ ଭାଳେଣି ।। ୪୬ ।।

 

ଭଦ୍ରଦେବକୁ ରଖାଇଲେ ।

ରଖ ତୁ ଏ ଦୁର୍ଗ ବୋଇଲେ ।। ୪୭ ।।

 

ତୋର ସମାନ ବୀର ଥିଲେ ।

ପ୍ରମାଦ ଅଛଇ କି ଭଲେ ।। ୪୮ ।।

 

 

ପାତ୍ର ସାମନ୍ତ ହକାରିଲେ ।

ରଖ ହୋ ଏ ଦୁର୍ଗ ବୋଇଲେ ।। ୪୯ ।।

 

ଜୀବଦେବ ଯେ ସାମରଥା ।

ରହିଲେ ସେ ସ୍ଥାନେ ସର୍ବଥା ।। ୫୦ ।।

 

ମାରିବା ନୋହିଲେ ମରିବା ।

ଏ ତହୁଁ ଆନ ନ କରିବା ।। ୫୧ ।।

 

ବୋଇଲା ବୀର ଭଦ୍ରଦେବ ।

ଏଥକୁ ଆନଟି ନ ଭାବ ।। ୫୨ ।।

 

କୃଷ୍ଣରାୟ ସଇନୀ ହେଲେ ।

ଚଉଦିଗୁ ଘେରି ରହିଲେ ।। ୫୩ ।।

 

ଦଶ ସହସ୍ର ସଇନୀ ତୁଲେ ।

ଭଦ୍ରଦେବ ଯେ ତହିଁ ଥିଲେ ।। ୫୪ ।।

 

ଏକ ମାସକ ଅନ୍ତରେଣ ।

କ୍ଷୁଧାରେ ମରନ୍ତି ସଇନ ।। ୫୫ ।।

 

 

ଜଳର ଲାଗି ଚିତ୍‌କାରିଲେ ।

ଖାଇଲା ଦ୍ରବ୍ୟ ସରିଲାରେ ।। ୫୬ ।।

 

ରଖ ହୋ ଜଗନ୍ନାଥ ଡାକ ।

ଦୁର୍ଗର ମଧ୍ୟୁ ଶୁଭିଲାକ ।। ୫୭ ।।

 

ଏକ ମାସକ ଅନ୍ତରେଣ ।

ଅରାତି ଦୁର୍ଗେ ପ୍ରବେଶିଣ ।। ୫୮ ।।

 

ଭଦ୍ରଦେବକୁଇ ବାନ୍ଧିଲେ ।

ଜୀବଦେବକୁଇ ହାଣିଲେ ।। ୫୯ ।।

 

ଆଉ ପାତ୍ର ସାମନ୍ତ ଯେହୁଁ ।

ସବୁନ୍ତି ସଙ୍ଗେ ନେଲେ ତହୁଁ ।।୬୦ ।।

 

ଭଦ୍ରଦେବ ଯେ ବନ୍ଦୀ ହେଲେ ।

ବେନୁରୁ ସୀମାରେ ରହିଲେ ।। ୬୧ ।।

 

କାଳେ କୃଷ୍ଣରାୟ ଅଇଲା ।

ଭଦ୍ରଦେବକୁ ଗରଜିଲା ।। ୬୨ ।।

 

 

ବୋଇଲା ଗଜପତି ସୂତ ।

ଖଣ୍ଡା ଖେଳ ତୁ ଜାଣୁ ସତ ।। ୬୩ ।।

 

ଶୁଣିଲୁ ତୋହର ଗାରିମା ।

ଖେଳ ଦେଖିଲେ ଜାଣିନେମା ।। ୬୪ ।।

 

ହକାରିଲା ଏକ ସଇନୀ ।

ଏ ତୁଲେ ଖଣ୍ଡା ଖେଳ ପୁଣି ।। ୬୫ ।।

 

ବୀରଭଦ୍ରର ହାତେ ଖଣ୍ଡା ।

ଥିଲେକ ଅଟଇ ପ୍ରଚଣ୍ଡା ।। ୬୬ ।।

 

କୃଷ୍ଣ ରାୟକୁ ହକାରିଲା ।

ମୋ ତୁଲେ ଖେଳ ତୁ ବୋଇଲା ।। ୬୭ ।।

 

ରାୟ ଯେ ତହୁଁ ନାସ୍ତି କଲା ।

ତୋଖେଳେ ମୋର ଶ୍ରଦ୍ଧା ହେଲା ।। ୬୮ ।।

 

ଏ ତହୁଁ ଗଲାକ ସଇନୀ ।

ଖଣ୍ଡା ଖେଳିବ ଏହୁ ପୁଣି ।। ୬୯ ।।

 

 

ଭଦ୍ରଦେବ ବୋଲେ ମୁଁ ରାଜା ।

ରାଜା ସଙ୍ଗତେ ମୋ ତରଜା ।। ୭୦ ।।

 

ଆନରେ ଏ ଖଡ୍ଗ ନ ବୁଲେ ।

ଖେଳିବୁ ତୁହି ଆସ ଭଲେ ।। ୭୧ ।।

 

ରାୟ ବୋଇଲା ଦେଖି ବାନା ।

ତୋ ଖେଳ ପରିମାଣି ମାନା ।। ୭୨ ।।

 

ଖେଳ ତୁ ଏ ସଇନୀ ତୁଲେ ।

ଦଣ୍ଡିବୁ ଅମାନ୍ୟ ତୁ କଲେ ।। ୭୩ ।।

 

ସଇନୀ ଆସି ଉଭାରିଛି ।

ହାତେ ଖଣ୍ଡାଏକ ଶୋହୁଛି ।। ୭୪ ।।

 

ନୋହେ ସେ ରାଜାର କୁମର ।

ରାଜ ରକତ ନୋହେ ତାର ।। ୭୫ ।।

 

ଭଦ୍ରଦେବ ଶରୀ କମ୍ପାଇ ।

କୋପେଣ ଥରହର ହୋଇ ।। ୭୬ ।।

 

 

କୋଷରୁ ଖଡ୍ଗ ମୁକୁଳାଇ ।

ଆପଣା ବକ୍ଷରେ ମାରଇ ।। ୭୭ ।।

 

ପଡ଼ିଲା ତଲେ ଗଳଗାଜି ।

କୃଷ୍ଣରାୟ ଚକ୍ଷୁ ମୁରୁଜି ।। ୭୮ ।।

 

ବୋଇଲା କେଡ଼େ କର୍ମ କଲା ।

ରାଜାର ସନ୍ତତି ଏ ଭଲା ।। ୭୯ ।।

 

ଭଦ୍ରଦେବକୁ ତୋଳି ଧରି ।

ରାଜା ସନମାନେ ଉଭାରି ।। ୮୦ ।।

 

ବୋଇଲା ବୀରଭଦ୍ର ଧନ୍ୟ ।

ତାତ ମାତର ରଖି ମାନ ।। ୮୧ ।।

 

ସାମାନ୍ୟ କଥା ନ ସହିଲୁ ।

ଗଜପତି ପଣ ରଖିଲୁ ।। ୮୨ ।।

 

ବୋଲି ବହୁତ ଦୁଃଖ କଲା ।

ଗଜପତିକୁ ବାର୍ତ୍ତା ଦେଲା ।। ୮୩ ।।

 

 

ଚମ୍ପାଦେବୀ ଯେ ପାଟରାଣୀ ।

ରାୟର ଅଟଇ ବନ୍ଦିନୀ ।। ୮୪ ।।

 

ଗଜପତି ଯେ ଚିନ୍ତା କଲେ ।

ହୃଦରେ ପ୍ରଭୁଙ୍କୁ ଧ୍ୟାଇଲେ ।।୮୫ ।।

 

ରଖ ହେ ପ୍ରଭୁ ଜଗନ୍ନାଥ ।

ତୁ ଅଟୁ ସର୍ବ ପୁରୁଷାର୍ଥ ।। ୮୬ ।।

 

ରାୟ ଯେ ବାର୍ତ୍ତା ପଠାଇଲା ।

ବୀରଭଦ୍ରର ମୃତ୍ୟୁ ହେଲା ।। ୮୭ ।।

 

ଗଜପତିର ମହାଚିନ୍ତା ।

କେମନ୍ତ ଏ ତହୁଁ ତରନ୍ତା ।। ୮୮ ।।

 

ରାୟ ବୋଲେ ତୋ କନ୍ୟା ଦିଅ ।

ପାଟରାଣୀକୁ ମୁକୁଳାଅ ।। ୮୯ ।।

 

ସନ୍ଧି କଲେକ ସେହି ଥାନେ ।

ଜଗମୋହିନୀ କନ୍ୟା ଦାନେ ।। ୯୦ ।।

 

 

କୃଷ୍ଣାର ଦକ୍ଷିଣ ପାରୁଶେ ।

ଦେଲେ ଯଉତୁକ ସ୍ୱରୂପେ ।। ୯୧ ।।

 

କ୍ଷେତ୍ରକୁ ଲେଉଟି ଅଇଲେ ।

କେତେକେ ଦର୍ଶନ ସେ କଲେ ।। ୯୨ ।।

 

ସ୍ଵାମୀ ଯେ ବଳରାମ ଦାସ ।

ହକାରି ଆଣିଲେ ପାରୁଶ ।। ୯୩ ।।

 

ବୋଇଲେ ଭକ୍ତି କଥା କହ ।

ପ୍ରଭୁକୁ ଏ ଥାନେ ଡକାଅ ।। ୯୪ ।।

 

କୀର୍ତ୍ତନ କରହୋ ମୋ ପାଶେ ।

ମୋହର ଭକତ ବିଶ୍ୱାସେ ।। ୯୫ ।।

 

କୃଷ୍ଣର ନାମଟି ଶୁଣାଅ ।

ହୃଦରୁ ଆତପ ତୁଟାଅ ।। ୯୬ ।।

 

ସ୍ୱାମୀ ପାଦେଣ ନାମ ଜପି ।

ପ୍ରଭୁ ପାଦେଣ ଶିର ଥାପି ।। ୯୭ ।।

 

 

ସ୍ଵାମୀକୁ ବୋଲେ ନାମ ଦିଅ ।

ପ୍ରଭୁକୁ ବୋଇଲେ ବୁଝାଅ ।। ୯୮ ।।

 

କୃଷ୍ଣର ଲୀଳା ଯେତେ କହ ।

ହୃଦୁ ମୋ ସନ୍ତାପ ତୁଟାଅ ।। ୯୯ ।।

 

ତୋର କୀର୍ତ୍ତନ ନୃତ୍ୟ ରସ ।

ଦେଖିତେ ମୋହର ମୁହାଁସ ।। ୧୦୦ ।।

 

ଭଗତି ତତ୍ତ୍ୱ ସେ ଶୁଣିଲେ ।

ମନକୁ କେତେ ପ୍ରବୋଧିଲେ ।। ୧୦୧ ।।

 

ବଳରାମ ଅଚ୍ୟୁତ ଅନନ୍ତ ।

ଜଗନ୍ନାଥ ଯେ ଯଶୋବନ୍ତ ।। ୧୦୨ ।।

 

ମଧ୍ୟେଣ ଚୈତନ୍ୟ ରହଇ ।

କୀର୍ତ୍ତନ ନୃତ୍ୟ ସେ କରଇ ।। ୧୦୩ ।।

 

ରଥର ବେଳ ଆସି ହେଲା ।

ନୃତ୍ୟ ସେ ରଥ ଆଗେ କଲା ।। ୧୦୪ ।।

 

 

କେ କହୁ ପ୍ରଭୁର ସେ ନୃତ୍ୟ ।

ମହାଭାବ ରେ ରସାୟିତ ।। ୧୦୫ ।।

 

କ୍ଷଣକେ ବଢ଼ଇ ଛିଡ଼ଇ ।

କ୍ଷଣକେ ଅନ୍ତର୍ଦ୍ଧାନ ହୋଇ ।। ୧୦୬ ।।

 

ରାଧାର ସ୍ୱଭାବଟି ଯେତେ ।

କ୍ଷଣକେ ନୟନ ଲୋତକେ ।। ୧୦୭ ।।

 

ଉଦ୍ଦାମ ଭାବ ନୃତ୍ୟ ଭାଗେ ।

ନୃପମଣି ସେ ଅନୁରାଗେ ।। ୧୦୮ ।।

 

ବୋଇଲେ ଏ ନୁହେଁ ମାନବ ।

ସାକ୍ଷାତ ଅଟେ ରାଧାଭାବ ।। ୧୦୯ ।।

 

ରାମରାୟ ଯେ ଜଣାଇଲେ ।

ଏ ନୋହେ ମନୁଷ୍ୟଟି ଭଲେ ।। ୧୧୦ ।।

 

ଦେବତା ଭାବ ଆବେଶଇ ।

ନୃତ୍ୟ ରଙ୍ଗରେ ପ୍ରକଟଇ ।। ୧୧୧ ।।

 

 

ସ୍ଵାମୀ ସମ୍ଭାଷେ ଅବଗତ ।

ସଭିଏଁ ହୋଇ ଆନନ୍ଦିତ ।। ୧୧୨ ।।

 

ପ୍ରଭୁ ଏ ବୋଲି ବିଘୋଷିଲେ ।

ରଥ ଯାତ୍ରାର ଲୋକ ମେଳେ ।। ୧୧୩ ।।

 

ସକଳେ ଶୁଣି ହେଲେ ତୋଷ ।

ଚୈତନ୍ୟ ପ୍ରଭୁ ଏ ବିଶେଷ ।। ୧୧୪ ।।

 

ପ୍ରଭୁର ଯେତେ ମହାଭାବ ।

କେ ତାହା ବର୍ଣ୍ଣିଣ ପାରିବ ।। ୧୧୫ ।।

 

କେବେ ରହଇ ମହାଭାବେ ।

ଗମ୍ଭୀରା ଭିତରେ ସେ ଲବେ ।। ୧୧୬ ।।

 

ଉଠଇ ବସଇ ଗଡ଼ଇ ।

ହା କୃଷ୍ଣ ବୋଲି ଉଚ୍ଚାରଇ ।। ୧୧୭ ।।

 

ନୟନୁ ଲୋତକ ଝରଇ ।

କୃଷ୍ଣରେ ଅନୁରାଗୀ ହୋଇ ।। ୧୧୮ ।।

 

 

କୃଷ୍ଣ ବିରହ ବାଧା ଏ ଟି ।

ପ୍ରଭୁର ଶରୀରେ ପ୍ରକଟି ।। ୧୧୯ ।।

 

କଟି ସୂତ୍ରେ ନାମ ଜପଇ ।

ଗଣିବା ସ୍ୱଭାବ ଛାଡ଼ଇ ।। ୧୨୦ ।।

 

ମତି ଭୋଳେ ସେ ଦିନ ନିଏ ।

ଶିଶୁ ପରାୟ ଭାବ ବହେ ।। ୧୨୧ ।।

 

କେବେ ଧାଏଁ ସେ ଦେଉଳକୁ ।

କୃଷ୍ଣ ମୋ କାହିଁ ଦେଖିବାକୁ ।। ୧୨୨ ।।

 

ହା କୃଷ୍ଣ ବୋଲି ଉଚ୍ଚେ କାନ୍ଦେ ।

କେବେ ବା ନିଜ ରୂପ ନିନ୍ଦେ ।। ୧୨୩ ।।

 

କେବେ ଧାଏଁ ସେ ସମୁଦ୍ରକୁ ।

କୃଷ୍ଣର ରୂପ ଦେଖିବାକୁ ।। ୧୨୪ ।।

 

ମେଘ ଉଦୟ ଆକାଶର ।

ଦେଖିଣ ହୁଅଇ କାତର ।। ୧୨୫ ।।

 

 

କେବେ ସେ ତୋଟା ଗୋପୀନାଥେ ।

କେବେ ବା ବସେ କୁଞ୍ଜମଠେ ।। ୧୨୬ ।।

 

କେବେ ବା ଗୁଣ୍ଡିଚାକୁ ଯାଇ ।

ମଣ୍ଡପେ ବସିଣ ଭାବଇ ।। ୧୨୭ ।।

 

ଏକା ସେ କୃଷ୍ଣ ରୂପ ଧ୍ୟାନେ ।

ରହଇ ଭାବ ଆସ୍ୱାଦନେ ।। ୧୨୮ ।।

 

କ୍ଷଣ କ୍ଷଣ କେ ମୂର୍ଚ୍ଛା ହୋଏ ।

କେବେବା ରୋମାଞ୍ଚିତ କାୟେ ।। ୧୨୯ ।।

 

କେବେ ବା ଧୂଳିରେ ଗଡ଼ଇ ।

ସର୍ବାଙ୍ଗେ ଧୂଳି ବୋଳି ହୋଇ ।। ୧୩୦।।

 

ନରେନ୍ଦ୍ର ପୋଖରୀକୁ ଧାଏଁ ।

କେବେ ମାର୍କଣ୍ଡେ ଅବଗାହେ ।। ୧୩୧ ।।

 

କୀର୍ତ୍ତନ ରସେ ମତି ଭୋଳ ।

ନୃତ୍ୟ କରଇ ପ୍ରବିରଳ ।। ୧୩୨ ।।

 

 

ଆଗକୁ ପଛକୁ ଝୁଲଇ ।

ହୁଂକାରେ ସେହୁ ଲମ୍ପ ଦେଇ ।। ୧୩୩ ।।

 

କେବେ ବା ରହେ ପ୍ରକୃତିରେ ।

ସୁଖରେ ଆଳାପ ସେ କରେ ।। ୧୩୪ ।।

 

ଏକା ତା ମତି ନୃତ୍ୟ ରଙ୍ଗେ ।

କୀର୍ତ୍ତନ ରସ ଅଙ୍ଗେ ଅଙ୍ଗେ ।। ୧୩୫ ।।

 

ଶୟନ ଅଶନରେ ମନ ।

ନ ଥାଇ ତାହାରଟି ଜାଣ ।। ୧୩୬ ।।

 

ସ୍ଵାମୀ ଆଣଇ ଅନ୍ନ ଥାଳି ।

ଭୁଞ୍ଜାଏ ବଳତ୍କାର କରି ।। ୧୩୭ ।।

 

ସ୍ଵରୂପ ଦାମୋଦର ପାଶେ ।

ମହାଭାବ ସେ ପରକାଶେ ।। ୧୩୮ ।।

 

ଦେଖିଣ ଜନେ ଆଚମ୍ବିତ ।

ବୁଝନ୍ତି ପ୍ରଭୁର ଉଦନ୍ତ ।। ୧୩୯ ।।

 

 

ନୀଳାଚଳର ପ୍ରେମ ଧନ ।

ପ୍ରଭୁ ଏ ବୋଲିବାଟି ଜାଣ ।। ୧୪୦ ।।

 

ସାକ୍ଷତେ ପ୍ରେମର ପ୍ରତିମା ।

ପ୍ରେମ ରସର ଏହୁ ସୀମା ।। ୧୪୧ ।।

 

ନ ଜାଣେ କେହୁ ତାର ଭାବ ।

ସ୍ଵାମୀ ଜାଣଇ ଏ ସ୍ୱଭାବ ।। ୧୪୨ ।।

 

ବୋଲଇ ପ୍ରଭୁ ସ୍ଥିର ହୁଅ ।

କୀର୍ତ୍ତନ ରସେ ମନ ଦିଅ ।। ୧୪୩ ।।

 

କୀର୍ତ୍ତନେ ତୋର ଭାବ ମୂର୍ତ୍ତି ।

ମନୁଷ୍ୟ ଛାର କି ବୁଝନ୍ତି ।। ୧୪୪ ।।

 

ବଳରାମ ଯେ ଜଗନ୍ନାଥ ।

ଅନନ୍ତ ଅଚ୍ୟୁତ ଯଶୋବନ୍ତ ।। ୧୪୫ ।।

 

ଏ ପାଞ୍ଚ ପ୍ରଭୁ ପାଶେ ମିଳି ।

କୀର୍ତ୍ତନ ରସେ ମତି ଢାଳି ।। ୧୪୬ ।।

 

 

ବୋଇଲେ ପ୍ରଭୁ ଥୟ ହୁଅ ।

ସଦା ତୁ ଆମ୍ଭ ତୁଲେ ଥାଅ ।। ୧୪୭ ।।

 

ପ୍ରଭୁ ଯେ ଭାବ ପ୍ରକାଶଇ ।

ମନୁଷ୍ୟ ଲୀଳା ଏ ବୋଲାଇ ।। ୧୪୮ ।।

 

କହଇ ମାଧବ ଯେ ଦାସ ।

ପ୍ରଭୁ ପାଦକୁ କରି ଆଶ ।। ୧୪୯ ।।

 

ଅଷ୍ଟମ ଅଧ୍ୟାୟ

 

ଶୁଣ ସାଧବେ ଦେଇ ମନ ।

କରିବି କୀର୍ତ୍ତନ ବର୍ଣ୍ଣନ ।। ୧ ।।

 

ମୃଦଙ୍ଗ ହେଲା ଖୋଳ ନାମ ।

ଏହୁ ତହିଁକି ପରିଣାମ ।। ୨ ।।

 

ଦିନେକ କୀର୍ତ୍ତନ ରସରେ ।

ପ୍ରଭାତୁ ନଗରେ ବାହାରେ ।। ୩ ।।

 

ଅଚ୍ୟୁତ ଅନନ୍ତ ଯଶୋବନ୍ତ ।

ବଳରାମ ଯେ ଜଗନ୍ନାଥ ।। ୪ ।।

 

ମୃଦଙ୍ଗିଆ ଜଣ ଦୁଇ ଯେ ।

ସଙ୍ଗତେ ଅଛଇ ବେଡ଼ାୟେ ।। ୫ ।।

 

ପ୍ରଭୁ ଯେ ମହା ନୃତ୍ୟକାରେ ।

କୀର୍ତ୍ତନ ରସେ ନୃତ୍ୟକରେ ।। ୬ ।।

 

 

କୀର୍ତ୍ତନ ଗହ ଗହ ନାଦେ ।

ଝାଞ୍ଜ ମୃଦଙ୍ଗ ତାଳ ଶବ୍ଦେ ।। ୭ ।।

 

ଦୁଆରେ ଦୁଆରେ ବାଳୁତେ ।

କୀର୍ତ୍ତନ ଶବଦ ଶୁଣନ୍ତେ ।। ୮ ।।

 

ମାତାମାନନ୍ତ ଘରେ ଘରେ ।

ବାସିପାଇଟି ଯେ ଉଭାରେ ।। ୯ ।।

 

ଏକ ସେ ବାଳୁତ ଉଠିଲା ।

କୀର୍ତ୍ତନ ଦେଖିବି ବୋଇଲା ।।୧୦ ।।

 

ଶଯ୍ୟାରୁ ଉଠି ଧାଏଁ ଖରେ ।

କୀର୍ତ୍ତନ ଦେଖିବ ଦୁଆରେ ।। ୧୧ ।।

 

ପିଣ୍ଡା ତଳକୁ ଗଡ଼ିଲାର ।

ମସ୍ତକୁ ବହି ରକ୍ତଧାର ।। ୧୨ ।।

 

ମାତା ଯେ ଗୃହକୃତ୍ୟେ ରତ ।

କ୍ରନ୍ଦନେ ଧାଇଁଣ ଯାଆନ୍ତ ।। ୧୩ ।।

 

 

କୋଳକୁ ଶିଶୁ ଉଠାଇଲେ ।

ଚଇତନ୍ୟକୁ କୋପ କଲେ ।। ୧୪ ।।

 

ଶିଶୁର ମଳମୁତ୍ର ଯେତେ ।

କନା ସେ ସଂଚିଲାର ରାତ୍ରେ ।। ୧୫ ।।

 

ହସ୍ତେ ଉଭାରିଣ ଧଇଲେ ।

ଦାଣ୍ଡ ଦୁଆର ବୋଲିଗଲେ ।। ୧୬ ।।

 

ଦୁଆର ସୀମାରେ ପହଞ୍ଚ ।

ଗହଳି କୀର୍ତ୍ତନର ମଞ୍ଚ ।। ୧୭ ।।

 

ମାତା ଯେ ବହୁ ତରଜିଲେ ।

ଉଚ୍ଚ ସ୍ୱରରେ ଡାକ ଦେଲେ ।। ୧୮ ।।

 

ମଳମୁତ୍ର କନା ସବୁନ୍ତି ।

କୀର୍ତ୍ତନ ଉପରେ ଫିଙ୍ଗନ୍ତି ।। ୧୯ ।।

 

କୋପ ବିରକ୍ତି ଘୃଣାବଶେ ।

ଡକା ସେ ଦେଲେକ ଅଶେଷେ ।। ୨୦ ।।

 

 

ପ୍ରଭୁ ସେ କନାକୁ ଧଇଲା ।

ମୃଦଙ୍ଗ ଉପରେ ଥୋଇଲା ।। ୨୧ ।।

 

ପୁଲକେ ଅଙ୍ଗ ଜର ଜର ।

ଭାଷଇ ଗଦ ଗଦ ସ୍ଵର ।। ୨୨ ।।

 

ବୋଇଲା ପାଇଲୁ ସମ୍ପଦ ।

କୀର୍ତ୍ତନ ରସର ଆନନ୍ଦ ।। ୨୩ ।।

 

ଶିଶୁର ମଳ ଏହୁ ନୋହେ ।

ସାକ୍ଷାତ ଚନ୍ଦନ ବୋଲାଏ ।। ୨୪ ।।

 

ମସ୍ତକେ ବୋଳ ଏ ଚନ୍ଦନ ।

କୀର୍ତ୍ତନ ରସର ବନ୍ଦନ ।। ୨୫ ।।

 

ମଳମୁତ୍ର କନା ଗୋଟାଇ ।

ମୃଦଙ୍ଗ ଉପରେ ପକାଇ ।। ୨୬ ।।

 

ବୋଲେ ଆଜହୁଁ ଏ ହୋଇବ ।

ମୃଦଙ୍ଗେ ଏହୁ ଘୋଡ଼ାଇବ ।। ୨୭ ।।

 

 

ସ୍ମରଣେ ମାତା କୁପିଲାର ।

ବାଳୁତ କନା ଖୋଳକର ।। ୨୮ ।।

 

ମୃଦଙ୍ଗ ଉପର ଏ ଖୋଳେ ।

ନ ଥିଲେ କୀର୍ତ୍ତନ ନ ଚଳେ ।। ୨୯ ।।

 

ସେ ଦିନୁ କନା ଘୋଡ଼ାଇଲା ।

ମୃଦଙ୍ଗ ଖୋଳ ବୋଲାଇଲା ।। ୩୦ ।।

 

ଶୁଣ ସୁଜନେ ମନତୋଷ ।

କୀର୍ତ୍ତନ ରସର ବିଶେଷ ।। ୩୧ ।।

 

ଦିନେକ ପ୍ରଭୁ ହକାରିଲେ ।

ପଞ୍ଚସଖାଙ୍କୁ ଆସ ବୋଲେ ।। ୩୨ ।।

 

ଆସ ହୋ ସ୍ଵାମୀ ବଳରାମ ।

ଆସ ଅଚ୍ୟୁତ ଅନନ୍ତେଣ ।। ୩୩ ।।

 

ଯଶୋବନ୍ତ ହୋ ତୁମେ ଆସ ।

ସ୍ଵାମୀ ହୋ ମୋର ପାଶେ ବସ ।। ୩୪ ।।

 

 

କରିବା କୀର୍ତ୍ତନ ପ୍ରଚାର ।

ଭ୍ରମିବା ନଗର ନଗର ।। ୩୫ ।।

 

ଅନବସର ଦିବସେଣ ।

ଯିବାକ ଅଲାର ନାଥେଣ ।। ୩୬ ।।

 

ଆଷାଢ଼ ପ୍ରତିପଦା ତିଥି ।

ଅମାବାସ୍ୟାକୁ ସେ ଫେରନ୍ତି ।। ୩୭ ।।

 

କୀର୍ତ୍ତନ ଅଲାରନାଥେଣ ।

କ୍ଷିରୀଭୋଗ ଯେ ଆସ୍ୱାଦନ ।। ୩୮ ।।

 

ରାମରାୟ ଯେ ତୋଷ ହୋଇ ।

ବୈଷ୍ଣବେ ବହୁ ଚରଚଇ ।। ୩୯ ।।

 

ପଞ୍ଚୁପାଣ୍ଡବ ମୂର୍ତ୍ତି ପାଶେ ।

କୀର୍ତ୍ତନ କରନ୍ତି ଅଶେଷେ ।। ୪୦ ।।

 

ପ୍ରତ୍ୟେକ ବରଷ ଏ ମତେ ।

ଚଳନ୍ତି ସେ ଅଲାର ନାଥେ ।। ୪୧ ।।

 

 

ପଉଷ ପୂର୍ଣ୍ଣିମା ତିଥିରେ ।

ମିଳନ୍ତି ଏକାମ୍ର କ୍ଷେତ୍ରରେ ।। ୪୨ ।।

 

ଅନନ୍ତ ବାସୁଦେବ ଠାଇଁ ।

କୀର୍ତ୍ତନ ରସ ପ୍ରକାଶଇଁ ।। ୪୩ ।।

 

କୃତ୍ତିବାସ ଯେ ଲିଙ୍ଗରାଜ ।

ହରିହର ରୂପେ ବିରାଜ ।। ୪୪ ।।

 

ତୁଳସୀ ବିଲ୍ୱଦଳ ଦେଇ ।

ପୂଜନ୍ତି ଲିଙ୍ଗରାଜ ତହିଁ ।। ୪୫ ।।

 

ଗଉରୀ କୁଣ୍ଡେଣ ସ୍ନାହାନ ।

କେଦାର ଈଶ୍ଵର ପୂଜନ I। ୪୬ ।।

 

ଅନନ୍ତ ବାସୁଦେବ ଭୋଗ ।

ବିନ୍ଦୁସାଗରେ ଅନୁରାଗ ।। ୪୭ ।।

 

କୀର୍ତ୍ତନ କରନ୍ତି ଅଶେଷେ ।

ବୈଷ୍ଣବ ଭଗତ ପାରୁଶେ ।। ୪୮ ।।

 

 

ନିଆଳି ମାଧବେ ଗମନ ।

ପ୍ରାଚୀରେ ଅଙ୍ଗ ପଖାଳନ ।। ୪୯ ।।

 

ମାଧବେ ଭଗତି ଅର୍ପଣ ।

କୀର୍ତ୍ତନ ରସ ପ୍ରସାରଣ ।। ୫୦ ।।

 

ବହୁତ ଲୋକ ମେଳହୋନ୍ତି ।

ମକରମେଳା ସେ କରନ୍ତି ।। ୫୧ ।।

 

ଗୀତ ଗୋବିନ୍ଦ ନୃତ୍ୟରସେ ।

ଜୟଦେବର ପରଶଂସେ ।। ୫୨ ।।

 

କେନ୍ଦୁଳି ଗ୍ରାମର ମଧ୍ୟେଣ ।

କୀର୍ତ୍ତନ ରସ ପ୍ରସାରଣ ।। ୫୩ ।।

 

ତହୁଁ ଗମନ୍ତି ଚନ୍ଦ୍ରଭାଗା ।

ପଡ଼ଇ ମୁହଁ ତହିଁ ରଙ୍ଗା ।। ୫୪ ।।

 

ତିଳ ସପ୍ତମୀ ବୁଡ଼ପାରି ।

କୀର୍ତ୍ତନ କରନ୍ତି ଉଭାରି ।। ୫୫ ।।

 

 

ଆଦିତ୍ୟ ବିଷ୍ଣୁର ଅର୍ଚ୍ଚନା ।

କରନ୍ତି ସୂର୍ଯ୍ୟ ଉପାସନା ।। ୫୬ ।।

 

ଅରୁଣ ସୂର୍ଯ୍ୟର ଉଦୟେ ।

ପ୍ରଭୁର ମତି ଭୋଳ ହୁଏ ।। ୫୭ ।।

 

ମହାଭାବ ସେ ପ୍ରକାଶଇ ।

ନୃତ୍ୟ କରେ ସେ ଅନେକାଇ ।। ୫୮ ।।

 

ପଞ୍ଚସଖାଙ୍କ ସଙ୍ଗ ମେଳେ ।

କୀର୍ତ୍ତନ ଭଗତ ମଣ୍ଡଳେ ।। ୫୯ ।।

 

କ୍ଷିରୀ ଲଡ଼ୁ ଭୋଗ ସେବନ ।

କରନ୍ତି ବିଷ୍ଣୁର ଅର୍ଚ୍ଚନ ।। ୬୦ ।।

 

ବାଟରେ ମଙ୍ଗଳା ପୂଜନ ।

ପ୍ରଭୁ କରଇ ରାଧାଜ୍ଞାନ ।। ୬୧ ।।

 

କାକଟପୁର ଗ୍ରାମବାଟେ ।

ପ୍ରବେଶ ହୋନ୍ତି କ୍ଷେତ୍ର ତଟେ ।। ୬୨ ।।

 

 

କଟକେ ଗମନ୍ତି ଦୋଳକୁ ।

ରାଜାଙ୍କ ନହର ମେଳାକୁ ।। ୬୩ ।।

 

ରୁଦ୍ରଦେବ ଯେ ଗଜପତି ।

ବୈଷ୍ଣବେ ଅର୍ଚ୍ଚନା କରନ୍ତି ।। ୬୪ ।।

 

ରାଣୀମାନନ୍ତ ସମ୍ଭାଷଣ ।

କରନ୍ତି ବୈଷ୍ଣବ ପୂଜନ ।। ୬୫ ।।

 

କୀର୍ତ୍ତନ ରସ ନିରୀମାଖି ।

ପ୍ରଭୁର ମହାଭାବ ଦେଖି ।। ୬୬ ।।

 

ନୃପ ଯେ ବିଭୋଳ ହୁଅନ୍ତି ।

କୃଷ୍ଣ ରସରେ ନିମଜ୍ଜନ୍ତି ।। ୬୭ ।।

 

ତହିଁ ଚଳନ୍ତି ବିରଜାଇ ।

ବୈତରଣୀରେ ଅବଗାହି ।। ୬୮ ।।

 

ଦଶାଶ୍ୱମେଧ ଘାଟେ ସ୍ନାନ ।

କରନ୍ତି ବୈଷ୍ଣବେ କୀର୍ତ୍ତନ ।। ୬୯ ।।

 

 

ପ୍ରଭୁର ପିତୃସ୍ଥାନ ଏହି ।

ଯାଜନଗ୍ରଟିଏ ବୋଲାଇ ।। ୭୦ ।।

 

ଉପେନ୍ଦ୍ର ପିତାମହ ନାମ ।

ବତ୍ସସ ସାମନ୍ତ କୁଳୀନ ।। ୭୧ ।।

 

ଅଟଇ ମିଶ୍ର ସଂଜ୍ଞାଧାରୀ ।

ବୈଦିକ ଶାସନାଧିକାରୀ ।। ୭୨ ।।

 

ଷଡ଼ ଦର୍ଶନରେ ପଣ୍ଡିତ ।

ନ୍ୟାୟ ବେଦାନ୍ତେ ବଳବନ୍ତ ।। ୭୩ ।।

 

କପିଳେଶ୍ୱର ମହାରାଜା ।

ଅନେକ କଲାଇଁ ତରଜା ।। ୭୪ ।।

 

ରାଜ ଭୟରେ ପଲାଇଲେ ।

ଶ୍ରୀହଟ୍ଟେ ଯାଇ ବାସକଲେ ।। ୭୫ ।।

 

ତାହାର ପୁତ୍ର ଜଗନ୍ନାଥ ।

ତା ତହୁଁ ପ୍ରଭୁ ହୋଏ ଜାତ ।। ୭୬ ।।

 

 

ଯାଜପୁରକୁ ଆସି ହେଲେ ।

ପ୍ରମୋଦେ କୀର୍ତ୍ତନ ମଣ୍ଡଳେ ।। ୭୭ ।।

 

ପ୍ରଭୁର ପରିଚୟ ଜାଣି ।

କରନ୍ତି ପାଦେ ସେ ବନ୍ଦଣି ।। ୭୮ ।।

 

ଗୋମୟ ଲିପି ଦ୍ୱାରେ ଭାଗ ।

ଥାପନ୍ତି ଦୀପ ପୂର୍ଣ୍ଣକୁମ୍ଭ ।। ୭୯ ।।

 

ପ୍ରଭୁକୁ ସରାଗେ ବନ୍ଦିଲେ ।

ମହାଭାବ ଯେ ପ୍ରକାଶିଲେ ।। ୮୦।।

 

ସେଥେଁ କିଛିଦିନ ରହଣି ।

ତୁଳସୀ କ୍ଷେତ୍ରେ ବିଜେ ପୁଣି ।। ୮୧ ।।

 

ତହିଁ ବଳଦେବ ଦର୍ଶନ ।

କରନ୍ତି ପ୍ରସାଦ ସେବନ ।। ୮୨ ।।

 

ଲେଉଟି ଆସନ୍ତି କ୍ଷେତ୍ରକୁ ।

ଦେବତା ସ୍ନାହାନ ବେଳକୁ ।। ୮୩ ।।

 

 

ଏ ମତେ ପଞ୍ଚସଖା ସଙ୍ଗେ ।

ପ୍ରଭୁ ଯେ ଚଳେ ନୃତ୍ୟରଙ୍ଗେ ।। ୮୪ ।।

 

ବରଷ ବରଷ ଏ ନୀତି ।

ସଙ୍ଗ ପଞ୍ଚସଖା କରନ୍ତି ।। ୮୫ ।।

 

ପ୍ରଭୁ କନକଗୌରୀ କାନ୍ତି ।

ଦୁଃଖ ପାଶୋରା ଅଟଇଟି ।। ୮୬ ।।

 

ଅଚ୍ୟୁତ କରଇ ଭିଆଣ ।

ରାସଲୀଳାର ପ୍ରକରଣ ।। ୮୭ ।।

 

ସ୍ଵାମୀ ଯେ ଅଟଇଟି ଗୁରୁ ।

କୀର୍ତ୍ତନ ରସ ମହାମେରୁ ।। ୮୮ ।।

 

ବଳରାମ ଅଟେ ସାତ୍ତ୍ୱିକ ।

ଭାବରସର ପ୍ରବର୍ତ୍ତକ ।। ୮୯ ।।

 

ଅନନ୍ତ ଯଶୋବନ୍ତ ଜାଣ ।

କୀର୍ତ୍ତନ ରସର ସୁଜାଣ ।। ୯୦ ।।

 

 

ଗୁରୁ ଗଦାଧର ପୂଜନ୍ତି ।

ତୋଟା ଗୋପୀନାଥେ ସେବନ୍ତି ।। ୯୧ ।।

 

କାହିଁ ସେ ଯାଇ ନ ପାରନ୍ତି ।

କୃଷ୍ଣର ଲୀଳା ସେ ଗୁଣନ୍ତି ।।୯୨ ।।

 

ସ୍ଵରୁପ ଅଟେ କ୍ଷୀଣକାୟା ।

ନ ଥାଇ ହୃଦୟେଣ ମାୟା ।। ୯୩ ।।

 

କାହିଁ ସେ ଯାଇ ନ ପାରନ୍ତି ।

ନିରତେ କଷ୍ଟ ଭୋଗୁଥାଇ ।। ୯୪ ।।

 

ପଞ୍ଚସଖାଙ୍କର କୀର୍ତ୍ତନ ।

ଅପୁତ୍ରିକକୁ ପୁତ୍ର ଦାନ ।। ୯୫ ।।

 

ହିଂସ୍ର ଜନ୍ତୁର କବଳରୁ ।

କୀର୍ତ୍ତନ ପ୍ରାଣୀକୁ ଉଦ୍ଧରୁ ।। ୯୬ ।।

 

ପ୍ରକୃତ ବାମ ହେଲେ କାହିଁ ।

ଲୋକ ଯେ ରାସଟି ଭିଆଇ ।। ୯୭ ।।

 

 

ସ୍ୱାମୀର ଭାଗବତ ପୋଥି ।

ଦେବତା ଭିଆଣେ ପୂଜନ୍ତି ।। ୯୮ ।।

 

ଶ୍ରୀଭାଗବତ ପୋଥି ଯେତେ ।

ଲେଖାଇ ନିଅଇ ଅନେକେ ।। ୯୯ ।।

 

ଭାଗବତ ଗ୍ରାମେ ପଢ଼ଇ ।

ପୂଜନ୍ତି ଆସନେ ବସାଇ ।। ୧୦୦ ।।

 

କରନ୍ତି ତହିଁ ରାସଲୀଳା ।

ନୃତ୍ୟନ୍ତି ଭାବ ରସ ଭୋଳା ।। ୧୦୧ ।।

 

ସ୍ୱାମୀର ପଦ ଗୀତ ଗାଇ ।

ନୃତ୍ୟନ୍ତି ଖୋଳ ତାଳ ବାଇ ।। ୧୦୨ ।।

 

ତୋର ଚରଣେ ମନ ଲାଗଇରେ ।

ଗିରିଧର ( !) ତୋର ଚରଣେ ମନଲାଗଇରେ ।।

 

ନଟବର ନାଗର ଗୋପୀଙ୍କ ବାସ ଚୋର

ତୋର ଚରଣେ ମନ ଲାଗଇରେ ।।

 

 

ପୟର ତୋର ଛନ୍ଦା ଭଗତ ଭାବେ ବନ୍ଧା ।

ତୋର ଚରଣେ ମନ ଲାଗଇରେ ।।

 

ଗୋପୀଙ୍କ ମନ ହର ରାଧାର ଚିତ୍ତ ଚୋର

ତୋର ଚରଣେ ମନ ଲାଗଇରେ ।।

ଜଗା ଦାସ ବୋଲଇ ଦାସ ଭାବରେ ରହି ।

ପ୍ରେମଧନକୁ ମନ ଆସଇରେ ।।

ତୋର ଚରଣେ ମନ ଲାଗଇରେ ।।

ଗୁରୁ ଅଚ୍ୟୁତ ଆଦେଶିଲା ।

ଶିଷ୍ୟ ରାମଚନ୍ଦ୍ର ଅଇଲା ।। ୧୦୩ ।।

ସ୍ଵାମୀକୁ ବୋଲେ ଆସ ତୁହି ।

ଜଙ୍ଖରପୁର ପାଟଣାହିଁ ।। ୧୦୪ ।।

ସେ ଥାନେ ରାହାସ ରଚଇ ।

ସାକ୍ଷାତ ଧାମ ଯେ ଭାବଇ ।। ୧୦୫ ।।

ସଖାଗଣ ଯେ ମେଳ ହୋଇ ।

ପ୍ରଭୁ ଯେ ସଙ୍ଗତରେ ଥାଇ ।। ୧୦୬ ।।

 

 

ରାସ ଯେ ରଚିଲେ ସେ ଥାନେ ।

କୀର୍ତ୍ତନ ରସ ପରିମାଣେ I। ୧୦୭ ।।

 

ସାରଳା ଚଣ୍ଡି ଏହୁ ନୋହେ ।

ସାକ୍ଷାତ ରାଧାର ବିଗ୍ରହେ ।। ୧୦୮ ।।

 

ମହାଭାବର ଅଟେ ସୀମା ।

ସାକ୍ଷାତ ରାଧାର ପ୍ରତିମା ।। ୧୦୯ ।।

 

ପ୍ରଭୁ ଯେ ରାସଲୀଳା ଭୋଳେ ।

ଭାବେଣ ମଜ୍ଜି ନୃତ୍ୟକରେ ।। ୧୧୦ ।।

 

ବଡ଼ ସୁରମ୍ୟ ଏହୁ ଥାନ ।

ଉପୁଜି ମହାଭାବ ପୁଣ ।। ୧୧୧ ।।

 

ଏମନ୍ତ କେତେ କାଳ ଯାଇ ।

କୀର୍ତ୍ତନ ରସେ ମନଦେଇ ।। ୧୧୨ ।।

 

 

ଭ୍ରମନ୍ତି ନଗ୍ର ଗ୍ରାମ ବଣେ ।

କୀର୍ତ୍ତନ ରସ ପ୍ରସାରଣେ ।। ୧୧୩ ।।

 

କହଇ ମାଧବ ଗୁଆଳି ।

କୀର୍ତ୍ତନ ରସେ ମତି ଢାଳି ।। ୧୧୪ ।।

 

ନବମ ଅଧ୍ୟାୟ

 

ନୀଳାଚଳର ଇଷ୍ଟଗୋଷ୍ଠୀ ।

ଉତ୍ର ପାରୁଶେଣ ବସନ୍ତି ।। ୧ ।।

 

ରାମ ରାୟ ଯେ ମୁଖ୍ୟ ଏଥି ।

ପ୍ରଭୁ ସ୍ଵାମୀ ମଧ୍ୟେ ବସନ୍ତି ।। ୨ ।।

 

ବଳରାମ ଯେ ସ୍ଵାମୀ ପାଶେ ।

ଅନନ୍ତ ଅଚ୍ୟୁତ ଯଶୋବନ୍ତେ ।। ୩ ।।

 

ସ୍ୱରୁପ ରଘୁନାଥ ଦାସ ।

ଅଟନ୍ତି ପଣ୍ଡିତ ବିଶେଷ ।। ୪ ।।

 

ସାର୍ବଭୌମ ମଧ୍ୟେ ବସନ୍ତି ।

ଶାସ୍ତ୍ର ବିଚାର ସେ କରନ୍ତି ।। ୫ ।।

 

ବୃନ୍ଦାବନରୁ ରୂପ ଆସେ ।

ରାଜାର ଅଙ୍କ ଚଉରାଳିସେ ।। ୬ ।।

 

 

ରୂପ ଦେଖାଇଲେ ନାଟକ ।

ପ୍ରଭୁ ବୋଲଇ ପଢ଼ିବାକ ।। ୭ ।।

 

ଇଷ୍ଟଗୋଷ୍ଠୀରେ ଆସି ହେଲେ ।

ନାଟକ ରୂପ ଦେଖାଇଲେ ।। ୮ ।।

 

ପ୍ରଭୁ ଯେ ରାମ ରାୟ ଦେଲେ ।

ପରୀକ୍ଷା କରହୋ ବୋଇଲେ ।। ୯ ।।

 

ରାୟ ବୋଇଲେ ପଢ଼ ଶ୍ଳୋକ ।

କବିତ୍ୱ ପରିମାଣିବାକ ।। ୧୦ ।।

 

ରୂପ ପଢ଼ଇ ଶ୍ଳୋକ ଯେତେ ।

ନାନ୍ଦୀରୁ ରାଧା ମାନ ସେତେ ।। ୧୧ ।।

 

ରାୟ ବୋଇଲେ ରୁପେ ଚାହିଁ ।

କବିତ୍ୱତୋର ଅମୃତ ହିଁ ।। ୧୨ ।।

 

ଏଡ଼େକ ରସ ନାଟ କଲୁ ।

କବିତା ରସ ଆସ୍ୱାଦିଲୁ ।। ୧୩ ।।

 

 

ତୋର ନାଟକ ଯେ ବିଶେଷ ।

ପ୍ରକାଶ ହେଉ ସର୍ବଦେଶ ।। ୧୪ ।।

 

ବିଦଗ୍‌ଧ ମାଧବ ଏ ନାଟ ।

ଲୋକରେ ହେଲାଟି ପ୍ରକଟ ।। ୧୫ ।।

 

ରୂପ ରହିଲେ ଚାରିମାସେ ।

ଗମନ୍ତି କାର୍ତ୍ତିକ ପ୍ରବେଶେ ।। ୧୬ ।।

 

ରଘୁନାଥ ରୂପ ସଙ୍ଗତେ ।

ଗଲେକ ବୃନ୍ଦାବନ ପଥେ ।। ୧୭ ।।

 

ସ୍ୱରୂପ ସେହୁ ଏଥେ ରହି ।

ଅନେକ କଷ୍ଟ ସେ ଭୋଗଇ ।। ୧୮ ।।

 

ଶ୍ଵାସରୋଗର ଏ ବେଭାର ।

ଥରଇ ସଦା କଳେବର ।। ୧୯ ।।

 

ମାଘ ଶୁକ୍ଳ ଏକାଦଶୀରେ ।

ଦେହରକ୍ଷା ତା ଗମ୍ଭିରାରେ ।। ୨୦ ।।

 

 

ଅନନ୍ତ ଅଚ୍ୟୁତ ମିଳିଲୁ ।

ଯଶୋବନ୍ତକୁ ହକାରିଲୁ ।। ୨୧ ।।

 

ନେଲୁ ସେ ଶବ ସମୁଦ୍ରକୁ ।

ଭସାଇଦେଲୁ ସେ ସଞ୍ଜକୁ ।। ୨୨ ।।

 

ପ୍ରଭୁ ମୁଖୁ କଥା ନସ୍ଫୁରେ ।

ରାୟ ଯେ ଥମ୍ବିତ ହୋଇଲେ ।। ୨୩ ।।

 

ସ୍ଵାମୀ ବଳରାମ ସମେତେ ।

ଦୁଃଖ ଯେ ତହିଁ କଲେ କେତେ ।। ୨୪ ।।

 

ଗଦାଧରେ ପ୍ରଭୁ ହକାରେ ।

ଚଳ ତୁ ଏଥୁଟି ଗୌଡ଼ରେ ।।୨୫ ।।

 

ସ୍ଵରୁପ ଏଥେ ମାରାଗଲା ।

ଜଣାଅ ଭକତଙ୍କୁ ଭଲା ।। ୨୬ ।।

 

ଗୌଡ଼େ ଚଳିଲେ ଗଦାଧର ।

ଫଗୁଣ ମାସ ଆରମ୍ଭର ।। ୨୭ ।।

 

 

ବଳରାମ ଯେ ସୁପଣ୍ଡିତ ।

ବେଦାନ୍ତ ଶାସ୍ତ୍ରେ ମତିରତ ।। ୨୮ ।।

 

ରଞ୍ଚିଲା ସେହୁ ରାମାୟଣ ।

ଭଗବତ ଗୀତା ବଖାଣ ।। ୨୯ ।।

 

ବ୍ରହ୍ମଜ୍ଞାନେଣ ମତି ଦୃଢ଼ ।

ଭକତି ଶାସ୍ତ୍ରରେ ନିବାଡ଼ ।। ୩୦ ।।

 

ସଦା କୀର୍ତ୍ତନ ସେ କରଇ ।

କିଛି ନ କହି କାହାକୁଇ ।। ୩୧ ।।

 

ଭଜଇ ନାମ ଅନର୍ଗଳା ।

ମରଣ କାଳ ଆସି ହେଲା ।। ୩୨ ।।

 

ବୋଇଲା ଅନ୍ନ ଛାଡ଼ିବଇଁ ।

ଧଉର୍ଯ୍ୟ ତପ କରିବଇଁ ।। ୩୩ ।।

 

ବସଇ ତ୍ରିପୁତି ମଉନେ ।

ଫଗୁଣ ଶୁକ୍ଳ ଦଶଦିନେ ।। ୩୪ ।।

 

 

ପିଣ୍ଡୁ ପରାଣ ଉଡ଼ିଯାଇ ।

ବୃକ୍ଷେକ ଉରୁଳି ପଡ଼ଇ ।। ୩୫ ।।

 

ପ୍ରଭୁ ସ୍ଵାମୀ ଯେ ଯଶୋବନ୍ତ ।

କହ୍ନାଇ ଅଚ୍ୟୁତ ଅନନ୍ତ ।। ୩୬ ।।

 

ରାମ ରାୟ ଯେ ଆସି ହେଲେ ।

ସରବେ ଗୁଣ ସୁମରିଲେ ।। ୩୭ ।।

 

ଜଗନ୍ନାଥର ପ୍ରିୟ ସେହି ।

ଜଗନ୍ନାଥ ଅଙ୍ଗେ ମିଶଇ ।। ୩୮ ।।

 

ସମୁଦ୍ର ତଟେଣ ବାଲିର ।

ପୋତାଇଲେ ଶବ ରାତ୍ରର ।। ୩୯ ।।

 

ଭକତେ ଶୁଣିଲେ ବାରତା ।

ଅଶ୍ରୁ ଉଗାଳି ଅଧୋମଥା ।। ୪୦ ।।

 

ପ୍ରଭୁ ସ୍ଵାମୀ ଯେ ନ ଉଠିଲେ ।

କାହାରେ କଥା ନ ବୋଇଲେ ।। ୪୧ ।।

 

 

ଶୁଣ ସୁଜନେ ମନଦେଇ ।

ପ୍ରଭୁ ଯେ ଅଟେ ପୁଣ୍ୟଦେହୀ ।। ୪୨ ।।

 

ପ୍ରଭୁର ଅଟେ ଶୁଦ୍ଧ ଦେହ ।

କାଳେ ଯେପରି ଗଲା କ୍ଷୟ ।। ୪୩ ।।

 

ଏକ ଦିନକେ ନୃତ୍ୟ କଲା ।

ଉଦ୍ଦାମ ଭାବ ନ ଛାଡ଼ିଲା ।। ୪୪ ।।

 

ଖୋଳ କରତାଳ ସହିତ ।

ପାଦ ଚାଳଇ ଅବିରତ ।। ୪୫ ।।

 

ବାଟେ ଇଟାଏ ପଡ଼ିଥିଲା ।

ତହିଁକି ଦୃଷ୍ଟି ତା ନ ଥିଲା ।। ୪୬ ।।

 

ବାଜିଲା ବାମ ବୃଦ୍ଧାଙ୍ଗୁଷ୍ଟି ।

ରୁଧିର ଝରଇ ନିକିଟି ।। ୪୭ ।।

 

ପାଦ ଖଞ୍ଜାଇ ମୋଡ଼ିହେଲା ।

ଗଳଗାଜି ତଳେ ପଡ଼ିଲା ।। ୪୮ ।।

 

 

ସ୍ଵାମୀ ଯେ କାଶୀଶ୍ୱର ମିଶ୍ର ।

ଯଶୋବନ୍ତ ଶ୍ରୀବତ୍ସ ଅନନ୍ତ ।। ୪୯ ।।

 

ସର୍ବେ ହୋଇଣ ଏକମେଳ ।

ପ୍ରଭୁକୁ ସମ୍ଭାଳେ ଭୂତଳ ।। ୫୦ ।।

 

ପ୍ରଭୁ ଯେ ହତଜ୍ଞାନ ହୋଇ ।

ତଳେ ପଡ଼ିଛି ଚେତାନାହିଁ ।। ୫୧ ।।

 

ପ୍ରଭୁକୁ କାନ୍ଧେ ଟେକିନେଲେ ।

ଅମାବାସ୍ୟାର ସାୟଂକାଳେ ।। ୫୨ ।।

 

ଉତ୍ତର ପାରୁଶ ମଣ୍ଡପେ ।

ଶୁଆଇ ଦେଲେ ଚିତାଟୋପେ ।। ୫୩ ।।

 

ନାସାରୁ ଅନିଳ ବୋହଇ ।

ଚକ୍ଷୁ ବୁଜିଣ ପଡ଼ିଥାଇ ।। ୫୪ ।।

 

ମୁଖେଣ ସଲିଳ ସିଞ୍ଚନ ।

କେତେବେଳେକେ ଉଦେଜ୍ଞାନ ।। ୫୫ ।।

 

 

ଚକ୍ଷୁ ମେଲାଇଣ ଚାହିଁଲା ।

ପିଣ୍ଡେ ପରାଣ ପ୍ରବେଶିଲା ।। ୫୬ ।।

 

ସକଳେ ହୋଇଲେ ହରଷ ।

ସ୍ଵାମୀ ହେରଇ ପ୍ରଭୁ ମୁଖ ।। ୫୭ ।।

 

ବୋଲଇ ପ୍ରଭୁ କଥା କହ ।

ପିଣ୍ଡେ ମୋହର ପ୍ରାଣ ଦିଅ ।। ୫୮ ।।

 

କାଳେ ସାଷ୍ଟାମ ହେଲା ପ୍ରଭୁ ।

ଗଲେ ସେ ଥାନୁ ଲୋକ ସବୁ ।। ୫୯ ।।

 

ରଜନୀ ପହରକ ବେଳେ ।

ରାମ ରାୟ ଯେ ବିଜେ ହେଲେ ।। ୬୦ ।।

 

ମନ୍ଦିରେ ବାଜେ ଖୋଳ ତାଳ ।

ଗୁରୁ ଗମ୍ଭୀର ନାଦରୋଳ ।। ୬୧ ।।

 

ପ୍ରଭୁ ବୋଲଇ ମୋତେ ନିଅ ।

ଦେଖିବି ନୃତ୍ୟ କ୍ଷଣେ ରହ ।। ୬୨ ।।

 

 

ମାତ୍ରକ ପାଦ ନ ପଡ଼ଇ ।

ସ୍ଵାମୀ ବସାଇ କର ଦେଇ ।। ୬୩ ।।

 

ବୋଇଲେ ପ୍ରଭୁ ତୁ ନ ଚଳ ।

ଏ ଥାନେ ବସ ତୁ ନିଶ୍ଚଳ ।। ୬୪।।

 

ପାଦେ ତୋ ବ୍ୟଥା ଉପୁଜାତ ।

ନ ଚଳ ଏଥୁ ଏକହାତ ।। ୬୫ ।।

 

ତୋହରେ ପାନ ଭୋଜନାଇ ।

ମୁଁ ଥିବି ତୋରେ ନିଯୋଗାଇ ।। ୬୬ ।।

 

ଏମନ୍ତ ଗଲା ରାତ୍ରକାଳ ।

ପ୍ରଭାତ ଆସି ହେଲା ଠୁଳ ।। ୬୭ ।।

 

ପ୍ରଭୁର ଶରୀର ତପତି ।

ଯେସନ ଯାଇ ଖଇଫୁଟି ।। ୬୮ ।।

 

ସଞ୍ଜକୁ ପାଦ ଫୁଲିଗଲା ।

ବାମ ଅଙ୍ଗୁଷ୍ଟି ପୀଡ଼ା ଦେଲା ।। ୬୯ ।।

 

 

ସ୍ଵାମୀ ଯେ ଜଳ ତପତାଇ ।

ତାତହିଁ କରିଆ ବୁଡ଼ାଇ ।। ୭୦ ।।

 

ପ୍ରଭୁର ବାମପାଦେ ଦେଲା ।

ଉଷୁମ ହେଲା କି ବୋଇଲା ।। ୭୧ ।।

 

ତାତଲା କରିଆ ଉଷୁମ ।

ପାଇଣ ଶାନ୍ତି କଲା ମନ ।। ୭୨ ।।

 

ତେବେହେଁ ତାତି ନ ଛାଡ଼ିଲା ।

ରାତ୍ରରେ ଅଙ୍ଗୁ କମ୍ପ ଦେଲା ।। ୭୩ ।।

 

ସ୍ଵାମୀକୁ ବୋଇଲା ସମ୍ଭାଳ ।

ତୁ ଥିଲେ ମୋର ନାହିଁ କାଳ ।। ୭୪ ।।

 

ତୋ ସଙ୍ଗ ମୁଁ କି ଛାଡ଼ିବଇଁ ।

ହରିର ଇଚ୍ଛା ପୂର୍ଣ୍ଣ ହୋଇ ।। ୭୫ ।।

 

ହରି ସେବକେ ଯେତେ ଭବେ ।

ତାଙ୍କର ମୃତ୍ୟୁ ନୋହେ ଲବେ ।। ୭୬ ।।

 

 

ତୁ ଜଗନ୍ନାଥର ସେବକ ।

ସେବକ ମୁଁ ତୋ ଅବିବେକ ।। ୭୭ ।।

 

ତୋର ହାଥୁଁ ମୁଁ ସେବାପାଇ ।

ଜଗନ୍ନାଥ ସବୁ ଜାଣଇ ।। ୭୮ ।।

 

ତା ବିନା ଗତି ଆଉ ନାହିଁ ।

ପ୍ରାଣୀର ଆର୍ତ୍ତ ନିବାରଇ ।। ୭୯ ।।

 

ରଖାଇ ଆପଣା କରମେ ।

ମୋତେ କି ନେବ ନିଜଧାମେ ।। ୮୦ ।।

 

ତୁ ସ୍ୱାମୀ ମୋହର ପରାଣ ।

ସୁଜ୍ଞାନ ପଣ୍ଡିତ ସୁଜାଣ ।। ୮୧ ।।

 

ଭକତି ବାଟ ବତାଇଲୁ ।

ସଖ୍ୟରେ ମୋତେ ବନ୍ଧାଇଲୁ ।। ୮୨ ।।

 

ତୋତେ ଛାଡ଼ି ମୁଁ ଯିବିକାହିଁ ।

ତୋ ଯିବା ବାଟ ଥିବି ଚାହିଁ ।। ୮୩ ।।

 

 

ପ୍ରଭୁର ନୟନେ ଲୋତକ ।

ସ୍ଵାମୀ ହେରଇ ପ୍ରଭୁମୁଖ ।। ୮୪ ।।

 

ଲୋତକେ ଲୋତକ ମିଶିଲା ।

ତପତ ପ୍ରବାହ ବୋହିଲା ।। ୮୫ ।।

 

ସ୍ଵାମୀ ଅଛଇ ପାଖେ ପାଖେ ।

ସେବଇ ପ୍ରଭୁକୁ ନିରେଖେ ।। ୮୬ ।।

 

ସାଧ୍ୱୀ ନାରୀର ଭାବ ବହି ।

ସେବେ ପ୍ରଭୁକୁ ପ୍ରାଣ ଦେଇ ।। ୮୭ ।।

 

ଦେହ ତପତି ନ ଛାଡ଼ଇ ।

ସରବ ଅଙ୍ଗ ଫୁଲିଯାଇ ।। ୮୮ ।।

 

ଅକ୍ଷୟ ତୃତୀୟା ପ୍ରବେଶ ।

ଚନ୍ଦନ ଯାତ ଅବକାଶ ।। ୮୯ ।।

 

ବ୍ରାହ୍ମ ମୁହୂର୍ତ୍ତ ଆସି ହେଲା ।

ପ୍ରଭୁର ପିଣ୍ଡୁ ପ୍ରାଣଗଲା ।। ୯୦।।

 

 

ଏକା ସେ ଜଗନ୍ନାଥ ଦାସ ।

ମନ୍ଦିରେ ଅଛି ତାର ପାଶ ।। ୯୧ ।।

 

ଉଚ୍ଚ ସ୍ଵରରେ କାନ୍ଦୁ ଥାଇ ।

ଭୋ ପ୍ରଭୁ କେଣେ ଗଲୁ ତୁହି ।। ୯୨ ।।

 

ନୟନୁ ଲୋତକ ଝରାଇ ।

ପ୍ରଭୁର ଶ୍ରୀଅଙ୍ଗ ତିନ୍ତାଇ ।। ୯୩ ।।

 

ଶବଟି ତଳେ ଶୁଆଇଛି ।

ନିର୍ମାଖି ହୋଇଣ କାନ୍ଦୁଛି ।। ୯୪ ।।

 

କାକ ଆସିଣ ରାବଦେଲା ।

ଚଉଦିଗ ଯେ ଉଜଳିଲା ।। ୯୫ ।।

 

ପ୍ରଭାତ ଅବକାଶ ବେଳ ।

ମନ୍ଦିର ଅଛଇ ନିଶ୍ଚଳ ।। ୯୬ ।।

 

ସେବକ ଜଣ ଦୁଇ ଏକ ।

ମନ୍ଦିରେ ହେଲେ ଉପଗତ ।। ୯୭ ।।

 

 

ସ୍ଵାମୀ ବୋଇଲା ବେଗେ ଯାଅ ।

ରାମ ରାୟରେ ଏ ଜଣାଅ ।। ୯୮ ।।

 

ଆସୁ ସେ ଏଥେ ଅବିଳମ୍ବେ ।

ଝପଟ ଯାଅ ଏବେ ତୁମ୍ଭେ ।। ୯୯ ।।

 

ସନ୍ଦେଶ ପାଇ ରାମ ରାୟ ।

ତକ୍ଷଣେ ମିଳି ଦେବାଳୟ ।। ୧୦୦ ।।

 

ଦୁର୍ଦ୍ଦଶା ଦେଖିଣ ପ୍ରଭୁର ।

କ୍ଷଣେ ହୋଇଲା ସୁଗମ୍ଭୀର ।। ୧୦୧ ।।

 

ନୟନୁ ଲୋତକ ଝରିଲା ।

ଶବକୁ କୋଳାଗ୍ରତ କଲା ।। ୧୦୨ ।।

 

ପ୍ରଭୁର ମୁଖ ଆଉଁସିଲା ।

ସର୍ବାଙ୍ଗେ କର ବୁଲାଇଲା ।। ୧୦୩ ।।

 

ନାହିଁଟି ଆଉ ପ୍ରଭୁ ବୋଲି ।

ଶବ ଛାଡ଼ିଣ କରମେଲି ।। ୧୦୪ ।।

 

 

କିଞ୍ଚିତେ ସେବକେ ହକାରି ।

ଆଦେଶ ଦେଲାଟି ଉଭାରି ।। ୧୦୫ ।।

 

ଆଜ ଦୁଆର କିଳା ହେବ ।

ଦେବତା ନୀତି ନ ଚଳିବ ।। ୧୦୬ ।।

 

ହକାରି ଅଶ୍ଵାରୋହୀ ଜଣେ ।

ଚିଟାଉ ପ୍ରେରିଲା ତକ୍ଷଣେ ।। ୧୦୭ ।।

 

ଯୋଗରେ ଅକ୍ଷୟ ତୃତୀୟା ।

ଚନ୍ଦନ ଯାତ୍ରା ବିନୋଦିଆ ।। ୧୦୮ ।।

 

ଗଜପତି ଯେ ରୁଦ୍ରଦେବ ।

ବିଜେ ଦର୍ଶନକୁ ସମ୍ଭବ ।। ୧୦୯ ।।

 

ବାଟରେ ଭେଟି ଅଶ୍ୱାରୋହୀ ।

ଚିଟାଉ ପଢ଼ଇ ଫିଟାଇ ।। ୧୧୦ ।।

 

ଦୁଃଖେଣ ମୁଖ ବିଷାଦିତ ।

ଚାରିପ୍ରହର ବେଳ ଗତ ।। ୧୧୧ ।।

 

 

ରାମ ରାୟ ଯେ ଜଣାଇଲେ ।

ପ୍ରଭୁକୁ କି କରିବା ବୋଲେ ।। ୧୧୨ ।।

 

ଗଜପତି ଯେ ଦାରୁଭୁତ ।

କଥା ନ ଫୁରେ ମୁଖୁ ସତ ।। ୧୧୩ ।।

 

ରାମ ରାୟ ସେ ବୋଲେ ଶୁଣ ।

ଏ ଶବ ନେଲେ ଅକାରଣ ।। ୧୧୪ ।।

 

ଗୌଡ଼ିୟା କଦର୍ଥ କରିବେ ।

ଗଉଡ଼େ ଖଚ ଯେ ବୋଲିବେ ।। ୧୧୫ ।।

 

ଲାଗିବ କନ୍ଦୋଳ ବହୁତ ।

ଶୂନ୍ୟ କଥାକୁ ମିଛ ସତ ।। ୧୧୬ ।।

 

ଯୋଡ଼ିବେ ଅନେକ ବାରତା ।

ଅପନିନ୍ଦାରେ ହଟହଟା ।। ୧୧୭ ।।

 

ମନ୍ଦିରେ ମାରାଗଲା ପ୍ରଭୁ ।

ଏହାକୁ ଏଥେ ପୋତାଇବୁ ।। ୧୧୮ ।।

 

 

ମଣିମା ରଥ ଯାତ ବେଳେ ।

ପ୍ରଭୁ ବୋଲିଛ ଯାତ୍ରୀ ମେଳେ ।। ୧୧୯ ।।

 

ଏ ପ୍ରଭୁ ସେ ପ୍ରଭୁରେ ଲୀନ ।

ହେଲା ବୋଲିବାଟି କାରଣ ।। ୧୨୦ ।।

 

ଶବ ପୋତାଇବା ତୁରିତେ ।

କୋଇଲି ବୈକୁଣ୍ଠ ପୁରତେ ।। ୧୨୧ ।।

 

ଜଗନ୍ନାଥ ଜୀର୍ଣ୍ଣ ବିଗ୍ରହ ।

ସଂସ୍କାରମତେ ଆଜ୍ଞା କହ ।। ୧୨୨ ।।

 

ଗଜପତି ଯେ ଅଧୋମୁଖେ ।

ସମ୍ମତ ହେଲେକ ତୁରିତେ ।। ୧୨୩ ।।

 

କୋଇଲି ବୈକୁଣ୍ଠେ ଶବ ନେଇ ।

ପୋତାଇଲେ ଗାତ ଖୋଳାଇ ।। ୧୨୪ ।।

 

ସ୍ୱାମୀ ପାଦ ଯେ ରାମରାୟ ।

ସେବକ ଦୁଇ କଲେ ଥୟ ।। ୧୨୫ ।।

 

 

ଏହା ନ ଜାଣେ ଆନ କେହି ।

ପଡ଼ିଲା ଦୁଆର ଫିଟଇ ।। ୧୨୬ ।।

 

ସଂସ୍କାର ପାଇଁ ଆଦେଶିଲା ।

ମନ୍ଦିର ସବୁ ଧୁଆଇଲା ।। ୧୨୭ ।।

 

କର୍ପୂର ଚନ୍ଦନ ଅଗୁରୁ ।

ସେବକେ ସିଞ୍ଚିଲେ ଭିତରୁ ।। ୧୨୮ ।।

 

ଚନ୍ଦନଲାଗି ହେବା ଦେଖି ।

ଯାତ୍ରା ଆରମ୍ଭ ଉପଲକ୍ଷି ।।୧୨୯ ।।

 

ଭଗତେ ଆସି ଠୁଳ ହେଲେ ।

ମାର୍କଣ୍ଡ ବୋଲି ଚଳିଗଲେ ।। ୧୩୦ ।।

 

ବିଷାଦିତ ଯାତ ଦିବସ ।

କାହା ମୁଖେ ନାହିଁ ହରଷ ।। ୧୩୧ ।।

 

ପ୍ରଭୁର ଅନ୍ତର୍ଦ୍ଧାନ ବାର୍ତ୍ତା ।

ପାଇଣ ସର୍ବେ କାତରତା ।। ୧୩୨ ।।

 

 

ଜଗନ୍ନାଥ ଅଙ୍ଗେ ମିଶିଲା ।

ବିଜୁଳି ମେଘ ଲୁଚିଗଲା ।। ୧୩୩ ।।

 

ଏକୁ ଆରେକ ମୁଖ ହେରି ।

ପ୍ରଭୁ କଥାକୁ ହେଲେ ଭାଳି ।। ୧୩୪ ।।

 

ସକଳେ ହେଲେ ଦୁଃଖମନା ।

ପ୍ରଭୁର ଗୁଣ ସୁମରଣା ।। ୧୩୫ ।।

 

ପ୍ରଭୁ ସାକ୍ଷାତେ ଭଗବାନ ।

ନୃତ୍ୟ କଲାକୁ ହେଲା ଜନ୍ମ ।। ୧୩୬ ।।

 

ଏବେ ହୋ ଶ୍ରୀଅଙ୍ଗେ ମିଶିଲା ।

ଶୁଣ ସରବେ ଭାବଭୋଳା ।। ୧୩୭ ।।

 

ଜାଣିଲା ଅଚ୍ୟୁତ କହ୍ନାଇ ।

ଯଶୋବନ୍ତ ଯେ ଅନନ୍ତାଇ ।। ୧୩୮ ।।

 

ସରବ ଶୁଣି ହେଲେ ଦୁଃଖୀ ।

ସ୍ଵାମୀ କାନ୍ଦଇ ନିରୀମାଖି ।। ୧୩୯ ।।

 

 

ଅଚ୍ୟୁତ ବୋଲଇ ସ୍ୱାମୀକୁ ।

ତୁ କିପାଁ ଛାଡ଼ିଲୁ ପ୍ରଭୁକୁ ।। ୧୪୦ ।।

 

ଆମ୍ଭନ୍ତ ଦେଖି ନ ପାଇଲୁ ।

ତୁ କିପାଁ ବାନ୍ଧି ନ ରଖିଲୁ ।। ୧୪୧ ।।

 

ଯଶୋବନ୍ତ ବୋଲେ ଏ କଥା ।

ବାଳୁତ ବୋଲେ କିବା କଥା ।। ୧୪୨ ।।

 

ଶିଶୁ ଅନନ୍ତ ନ ଜାଣଇ ।

ବାଳୁତ ପରାଏ କାନ୍ଦଇ ।। ୧୪୩ ।।

 

ସରବେ ପ୍ରଭୁର ଚରିତ ।

ଗୁଣିଲେ ଦିବାରାତ୍ର ସତ ।। ୧୪୪ ।।

 

ଗୌଡ଼ିୟା ଭକ୍ତେ ଆସି ହେଲେ ।

ରଥରେ ନୃପ ବିଘୋଷିଲେ ।। ୧୪୫ ।।

 

ଗୌଡ଼ିୟା ସର୍ବେ ଚଳିଗଲେ ।

ଗଉଡ଼େ ଯାଇ ସେ କହିଲେ ।। ୧୪୬ ।।

 

 

ପ୍ରଭୁର ପ୍ରୟାଣ ବାରତା ।

ରଥକୁ ଜାଣିଲେ ସମେତା ।। ୧୪୭ ।।

 

ପ୍ରଭୁକୁ ନ ପାଇ ରଥରେ ।

ରାଜା ଯେ ବହୁ ଦୁଃଖ କଲେ ।। ୧୪୮ ।।

 

ସୁବର୍ଣ୍ଣ ସାମାର୍ଜନୀ ଛଡ଼ି ।

ରାଜାର ହାଥୁଁ ଗଲା ପଡ଼ି ।। ୧୪୯ ।।

 

ରଥଯାତ୍ରାର ଅବକାଶେ ।

ଶୁଣି ସରବେ ଶୋକ ତ୍ରାସେ ।। ୧୫୦ ।।

 

ମନ୍ଦିରେ ଶବ ଯେ ରହିଲା ।

ଗଜପତିକୁ ଚିନ୍ତା ହେଲା ।। ୧୫୧ ।।

 

ଦୁର୍ବଳ କୃତ୍ୟ କର୍ମକରି ।

ଦଇବ ପାତକ ଆବୋରି ।। ୧୫୨ ।।

 

ଶଙ୍କରାଚାର୍ଯ୍ୟ ବାଲି ମଠ ।

ମହନ୍ତ ସଦାଶିବ ତୀର୍ଥ ।। ୧୫୩ ।।

 

 

ବେଦ ବେଦାନ୍ତ ଭାଗବତ ।

ଉପଦେଶନ୍ତି ଅବିରତ ।। ୧୫୪ ।।

 

ଜ୍ଞାନ ଭକତି ହୃଦେ ଧରି ।

ସୂର୍ଯ୍ୟ ପ୍ରକାଶ ବ୍ରହ୍ମଚାରୀ ।। ୧୫୫ ।।

 

ସେବକ ବ୍ରାହ୍ମଣ ହକାରୀ ।

ନୀତି ପାଳନ୍ତି ନିଷ୍ଠାକରି ।। ୧୫୬ ।।

 

ରାତ୍ରକୁ ଜଗନ୍ନାଥ ଦାସ ।

ବାଲିମଠରେ ପରକାଶ ।। ୧୫୭ ।।

 

ଗଜପତିର ଚିନ୍ତା ଜ୍ୱର ।

ମନ୍ଦିର କରିବା ସଂସ୍କାର ।। ୧୫୮ ।।

 

ସମୁଦ୍ର ତଟେ ଖୋଳାଇଲେ ।

ସରବେ ଏକ ମେଳ ହେଲେ ।। ୧୫୯ ।।

 

କୋଇଲି ବୈକୁଣ୍ଡର ଖାତ ।

ପାରୁଶ ମୃତ୍ତିକା ସହିତ ।। ୧୬୦ ।।

 

 

ସେବକ ଯତନେ ଟେକିଲେ ।

ଅସ୍ଥି କଙ୍କାଳ ଘେନିଗଲେ ।। ୧୬୧ ।।

 

ଶ୍ଵେତ ଗଙ୍ଗା ହ୍ରଦ ମୃତ୍ତିକା ।

କୋଇଲି ବୈକୁଣ୍ଠକୁ ପକା ।। ୧୬୨ ।।

 

ଗୁଣ୍ଡିଚା ଯାତ ହେଲା ଶେଷ ।

ମନ୍ଦିରେ ସଂସ୍କାର ବିଶେଷ ।। ୧୬୩ ।।

 

ମହାପୁରୁ ଯେ ବାହୁଡ଼ିଲେ ।

ବଡ଼ ଦେଉଳେ ବିଜେ ହେଲେ ।। ୧୬୪ ।।

 

ଗୁପ୍ତ ସମାଧୀ ସିନ୍ଧୁ ତଟେ ।

ବସିଲେ ଦାସ ଜଗନ୍ନାଥେ ।। ୧୬୫ ।।

 

ସାଗର ଲହଡ଼ି ଦେଖିବି ।

ଦ୍ଵାରକା ବାସ ମୁଁ ଲଭିବି ।। ୧୬୬ ।।

 

ଭୋଗ ଖପରରେ କୁଡ଼ୁଆ ।

ସଜାଇ ଗଢ଼ିଲେ କୁଡ଼ିଆ ।। ୧୬୭ ।।

 

 

ସ୍ୱାମୀର ବାସ ମଠହେଲା ।

ସାତ ଲହଡ଼ି ବୋଲାଇଲା ।। ୧୬୮ ।।

 

ସେବକେ ମେଳି ହୋଇ ବସି ।

ପହରା ଦ୍ୟନ୍ତି ଦିବା ନିଶି ।। ୧୬୯ ।।

 

ସ୍ଵାମୀ ବୋଇଲେ ନ ଆସିବି ।

ସମୁଦ୍ର କୁଳେଣ ରହିବି ।। ୧୭୦।।

 

ଅଚ୍ୟୁତ ଗଲା ନେମ୍ବାଳକୁ ।

ଅନନ୍ତ ଗଲା ସ୍ୱସ୍ଥାନକୁ ।। ୧୭୧ ।।

 

ଭାଦ୍ରବ ମାସ କୃଷ୍ଣାଷ୍ଟମୀ ।

ଭକତେ କୃଷ୍ଣ ଜନ୍ମ କାମୀ ।। ୧୭୨ ।।

 

ନହେଲା କୀର୍ତ୍ତନ ରାହାସ ।

ସକଳ ମନରେ ବିରସ ।। ୧୭୩ ।।

 

ମଣ୍ଡପ ଉତ୍ତର ପାରୁଶେ ।

ରାମ ରାୟ ଯେ ଆସି ବସେ ।। ୧୭୪।।

 

 

ପ୍ରଭୁର ଭାବ ସେ ସୁମରି ।

ନୟନୁ ଲୋତକ ଉଭାରି ।। ୧୭୫ ।।

 

ସ୍ଵାମୀ ସଙ୍ଗତେ କଥା ରଙ୍ଗେ ।

ସୁମରି କୀର୍ତ୍ତନ ପ୍ରସଙ୍ଗେ ।। ୧୭୬ ।।

 

ସେଦିନ ସାୟଂକାଳ ବେଳେ ।

ରାମରାୟ ଯେ ସ୍ଵର୍ଗ ଗଲେ ।। ୧୭୭ ।।

 

ପିଣ୍ଡରୁ ପ୍ରାଣ ଗଲାକାଳେ ।

ହା କୃଷ୍ଣ ସେହୁ ଉଚ୍ଚାରିଲେ ।। ୧୭୮ ।।

 

କ୍ଷେତ୍ରେ ଯେ ପଡ଼ିଲା ଚହଳ ।

ମିଳିଲେ ଲୋକ ଯେ ସତ୍ତ୍ୱର ।। ୧୭୯ ।।

 

ସକଳ ମୁଖେ ହରି ନାମ ।

ସତ୍ୟ ବୋଲଇ ରାମ ନାମ ।। ୧୮୦ ।।

 

ପ୍ରାଣୀର ଭଲ ମନ୍ଦ ବାଣୀ ।

ମରଣ କାଳେ ତାହା ଜାଣି ।। ୧୮୧ ।।

 

 

କହିଛି ଜଗନ୍ନାଥ ଦାସ ।

ଅଟଇ ସେ ସିଦ୍ଧ ପୁରୁଷ ।। ୧୮୨ ।।

 

ଏ ତହୁଁ ଆନ ନ ହେବାର ।

କହଇ ମାଧବ ଯେ ଛାର ।। ୧୮୩ ।।

ବାରତା ଲିଖନ ବିଶେଷ ।

ସଂଶୟ ଖଣ୍ଡିବ ଅଶେଷ ।। ୧୮୪ ।।

 

ଇତି ଶ୍ରୀବୈଷ୍ଣବ ଲୀଳାମୃତ ସମ୍ପୂର୍ଣ୍ଣ ।।

 

 

ପରିଶିଷ୍ଟ

 

୧ - ବେଣ୍ଟପୁର- ଭୁବନେଶ୍ୱର ନିକଟବର୍ତ୍ତୀ ବାଲିଅନ୍ତା ବ୍ଲକରେ ଅବସ୍ଥିତ ।

 

୨ - ଭେଦାଭେଦ ତତ୍ତ୍ୱ - ଅଚିନ୍ତ୍ୟ ଭେଦା ଭେଦ ତତ୍ତ୍ୱ ସର୍ବ ପ୍ରଥମେ ସାରଳା ଦାସ ଓ ତାଙ୍କ ପରେ ଜଗନ୍ନାଥ ଦାସ କେବଳ ମୌଖିକ ବ୍ୟାଖ୍ୟା କରୁଥିଲେ ମାତ୍ର ଏହାର ତତ୍ତ୍ୱ ଓ ମହିମା ସମ୍ବନ୍ଧରେ ଲେଖନୀ ଚାଳନା କରି ନ ଥିଲେ ।

 

୩ - ଶ୍ରୀମଦ୍ ବଲ୍ଲଭାଚାର୍ଯ୍ୟ - ମଧୁରାଷ୍ଟକ ରଚନାକରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତି ଅର୍ପଣ କରିଥିଲେ ।

 

୪ - ଶ୍ରୀ ବଳରାମ ଦାସ- ଜଗମୋହନ (ଦାଣ୍ଡୀ) ରାମାୟଣ, ବେଦାନ୍ତ ତତ୍ତ୍ୱ ବା ବ୍ରହ୍ମସଂହିତା ଓ ଓଡ଼ିଆ ଶ୍ରୀମଦ୍ ଭଗବତ୍ ଗୀତା ରଚନାକରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଭକ୍ତି ଅର୍ପଣ କରିଥିଲେ ।